ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତାରେ ଓପେପା : ପିଲାଙ୍କୁ ସୁରକ୍ଷା ଦିଅ

ଦୁର୍ବଳ ସ୍କୁଲ କୋଠା ଚିହ୍ନଟ କରିବାକୁ ନିର୍ଦେଶ, ବନ୍ୟା ଅଞ୍ଚଳ ସ୍କୁଲରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ହୋଇଥିବାରୁ ପ୍ରତି ମୁହୂର୍ତ୍ତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ରହୁଛି। ଏବେ ସାରା ରାଜ୍ୟରେ ଲଗାଣ ବର୍ଷା ହୋଇଥିବାରୁ ଯେକୌଣସି ସମୟରେ ବନ୍ୟା ଆସିପାରେ। ଏହାକୁ ଦୃଷ୍ଟିରେ ରଖି ସ୍କୁଲସ୍ତରରେ ପିଲାଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ବିପର୍ଯ୍ୟୟ ମୁକାବିଲା ତାଲିମ ବ୍ୟବସ୍ଥା କରିବାକୁ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ପ୍ରକଳ୍ପ ନିର୍ଦେଶକ ଭୁପିନ୍ଦର ସିଂ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଆଜି ନିର୍ଦେଶ ଦେଇଛନ୍ତି।

ବର୍ଷା ଦିନ ଆସୁଥିବାରୁ ସ୍କୁଲ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ଦୁର୍ବଳ ଥିବା ସ୍କୁଲ କୋଠା ଚିହ୍ନଟ, ମାଟିରେ ତିଆରି ହୋଇଥିବା କାନ୍ଥ ନିକଟରେ ପିଲାଙ୍କୁ ନ ବସାଇବା, ବିଦ୍ୟୁତ ସଂଯୋଗ, କ୍ୟାମ୍ପସ୍‌ରେ ଯେପରି ପାଣି ଜମି ନ ରୁହେ, ଖୋଲା ପୋଖରୀ ନିକଟକୁ ପିଲାମାନେ ଯେପରି ନ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ବନ୍ୟା, ବାତ୍ୟା ମୁକାବିଲା ଉପରେ ବି ପିଲାଙ୍କୁ ସଚେତନ କରାଯିବ। ଏଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିଭଳି ନିଜକୁ ରକ୍ଷା କରିପାଇବେ ସେଥିପାଇଁ ଏକ ମ୍ୟାପ୍‌ ପ୍ରସ୍ତୁତ କରି ପ୍ରତି ଶ୍ରେଣୀର କାନ୍ଥରେ ଟାଙ୍ଗିବା ଓ ବନ୍ୟା ଅଞ୍ଚଳରେ ଥିବା ବିଦ୍ୟାଳୟରେ ମକ ଡ୍ରିଲ୍‌ ବାଧ୍ୟତାମୂଳକ ହୋଇଛି। ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ/ଓଡ୍ରାଫ୍‌/ଅଗ୍ନିଶମ ଟିମ୍‌/ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ସାମିଲ କରି ସ୍କୁଲ କର୍ତୃପକ୍ଷମାନେ ମକ୍‌ ଡ୍ରିଲ୍‌ କରିପାରିବେ।

ସ୍କୁଲଗୁଡ଼ିକରେ ଫାଷ୍ଟଏଡ୍‌ ବକ୍ସ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱଚ୍ଛ ପାନୀୟ ଜଳ ରଖିବାକୁ ନିର୍ଦେଶ ଦିଆଯାଇଛି। ଏନ୍‌ଡିଏମ୍‌ଏ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍କୁଲସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପୂର୍ବରୁ ଦିଆଯାଇଥିବା ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ସ୍କୁଲ ପରିଚାଳନା କମିଟି (ଏସ୍‌ଏମ୍‌ସି)ଗୁଡ଼ିକ ଗାଇଡ୍‌ଲାଇନ୍‌ ଆଧାରରେ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବେ। ଯଦି ଆବଶ୍ୟକ ପଡ଼େ ତେବେ ଜିଲ୍ଲା ପ୍ରଶାସନ ଅଧିକ ପଦକ୍ଷେପ ନେବେ। ବିଆର୍‌ସିସି ଓ ସିଆର୍‌ସିସି ନିୟମିତ ଭାବେ ସ୍କୁଲଗୁଡ଼ିକର ମନିଟରିଂ କରିବେ। ସେମାନେ ଏସ୍‌ଏମ୍‌ସି/ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ହାତକୁ ନେଇ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ସରକାରୀ ସ୍କୁଲ ସମେତ ଅନୁଦାନପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟରେ ନିୟମ ପାଳନ କରିବାକୁ କୁହାଯାଇଛି।

ଏଥିସହ ନିର୍ଦେଶ ଦିଆଯାଇଛି ଯେ ଜିଲ୍ଲା, ବ୍ଲକ ଓ ସ୍କୁଲସ୍ତରରେ ସ୍କୁଲ ସୁରକ୍ଷା ଉପଦେଷ୍ଟା କମିଟି ଏବଂ ସୁରକ୍ଷା କମିଟି ଗଠନ କରାଯିବ। ଏଥିପାଇଁ ଜୁଲାଇ ୭ ଶେଷ ସମୟ ଧାର୍ଯ୍ୟ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଡିଆଇଇଟି ଅଧ୍ୟକ୍ଷମାନେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଏଥିସହ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସ୍କୁଲ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର