ଗୋଟିଏ ମଞ୍ଚରେ ସବୁ ଦଳ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ଲଖନପୁର ନିକଟରେ ହେବ ‘କଲମା ସତ୍ୟାଗ୍ରହ’, ମେ’ ୨୯ରେ ବୁଦ୍ଧିଜୀବୀ, ଲେଖକ ସମ୍ମିଳନୀ

ଭୁବନେଶ୍ୱର : ମହାନଦୀର ସୁରକ୍ଷା ପାଇଁ ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଓଡ଼ିଶାର ସମସ୍ତ ରାଜନୈତିକ ଦଳ। ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ ଡାକରାରେ ଶାସକ, ବିରୋଧୀ, ସାମାଜିକ ସଙ୍ଗଠନ, ପୂର୍ବତନ ଯନ୍ତ୍ରୀ ଏକାଠି ହେଇ ଗୋଟିଏ ସ୍ୱରରେ ମହାନଦୀ ପାଇଁ ମହାସଂଗ୍ରାମ କରିବାକୁ ମତପ୍ରକାଶ କରିଛନ୍ତି।

ସର୍ବଦଳୀୟ ବୈଠକରେ ୪ଟି ପ୍ରସ୍ତାବ ଗୃହୀତ ହୋଇଛି। ଛତିଶଗଡ଼ର ‘କଲ୍‌ମା’ ବ୍ୟାରେଜ୍‌ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି ପତ୍ର ଦିଆଯିବ। ଏଥିରେ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ନେତା ସାମିଲ ହେବେ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ନିକଟରେ ‘କଲ୍‌ମା ସତ୍ୟାଗ୍ରହ’ କରାଯିବା ନେଇ ଖୁବ୍‌ଶୀଘ୍ର ରୂପରେଖ ପ୍ରସ୍ତୁତ ହେବ। ମହାନଦୀ ଟ୍ରିବ୍ୟୁନାଲ୍‌ରେ ଯେପରି ମହାନଦୀର ସ୍ୱାର୍ଥ ରକ୍ଷା ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ନିଦ୍ଧିଷ୍ଟ ତଥ୍ୟ ଭିତ୍ତିକ ଯୁକ୍ତି ଉପସ୍ଥାପିତ କରିବାକୁ କୁହାଯାଇଛି। ଟ୍ରିବ୍ୟୁନାଲ୍‌ରେ ଦୃଢ଼ ଯୁକ୍ତି ରଖିବା ପାଇଁ ବିଭାଗୀୟ ଯନ୍ତ୍ରୀ, ଅଧିକାରୀଙ୍କୁ ଉପରେ ଭରସା ନ କରି ବିଶେଷଜ୍ଞ କମିଟି ଗଠନ କରିବାକୁ ବୈଠକରେ ମତପ୍ରକାଶ ପାଇଛି। ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ମହାନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ମିତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ନ କରିବା ପାଇଁ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରାଯିବ। ମେ’ ୨୯ରେ ବୁଦ୍ଧିଜୀବୀ, କଳାକାର ଓ ଲେଖକମାନଙ୍କୁ ନେଇ ଭୁବନେଶ୍ୱରର ଜୟଦେବ ଭବନରେ ଏକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଆଜି ନିଷ୍ପତ୍ତି ହୋଇଛି।

ରାଜ୍ୟ ସରକାର ସମନ୍ଵିତ ଅବବାହିକା ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ମହାନଦୀ ଅବବାହିକାରେ ଜଳ ସଂରକ୍ଷଣକୁ ବ୍ୟାପକ କରିବା, ମହାନଦୀ ଜଳ ପ୍ରଦୂଷଣ ରୋକିବାକୁ ଟ୍ରାସ୍କଫୋର୍ସ ଗଠନ, ନଦୀ କୂଳରେ ଇଟା ଭାଟି, ବାଲି ଖାଦାନ, ବିଲଡିଂ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିବା ଦିଗରେ ପଦକ୍ଷେପ ନେବା ଲାଗି ନେତାମାନେ ଦାବି କରିଥିଲେ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାଶ କହିଛନ୍ତି।

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ମହାନଦୀକୁ ନେଇ ରାଜନୀତି କରା ନ ଯାଉ। ବିରୋଧୀ ଦଳ ନେତା ପୂର୍ବରୁ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଥିଲେ। ପଦକ୍ଷେପ ନିଆ ନ ଯିବାରୁ ବିରୋଧୀ ଦଳ ନେତା ବାଧ୍ୟ ହୋଇ ସର୍ବଦଳୀୟ ବୈଠକ ଡାକିଥିଲେ। ସେଠାକୁ ବିଜେଡି ଆସି ନ ଥିଲା। ରାଜ୍ୟ ସକରାର ମହାନଦୀକୁ ନେଇ ଏବେ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ତାହାକୁ ବନ୍ଦ କରନ୍ତୁ। ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସେ ପ୍ରସ୍ତାବ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ମହାନଦୀରେ ଜଳ ପ୍ରବାହ କମିଛି। ରାଜ୍ୟ ସରକାରଙ୍କ ଦାବି ପରେ ଏବେ ଟ୍ରିବ୍ୟୁନାଲ ଗଠନ ହୋଇଛି। ଏ ନେଇ ବିଜେଡି ଲୋକଙ୍କୁ ସଚେତନ କରୁଛି। ଓଡ଼ିଶା ସରକାର ଛତିଶଗଡ଼ ଉପରେ ବିଶ୍ୱାସ କରିଥିଲେ। ଛୋଟ ଚେକ୍‌ ଡ୍ୟାମ୍‌ କରିବ ବୋଲି ଛତିଶଗଡ଼ ସରକାର କହିଥିଲେ। କିନ୍ତୁ ବ୍ୟାରେଜ୍‌ ନିର୍ମାଣ କରୁଛନ୍ତି। ଏହାର ଦୃଢ଼ ଜବାବ ଦିଆଯିବ।

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଟ୍ରିବ୍ୟୁନାଲ୍‌ର ସମସ୍ତ ପ୍ରକାର କ୍ଷମତା ରହିଛି। ଏବେ କୌଣସି ଆନ୍ଦୋଳନର ଅବକାଶ ନାହିଁ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ସମତାକ୍ରାନ୍ତି ଦଳର ମୁଖ୍ୟ ବ୍ରଜକିଶୋର ତ୍ରିପାଠୀ, କଳିଙ୍ଗ ସେନାର ହେମନ୍ତ ରଥ, ସିପିଆଇ(ଏମ୍‌ଏଲ୍‌)ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସମାଜବାଦୀ ପାର୍ଟିର ରବି ବେହେରା, ସିପିଆଇ(ଏମ୍‌)ର ଶିଶିର ଭୋଇ, ପୂର୍ବତନ ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ, ଫରଓ୍ଵାର୍ଡ ବ୍ଲକର ଜ୍ୟୋତି ମହାପାତ୍ର, ସିପିଆଇର ସୁର ଜେନା, ଉତ୍କଳ ଭାରତର କେ. ମହାପାତ୍ର, ଦୁର୍ଗା ସାମନ୍ତରାୟ, ତୃଣମୂଳ କଂଗ୍ରେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶଙ୍କର ପରିଡ଼ା, ବାସୁଦେବ ଭଟ୍ଟ, ଲଲିତ ପଟ୍ଟନାୟକ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର