‘ସୁନ୍ଦରୀ’ବନ୍ଦୀ, ‘ମହାବୀର’ ମୃତ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ

ଭୁବନେଶ୍ୱର:ସାତକୋଶିଆ ବ୍ୟାଘ୍ରପ୍ରକଳ୍ପ ନେଇ ଦେଖା ଦେଇଛି ଅନିଶ୍ଚିତତା। ସାତକୋଶିଆ ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧିି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି। କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ ମହାବୀର’ ଗତକାଲି ଅତି ରହସ୍ୟଜନକଭାବେ ମୃତ୍ୟୁବରଣ କରିଛି। ଅପରପକ୍ଷେ ମଧ୍ୟପ୍ରଦେଶରୁ ଆସି ସାତକୋଶିଆ ଜଙ୍ଗଲରେ ଛଡ଼ା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ଦୁଇ ଦୁଇଟି ମଣିଷ ମାରିବା ଅପବାଦ ନେଇ ବନ୍ଦୀ। ଏ ପରିସ୍ଥିତିରେ ଆପଣାଛାଏଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହୋଇଯାଇଛି।

ଏ ନେଇ ପିସିସିଏଫ ଡ. ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ପାଇଁ ବନ୍ଦ କରି ଦିଆଯାଇଛି। ଏନଟିସିଏ ସହିତ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷପ ନିଆଯିବ।


ଗତକାଲି କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ ମହାବୀର’ ର ମୃତଦେହ ସାତକୋଶିଆର କୋର ଏରିଆରେ ପଡ଼ିଥିବା ଦେଖିବାକୁ ମିଳିଥିଲା ମାତ୍ର ଅଢ଼େଇ ବର୍ଷର ଜୁଆନ ବାଘ ମହାବୀରକୁ ନେଇ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଆଗେଇବ ବୋଲି ଆଶା କରି ତା ପାଖରେ ବାଘୁଣୀ ସୁନ୍ଦରୀକୁ ଆଣି ଛାଡ଼ିଥିଲେ। ମାତ୍ର ସୁନ୍ଦରୀ ଓ ମହାବୀରଙ୍କ ମିଳନ ପୂର୍ବରୁ ସୁନ୍ଦରୀ ଗାଁ ପାଖରେ ମଣିଷ ମାରିବା ଅଭିଯୋଗ ହୋଇଥିଲା। ପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ଏନକ୍ଲୋଜର ଭିତର ରଖାଯାଇଛି। ତେବେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ ଯୋରରେ ଝଟକା ଲାଗିଥିଲା ଯେତେବେଳେ ଗତକାଲି ରାତିରେ ମହାବୀରର ମୃତ୍ୟୁ ଖବର ମିଳିଥିଲା। ମହାବୀର ବେକରେ ଗଭୀର କ୍ଷତ ହୋଇଥିବାରୁ ଏହାର ସଂକ୍ରମଣ ଯୋଗୁଁ ମହାବୀରର ମୃତ୍ର ଘଟିଥିବା କୁହାଯାଉଛ। ତେବେ କେଉଁ ପରିସ୍ଥିତିରେ ମହାବଳ ‘ମହାବୀର’ର ମୃତ୍ୟୁ ଘଟିଛି ତାର ତଦନ୍ତ ଅନୁଗୁଳ ଡିଏଫଓ କରିବେ ବୋଲି ପିସସିଏଫ ଡ. ତ୍ରିପାଠୀ କହିବା ସହିତ ସାମୟିକ ପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର