ନାଉଗାଁ ପୀଡ଼ିତ‌ାଙ୍କ ପରିବାରକୁ ଭେଟିଲେ ଏସ୍‌ସି କମିସନ ଟିମ୍‌ : ପ୍ରଶାସନକୁ ପ୍ରଶଂସା, ପୁଲିସକୁ ନିନ୍ଦା, ଧମକ ଦେଇଥିବା ଆରଆଇ ନିଲମ୍ବିତ

ଜଗତସିଂହପୁର/ଗାରୋଇ : ଅଶ୍ଳୀଳ ଭିଡିଓ ଯୋଗୁଁ ଆତ୍ମହତ୍ୟା କରିଥିବା ନାଉଗାଁ ଥାନା ତେନ୍ତୋଇ ଗାଁର ସମ୍ପୃକ୍ତ ଯୁବତୀଙ୍କ ପରିବାରକୁ ଆଜି ଭେଟିଛନ୍ତି ଜାତୀୟ ଅନୁସୂଚିତ ଜାତି କମିସନ ସଦସ୍ୟ ଡକ୍ଟର ଯୋଗେନ୍ଦ୍ର ପାଶୱାନଙ୍କ ନେତୃତ୍ବରେ ଆସିଥିବା ଟିମ୍। ଦିଲ୍ଲୀରୁ ଆସିଥିବା ଏହି ଟିମ୍‌ ସଦସ୍ୟଙ୍କ ନିକଟରେ ମୃତ ଯୁବତୀଙ୍କ ମା’ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଡ. ପାଶୱାନ ସ୍ଥାନୀୟ ପୁଲିସର ଭୂମିକାକୁ ତୀବ୍ର ସମାଲୋଚନା କରିଛନ୍ତି। ପୁଲିସ ପୂର୍ବରୁ ପଦକ୍ଷେପ ନେଇଥିଲେ ଆଜି ଲକ୍ଷ୍ମୀପ୍ରିୟା ଜୀବିତ ଥାଆନ୍ତେ। ଏଣୁ ତୁରନ୍ତ ନାଉଗାଁ ଥାନା ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଭୁବନେଶ୍ବରରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ଆଜି କମିସନ ସଦସ୍ୟ ନାଉଗାଁରେ ପହଞ୍ଚିଲା ବେଳକୁ ସେଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ରଙ୍ଗରାଜ ଉପସ୍ଥିତ ଥିଲେ। ସଦସ୍ୟମାନେ ମୃତ ଯୁବତୀଙ୍କ ଘରେ ପାଖାପାଖି ଦେଢ ଘଣ୍ଟା କାଳ ରହି ପରିବାର ସଦସ୍ୟଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପୀଡ଼ିତାଙ୍କ ପରିବାର ସହ ଆଲୋଚନା ପରେ ଡକ୍ଟର ପାଶୱାନ ଯୁବତୀଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିବା ବେଳେ ପୁଲିସକୁ ତୀବ୍ର ସମାଲୋଚନା କରିଥିଲେ। ପୁଲିସ ଏହି ମାମଲାରେ ସମ୍ପୂର୍ଣ୍ଣ ଅବହେଳା କରିଛି ବୋଲି ସେ ଦୃଢ ଭାବେ କହିଥିଲେ। ପୁଲିସ୍‌ ଭୂମିକା ସଂପର୍କରେ ତଦନ୍ତ କରାଯାଇ ତୁରନ୍ତ ଏହି ଥାନା ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଭୁବନେଶ୍ବରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି ଡକ୍ଟର ପାଶୱାନ କହିଛନ୍ତି। କମିସନ ସଦସ୍ୟଙ୍କ ଗସ୍ତ ସମୟରେ ଦଳିତ ନେତା ଅଶୋକ ମଲିକ ଓ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ କଂଗ୍ରେସର ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ଆବାହକ ଦେବେନ୍ଦ୍ର ମଲିକ, ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜାନକୀ ମଲିକ ଓ ଜିଲ୍ଲା ସଭାପତି ସୁଚିତ୍ରା ବେହେରା ପ୍ର୍ରମୁଖ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ।

ଅନ୍ୟପଟେ ଦୀର୍ଘ ୪୦ ବର୍ଷ ହେଲା ଯେଉଁ ସରକାରୀ ଜାଗାରେ ଛୋଟ କୁଡ଼ିଆଟିଏ କରି ମୃତ ଯୁବତୀଙ୍କ ପରିବାର ରହି ଆସୁଥିଲେ, ସେହି ଜାଗାକୁ ଗତକାଲି ଡେରିକି ରାଜସ୍ବ ନିରୀକ୍ଷକ ସୁରେନ୍ଦ୍ର କୁମାର ନାୟକ ଯାଇ ତୁରନ୍ତ ସେ ଜାଗା ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ନଚେତ ମେସିନ ଆଣି ଘର ଭାଙ୍ଗି ଦେବୁ ବୋଲି କହିଥିବା ପୀଡ଼ିତାଙ୍କ ମା’ ଅଭିଯୋଗ କରିଥିଲେ। ଏ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଶ୍ରୀ ନାୟକଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ତଦନ୍ତ ନିେର୍ଦ୍ଦଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଶ୍ରୀ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ ଓ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିେର୍ଦ୍ଦଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର