‘ସୁନ୍ଦରୀ’ କାଣ୍ଡ ପରେ… ଡିଏଫ୍‌ଓ ବିଦା

ଅନୁଗୁଳ : ଶେଷରେ ହଟିଲେ ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଟି ରେହ୍‌ମାନ। ଜନତାଙ୍କ ଆକ୍ରୋଶ ସାଙ୍ଗକୁ ତାଙ୍କର ବିବାଦୀୟ ମନ୍ତବ୍ୟ, ‘ସୁନ୍ଦରୀ’ କାଣ୍ଡ ପରେ ଶ୍ରୀ ରେହ୍‌ମାନଙ୍କୁ ଗୁୁରୁବାର ରାଜ୍ୟ ସରକାର ସାତକୋଶିଆରୁ ବିଦା କରିଛନ୍ତି। ବନ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦେଶନାମା ପ୍ରକାଶ ପାଇଛି। ତାଙ୍କୁ କଟକ ଟେରିଟୋରି ଡିଭିଜନ୍‌ର ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କ ବଦଳରେ ସାତକୋଶିଆ ଦାୟିତ୍ୱ କିଏ ମୁଣ୍ଡାଇବେ ତାହା କିଛି ସ୍ପଷ୍ଟ ହୋଇନାହିଁ। ଗୋଟିଏ ପଟେ ସାତକୋଶିଆରେ ସୁନ୍ଦରୀ କାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ଅନ୍ୟପଟେ ମହାବଳ ସ୍ଥାନାନ୍ତର ଭଳି ବନ ବିଭାଗର ଡ୍ରିମ୍‌ ପ୍ରୋଜେକ୍ଟରୁ ଡିଏଫ୍‌ଓ ଶ୍ରୀ ରେହ୍‌ମାନଙ୍କୁ ବାଦ୍‌ ଦେବା ଘଟଣା ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

ପାଖାପାଖି ୫ବର୍ଷ ତଳେ ସାତକୋଶିଆ ବନଖଣ୍ଡର ଡିଏଫ୍‌ଓ ଦାୟିତ୍ୱ ନେଇଥିଲେ ଶ୍ରୀ ରେହ୍‌ମାନ। ଇତିମଧ୍ୟରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମହାବଳ ସ୍ଥାନାନ୍ତର ପାଇଁ ଭାରତ ସରକାର, ମଧ୍ୟପ୍ରଦେଶ ସରକାର ଏବଂ ଓଡ଼ିଶା ସରକାର ମିଳିତ ଭାବେ ରାଜି ହୋଇଥିଲେ। ଏପରେ ସାତକୋଶିଆକୁ ସୁଦୂର ମଧ୍ୟପ୍ରଦେଶରୁ ଗୋଟିଏ ଅଣ୍ଡିରା ମହାବଳ ଏବଂ ଗୋଟିଏ ବାଘୁଣୀକୁ ଅଣାଯାଇଥିଲା। କିନ୍ତୁ ଅଣ୍ଡିରା ମହାବଳ ସାତକୋଶିଆରେ ଖାପଖୁଆଇ ବିଚରଣ କରୁଥିବା ବେଳେ ରକ୍ତମୁଖା ବାଘୁଣୀ ‘ସୁନ୍ଦରୀ’ର ଗୋଟିଏ ପରେ ଗୋଟିଏ ହିଂସାତ୍ମକ କାଣ୍ଡ ବନବାସୀଙ୍କୁ ତତେଇ ଦେଇଛି।

ଆଗକୁ ଏମିତି ଅସୁରକ୍ଷିତ ପରିସ୍ଥିତି ହେବ ବୋଲି ବନବାସୀ ଆଶଙ୍କା କରି ବାଘ ଛାଡ଼ିବା ପୂର୍ବରୁ ଲୋକେ ଡିଏଫ୍‌ଓଙ୍କ ଦ୍ୱାରସ୍ଥ ହୋଇଥିଲେ। ମହାବଳଠାରୁ ସୁରକ୍ଷା ଦେବାକୁ ଗୁହାରି କରିଥିଲେ। ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଡିଏଫ୍‌ଓ କିନ୍ତୁ ଲେଖିଥିଲେ ବିବାଦୀୟ ଚିଠି। ଯେଉଁଥିରେ ସମ୍ବିଧାନ ବିରୋଧୀ, ସମାଜ ବିରୋଧୀ, ବିଚ୍ଛିନ୍ନତାବାଦୀ ଭଳି ବିବାଦୀୟ ମନ୍ତବ୍ୟ ବନବାସୀଙ୍କୁ ତତେଇ ଦେଇଥିଲା। ବନବାସୀଙ୍କ ସହିତ ଆପୋଷ ଯୋଗସୂତ୍ର ଓ ସମନ୍ଵୟ ରକ୍ଷା କରିବା ପରିବର୍ତ୍ତେ ଏହି ଚିଠି ବାଘ ବିରୋଧୀ ଆନ୍ଦୋଳନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିଲା। ପ୍ରତିବାଦ ଏତେ ତୀବ୍ର ହୋଇଥିଲା ଯେ, ୧୨୬ଖଣ୍ଡ ଗାଁର ଲୋକେ ଡିଏଫ୍‌ଓଙ୍କ ବଦଳି ଦାବି କରିବା ସହିତ କୁଶ ପୁତ୍ତଳିକା ଦାହ କରିଥିଲେ। ଶେଷରେ ରାଜ୍ୟ ସରକାର ଶ୍ରୀ ରେହ୍‌ମାନଙ୍କୁ ଗୁରୁବାର ସାତକୋଶିଆରୁ ହଟାଇଛନ୍ତି।

ଉଲ୍ଲେଖଯୋଗ୍ୟ, କଟକ ଟେରିଟୋରି ଡିଭିଜନର ଡିଏଫ୍‌ଓଙ୍କୁ ଢେଙ୍କାନାଳ ଡିଭିଜନକୁ ବଦଳି କରାଯାଇଥିବା ବେଳେ ଢେଙ୍କାନାଳ ଡିଏଫ୍‌ଓ ରିଙ୍କୁ କୁମାରୀ ଟ୍ରେନିଂରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର