ଭୁବନେଶ୍ବର : ଚିଲିକାରେ ଚଳିତ ବର୍ଷ ୧୩୦ରୁ ୧୫୦ ସଂଖ୍ୟକ ଇରାୱାଡି ଡଲ୍ଫିନ୍ ଅଛନ୍ତି। ତେବେ ନିର୍ଦିଷ୍ଟ କେତେ ସଂଖ୍ୟକ ଡଲ୍ଫିନ୍ ଅଛନ୍ତି, ସେ ନେଇ ବିସ୍ତୃତ ଅନୁଶୀଳନ ପରେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍) ତଥ୍ୟ ପ୍ରଦାନ କରିବେ। ସାତପଡ଼ା ନିକଟ ଚିଲିକାର ବାହ୍ୟ ଅଞ୍ଚଳରୁ ଡଲ୍ଫିନ୍ ବାହାରି ବାଲୁଗାଁ, ରମ୍ଭା ଆଦି ଦକ୍ଷିଣ ଓ କେନ୍ଦ୍ରୀୟ ଚିଲିକାର ମୁଖ୍ୟ ଅଞ୍ଚଳକୁ ନିଜର ବସତି ଓ ବିଚରଣସ୍ଥଳୀରେ ପରିଣତ କରିଛନ୍ତି। ଫଳରେ ସାତପଡ଼ାରେ ପୂର୍ବଭଳି ଅଧିକ ସଂଖ୍ୟକ ଡଲ୍ଫିନ୍ ଦେଖିବାକୁ ମିଳୁନାହିଁ। ପର୍ଯ୍ୟଟକମାନଙ୍କ ଗହଳି ଏବଂ ଶବ୍ଦ ପ୍ରଦୂଷଣ ଏହାର ପ୍ରମୁଖ କାରଣ ହୋଇପାେର। ଏହା ଡଲ୍ଫିନ୍ ଦେଖିବାକୁ ସାତପଡ଼ା ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ହତାଶ ଖେଳାଇ ଦେବାର ଆଶଙ୍କା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଚିଲିକା ହ୍ରଦରେ ଜୈବ ବିବିଧତାର ଅନୁଧ୍ୟାନ ପାଇଁ ଅନୁଷ୍ଠିତ ବାର୍ଷିକ ସର୍ଭେ ରିପୋର୍ଟରୁ ଏଭଳି ଫଳାଫଳ ମିଳିଛି। ୨୦୧୩ରେ ୧୫୨ଟି ଡଲ୍ଫିନ୍ ଥିବା ବେଳେ ୨୦୧୪ରେ ୧୫୮, ୨୦୧୫ରେ ୧୬୦, ୨୦୧୬ରେ ୧୪୫, ୨୦୧୭ରେ ୧୨୧ଟି ଓ ୨୦୧୮ରେ ୧୫୫ଟି ଡଲ୍ଫିନ୍ ଥିବା ସର୍ଭେରୁ ଜଣାଯାଇଛି। ଚିଲିକା ଘେରିମୁକ୍ତ ହେବା ଦ୍ବାରା ଡଲ୍ଫିନ୍ମାନେ ନିରାପଦ ସ୍ଥାନକୁ ଚାଲିଯାଉଛନ୍ତି। ଗତ ଜାନୁଆରି ୪ ତାରିଖରେ ଚିଲିକାରେ ହୋଇଥିବା ପକ୍ଷୀ ଗଣନାରେ ମୋଟ ୧୦ ଲକ୍ଷ ୨୧ ହଜାର ୫୬୩ଟି ପକ୍ଷୀ ଥିବା ଜଣାପଡ଼ିଥିଲା। ଆଜିର ସର୍ଭେ ସେହି ତଥ୍ୟକୁ ସଠିକ୍ ବୋଲି ଉପସ୍ଥାପନ କରିଛି। ତେବେ ଏହା ସହିତ ଘେରିମୁକ୍ତ ହ୍ରଦ ଉପକୂଳରେ ୱାର୍ଡରର୍ ବା ଉଭୟଚର ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ବୃଦ୍ଧି ପାଇଥିବା ଦର୍ଶାଇଛି। ବିଶେଷ କରି ପାଣି ଭିତରକୁ ଡୁବୁକି ମାରି ଖାଦ୍ୟ ସଂଗ୍ରହ କରୁଥିବା ବତକ ସଂଖ୍ୟା ବଢ଼ିଛି। ସେ ପଟେ ଫ୍ଲେମିଗୋ, ସେଲ୍ ଡକ୍ ଆଦି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି।
ଚିଲିକାରେ ସମୁଦ୍ର ଘାସ ବା ସି-ଗ୍ରାସ ପରିମାଣ ବୃଦ୍ଧି ସାଙ୍ଗକୁ ଏହା ୫ଟି ପ୍ରଜାତିକୁ ବୃଦ୍ଧି ପାଇବା ସମଗ୍ର ଦେଶରେ ସର୍ବାଧିକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ୨୦ ପ୍ରତିଶତ ଏହି ଘାସ ଚିଲିକାରେ ହିଁ ଉପଲବ୍ଧ। ଗତବର୍ଷ ୧୩୫ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ହ୍ରଦରେ ଏହା ଦେଖାଯାଉଥିଲା। ଏଥର ଏହା ୧୫୨ ବର୍ଗ କି.ମି.କୁ ବୃଦ୍ଧି ପାଇଛି। ଚିଲିକାରେ ଜଳର ଗୁଣମାନ କ୍ରମଶଃ ବୃଦ୍ଧି ପାଉଛି। ଏହାର ସୂଚକାଙ୍କ ପାଲଟିଛି ସ୍ପଞ୍ଜ ନାମକ ଏକ ପ୍ରଜାତିର ଜଳଜ ପ୍ରାଣୀ ଯାହାକି ହ୍ରଦରେ ଦୀର୍ଘବର୍ଷ ପରେ ଆବିର୍ଭାବ ହୋଇଛି ବୋଲି କହିଛନ୍ତିି ସିଡିଏ ମୁଖ୍ୟ ନିର୍ବାହୀ ସୁଶାନ୍ତ ନନ୍ଦ।