କାରାଗାରରେ ସଂସ୍କାରର ଆବଶ୍ୟକତା ଅଛି : ସତ୍ୟଜିତ ମହାନ୍ତି

ଭୁବନେଶ୍ୱର : ବିଦାୟୀ ପୁଲିସ କମିସନର ସତ୍ୟଜିତ ମହାନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (କାରାଗାର) ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବିଦାୟୀ ଏଡିଜି ମହେନ୍ଦ୍ର ପ୍ରତାପଙ୍କଠାରୁ ସେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି, ସଜା ଅବଧି ପୂରଣ କରି କଏଦୀମାନେ ସାଧାରଣ ଜୀବନକୁ ଫେରିବା ପୂର୍ବରୁ ସଂସ୍କାରର ଆବଶ୍ୟକତା ରହିଛି। କାରାଗାରରେ କିଭଳି ସଂସ୍କାର ଅଣାଯିବ ତାହା ଉପରେ ଗୁରୁତ୍ବ ଦିଆଯିବ। ‌ସେ ଆହୁରି ମଧ୍ୟ କହିଛନ୍ତି, କେବଳ ଝାରପଡ଼ା ଜେଲରେ ୧୯ହଜାର କଏଦୀ ରହିଛନ୍ତି। ସେମାନଙ୍କୁ କିଭଳି ଶତ ପ୍ରତିଶତ ରୋଜଗାରକ୍ଷମ କରିହେବ ସେ ନେଇ ଉଦ୍ୟମ ହେବ। ଜେଲ୍‌ ସଂସ୍କାରର ଏହା ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ସେ କହିଛନ୍ତି।

କଏଦୀମାନଙ୍କର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାକ୍ଷ୍ୟ ଗ୍ରହଣ ବ୍ୟବସ୍ଥା ହେଉଛି। ପାଖାପାଖି ୬୦ ପ୍ରତିଶତ ଜେଲ୍‌ରେ ଏହି ବ୍ୟବସ୍ଥା ହେଉଛି। ଏହା କିଭଳି ତ୍ବରିତ ହେବ, ଅନ୍‌ଲାଇନ୍‌ରେ ଶତି ପ୍ରତିଶତ ଜେଲ୍‌ କିଭଳି ସଂଯୋଗୀକରଣ ହେବ ତାହା ଉପରେ ଗୁରୁତ୍ବ ଦିଆଯିବ। ଜେଲ୍‌ରେ ଖାଦ୍ୟ ଓ ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବ। ସର୍ବୋପରି ସରକାରଙ୍କର ‘୫-ଟି’ କିଭଳି କାର୍ଯ୍ୟକ୍ଷମ ହେବ ତାହା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର