ସ୍ବତନ୍ତ୍ର ବିକାଶ ପରିଷଦ ଏସସି-ଏସଟି ବିଭାଗ ଅଧୀନକୁ ଆସିବ!

sc at depatment ଭୁବନେଶ୍ବର: ଆଦିବାସୀ ବହୁଳ ୯ଟି ଜିଲ୍ଲାରେ ଗଠନ ହୋଇଥିବା ସ୍ବତନ୍ତ୍ର ବିକାଶ ପରିଷଦଗୁଡ଼ିକୁ ଏଣିକି ଯୋଜନା ଓ ସଂଯୋଜନ ବିଭାଗରୁ କଢ଼ାଯାଇ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଅଧୀନକୁ ଅଣାଯିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ଫାଇଲ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଇଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଦିବାସୀଙ୍କ ବିକାଶ ପାଇଁ ଏସସି-ଏସଟି ବିଭାଗ ସବୁ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ସ୍ବତନ୍ତ୍ର ବିକାଶ ପରିଷଦ ଜରିଆରେ ସେମାନଙ୍କ ବିକାଶ ପାଇଁ ଆରମ୍ଭ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ସେହି ବିଭାଗ ଅଧୀନକୁ ଅଣାଗଲେ ବିକାଶ ପ୍ରକ୍ରିୟା ଅଧିକ ତ୍ବାରାନ୍ବିତ ହୋଇପାରିବ ବୋଲି ସରକାର ଚିନ୍ତା କରୁଛନ୍ତି।

ପ୍ରକାଶ ଥାଉକି, ରାଜ୍ୟରେ ୬୨ ପ୍ରକାର ଜନଜାତି ବାସ କରନ୍ତି। ଯେଉଁସବୁ ଜିଲ୍ଲାରେ ୫୦%ରୁ ଅଧିକ ଆଦିବାସୀ ଅଛନ୍ତି, ସେମାନଙ୍କ ଭାଷା,ଉପଭାଷା, ସଂସ୍କୃତି, ଆଦିବାସୀ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ୨୦୧୭ରେ ସରକାର ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ମାର୍ଚ୍ଚରେ ଓଡ଼ିଶାର ୯ଟି ଆଦିବାସୀ ବହୁଳ ଜିଲ୍ଲା ଯଥା, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଏସବୁ ଜିଲ୍ଲାରେ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତି ବିକାଶ ପରିଷଦ ବାବଦରେ ଦେଢ଼ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏସବୁ ବିକାଶ ପରିଷଦଗୁଡ଼ିକ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ପରିଚାଳିତ ହେଉଛନ୍ତି। ସ୍ବତନ୍ତ୍ର ବିକାଶ ପରିଷଦ ଜିଲ୍ଲାରେ ଥିବା ଆଦିବାସୀଙ୍କ କଳା ଓ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାକୁ ହାସଲ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର