ଗ୍ରାମୀଣ ଲୋକଙ୍କ ଜୀବିକାର ମେରୁଦଣ୍ଡ ପାଲଟୁଛି ଜୈବ ପର୍ଯ୍ୟଟନ, ସାତକୋଶିଆ ଜୈବ ପର୍ଯ୍ୟଟନ ପ୍ରକଳ୍ପ ସାଣ୍ଡସ ରିସୋର୍ଟର ଆୟ ପହଞ୍ଚିଲା ୧କୋଟି

ଭୁବନେଶ୍ବର : ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ନିକଟବର୍ତୀ ବଡ଼ମୂଳ ସାତକୋଶିଆ ସାଣ୍ଡସ ରିସୋର୍ଟର ଆୟ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ୧ କୋଟିରେ ପହଞ୍ଚିଛି। ଏଠାରେ ୨୦୧୬ ମସିହାରେ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ ବିଭାଗ ସହଯୋଗରେ ଜୈବ ପର୍ଯ୍ୟଟନ ପ୍ରକଳ୍ପ ମାତ୍ର ୩ଟି ‌ଟେଣ୍ଟ ଆବାସରୁ ଆରମ୍ଭ ହୋଇଥିଲା। ମହାନଦୀ ବାଲୁକା ଶଯ୍ୟାରେ ମାତ୍ର ୨ଲକ୍ଷ ପୁଞ୍ଜିନିବେଶରେ ମାତ୍ର ୬ ଜଣ ଗ୍ରାମବାସୀଙ୍କୁ ନେଇ ଏହାର ଆରମ୍ଭ ହୋଇଥିବା ବେଳେ ଏବେ ଏହା ୧୬ଟି ଟେଣ୍ଟରେ ପହଞ୍ଚିଛି ଏବଂ ଏଠାରେ ବାର୍ଷିକ ଆୟ ୧ କୋଟି ଛୁଇଁପାରିଛି। ଏହା ଦ୍ବାରା ଗ୍ରାମର ୩୪ଜଣ ନିଯୁକ୍ତି ପାଇଥିବା ବେଳେ ଆଖପାଖ ୭ଟି ଗ୍ରାମର ଲୋକ କ୍ଷୀର, ଚାଉଳ, ଡାଲି, ପରିବା, ଆମିଷ, ଯାତାୟାତ ବ୍ୟବସ୍ଥା ଜରିଆରେ ପରୋକ୍ଷ ଭାବେ ଉପକୃତ ହେଉଛନ୍ତି। ୨୦୧୮ରୁ ୨୦୧୯ ମଧ୍ୟରେ ମୋଟ ୪୪୫୦ଜଣ ଏଠାକୁ ରହଣି ପାଇଁ ଆସିଥିବା ବ‌େଳେ ୧କୋଟି ୩ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଚଳିତ ବର୍ଷ ୨୦୨୦ ଫେବ୍ରୁଆରି ସୁଦ୍ଧା ଏଠାକୁ ୪ ହଜାର ୫୦୦ ଜଣ ପର୍ଯ୍ୟଟକ ଆସିଛନ୍ତି।

କେବଳ ଏହା ସେଠାକାର ଲୋକଙ୍କୁ ରୋଜଗାର ଦେଇନାହିଁ, ବରଂ ସେଠାରେ ‘ପକ୍ଷୀଙ୍କୁ ଜାଣିବା’ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁମାନେ ପକ୍ଷୀ ଶିକାରରେ ଲିପ୍ତ ଥିଲେ, ସେମାନେ ଏବେ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି। ‘ଜଙ୍ଗଲକୁ ଚାଲ’ ଓ ପରିବେଶ ଶିବିରର ଆୟୋଜନ କରାଯାଉଛି। ନୟାଗଡ଼ର ଏହା ପ୍ରଥମ ଜୈବ ପର୍ଯ୍ୟଟନ ପ୍ରକଳ୍ପ ହୋଇଥିବା ବେଳେ ରାଜ୍ୟର ଜୈବ ପର୍ଯ୍ୟଟନ ପ୍ରକଳ୍ପରେ ଏହା ନିଆରା ଉଦାହରଣ ସୃଷ୍ଟି କରିଛି। ଏଠାରେ ସାତକୋଶିଆ ଗଣ୍ଡରେ ବୋଟିଂ, ପକ୍ଷୀ ପରିଦର୍ଶନ, ଟ୍ରେକିଂ, କ୍ରୀଡ଼ା ସୁବିଧା, ପାଠାଗାର, କ୍ୟାନୋପି ୱାକ, ପର୍ଯ୍ୟଟକଙ୍କ ଗାଧୁଆ ଘାଟର ସୁବିଧା ଉପଲବ୍ଧ ହେଉଛି। ସ୍ଥାନୀୟ ଗ୍ରାମବାସୀ ଏବେ ଏହି ପ୍ରକଳ୍ପରେ ଇକୋ-ଗାଇଡ୍‌ ଭାବେ ନିୟୋଜିତ ହୋଇଛନ୍ତି। ମୁଦୁଲିଗାଡ଼ିଆ ଗ୍ରାମର ସମସ୍ତ ଗ୍ରାମବାସୀ ଏହି ପ୍ରକୃତି ଶିବିରକୁ ପରିଚାଳନା କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଏଠାରେ ପ୍ରଥମ କରି କ୍ୟାନେପି ୱାକ ଆରମ୍ଭ ହୋଇଛି। ଗ୍ରାମବାସୀ ନିଯୁକ୍ତି ପାଇବା ପରେ ସେଠାରେ ସେମାନଙ୍କ ଜୀବନଧାରଣ ମାନ ବଦଳିଛି। ସେଠାରେ ସବୁଘରେ ଚୁଲି ବଦଳରେ ଏଲପିଜି ଗ୍ୟାସ୍‌ ଜଳୁଛି। ସେମାନଙ୍କ ଘରେ ସ୍ବତନ୍ତ୍ର ଶୌଚାଳୟ କରାଯାଇଥିବାରୁ ଖୋଲା ମଳମୁକ୍ତ ଗ୍ରାମ ପାଲଟିଛି। ୧୨ଟି ଡଷ୍ଟବିନ ରଖାଯିବା ସହ ଗ୍ରାମକୁ ପ୍ଲାଷ୍ଟିକମୁକ୍ତ ଓ ପରିବେଶକୁ ସଫାସୁତରା ରଖାଯାଉଛି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପ୍ରତ୍ୟେକ ଘର ବାହାର ପାର୍ଶ୍ବକୁ ସୁନ୍ଦର ୱାଲ ପେଣ୍ଟିଂ ସହ ସଜାଯାଇଛି। ୨୦୧୬ରୁ ଆରମ୍ଭ ହୋଇଥିବା ଓଡ଼ିଶାର ଜୈବ ପର୍ଯ୍ୟଟନ କ୍ଷେତ୍ରକୁ ୧୯୦୦ ପର୍ଯ୍ୟଟକଙ୍କ ଆଗମନ ସହ ୪୭ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବେଳେ ୨୦୧୯ ବେଳକୁ ୨୦ ହଜାର ପର୍ଯ୍ୟଟକଙ୍କ ଆଗମନ ସହ ମୋଟ ରାଜସ୍ବ ୫କୋଟି ୬ ଲକ୍ଷ ସଂଗ୍ରହ ହୋଇଛି। ଶିମିଳିପାଳସ୍ଥିତ ବରେହିପାଣି ପ୍ରକୃତି ଶିବିର ମଧ୍ୟ ପର୍ଯ୍ୟଟକଙ୍କ ପସନ୍ଦର ପର୍ଯ୍ୟଟନସ୍ଥଳ ପାଲଟିଛି। ପିସିସିଏଫ ୱାଇଲ୍‌ଡଲାଇଫ ଏଚ.ଏସ ଉପାଧ୍ୟାୟ କହିଛନ୍ତି ଯେ ବଡ଼ମୂଳ ପ୍ରକଳ୍ପ ଜରିଆରେ ‌ଗତବର୍ଷ ପ୍ରତ୍ୟେକ ପରିବାର ୨ ଲକ୍ଷ ଟଙ୍କା ଲେଖାଏଁ ଆୟ କରିପାରିଛନ୍ତି। ଇକୋ ଟୁରିଜିମ ଡିସିଏଫ ଅଂଶୁ ପ୍ରଜ୍ଞାନ ଦାସ କହିଛନ୍ତି, ବଡ଼ମୂଳ ପର୍ଯ୍ୟଟନ ଭଳି ଶିମିଳିପାଳ ଜୈବ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଗ୍ରାମୀଣ ବ୍ୟକ୍ତିବିଶେଷଙ୍କ ଜୀବନ ଜୀବିକାର ମେରୁଦଣ୍ଡ ପାଲଟି ପାରିଛି। ଦେବ୍ରିଗଡ଼ରୁ ଗତବର୍ଷ ୫୦ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ୭୫ ଲକ୍ଷ ଟଙ୍କାର ରୋଜଗାର ହୋଇଥିଲା। ସେହିଭଳି ଦାରିଙ୍ଗବାଡ଼ିରେ ୫୫ ଲକ୍ଷ ଟଙ୍କା, ଭିତରକନିକାରେ ୭୦ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର