‘ଏକାଠି ହେବା ଗଣତନ୍ତ୍ରର ମୂଳମନ୍ତ୍ର’

ସତ୍ୟବାଦୀ ମହୋତ୍ସବ ଉଦ୍‌ଯାପିତ

ସାକ୍ଷୀଗୋପାଳ/ପୁରୀ : ବିଭିନ୍ନତା ମଧ୍ୟରେ ଏକତା ଭାରତୀୟ ଅସ୍ମିତାର ପରିଚୟ। ଠିକ୍‌ ସେହିଭଳି ଏକାଠି ହେବା ମଧ୍ୟ ଗଣତନ୍ତ୍ରର ମୂଳମନ୍ତ୍ର ବୋଲି ଆଜି ପଞ୍ଚଶଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ସତ୍ୟବାଦୀ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭ‌ା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଭାରତରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ‌ରେ ଦେଖା ଦେଇଥିବା ଦେଶ ପ୍ରୀତି ଓ ଆଜିର ମହୋତ୍ସବରୁ ଗୋଟିଏ କଥାକୁ ସୂଚାଉଛି, ବିଭିନ୍ନତା ମଧ୍ୟରେ ଦେଶ ଏକ ହୋଇଛି। ତେଣୁ ଏକାଠି ହୋଇ ଯଦି କିଛି ନିଷ୍ପତ୍ତି ନିଆଯାଏ ତାକୁ କେହି ଅଟକାଇ ପାରିବେ ନାହିଁ। ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତେ ଏକ ହୋଇ ସଂକଳ୍ପ ନେବାକୁ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ପ୍ରାରମ୍ଭରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା। ମହୋତ୍ସବର ମୁଖ୍ୟ ପୃଷ୍ଠପୋଷକ ତଥା‌ ପୁରୀ ପୌରସଂସ୍ଥାର ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ନେତା ଓମ୍‌ପ୍ରକାଶ ମିଶ୍ର, ଜୁଭେନାଇଲ୍‌ ବୋର୍ଡର ସଭ୍ୟ ଜୟଶ୍ରୀ ମହାପାତ୍ର, ଡକ୍ଟର ଅଭିମନ୍ୟୁ ବରାଳ, ବିଶ୍ବଜିତ ଶତପଥୀ, ରାଷ୍ଟ୍ରୀୟ ନାରିକେଳ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡାକ୍ତର ବିଶ୍ବନାଥ ରଥ, ମହୋତ୍ସବ କମିଟି ସଭାପତି ଜାନକୀ ବଲ୍ଲଭ ମିଶ୍ର, ଦୀପକ କୁମାର ଶତପଥୀ, ପ୍ରିୟରଂଜନ ଚାନ୍ଦ, କଣାସ ମହୋତ୍ସବ କମିଟି ପକ୍ଷରୁ ରବୀନ୍ଦ୍ର ରାଉତରାୟ, ସୁବର୍ଣ୍ଣ ବଳିୟାର ସିଂହ, ହାଡ଼ିବନ୍ଧୁ ପାଢୀ, ସତ୍ୟବାଦୀ ବ୍ଲକ୍ ବିଜେଡି ସଭାପତି ରତିକାନ୍ତ ମିଶ୍ର, କଣାସ ବ୍ଲକ୍ ବିଜେଡି ସଭାପତି ସୁଶିଲକାନ୍ତ ରାଉତ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ସୁରେନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ପଞ୍ଚଶଖା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅନୁଷ୍ଠାନର ପତ୍ରିକା ‘ତମାଳ’ ଉନ୍ମୋଚିତ ହୋଇଥିଲା। ଏଥି ସହିତ ସତ୍ୟବାଦୀ ଅଞ୍ଚଳର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଂଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହୋତ୍ସବ କମିଟିର ସଂପାଦକ ଜାନକୀ ବଲ୍ଲଭ ବରାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର