ଏସ୍‌ସି ଓ ଏସ୍‌ଟି ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ୧୧ ଦଫା ଦାବିନେଇ ଗତ ଜାନୁଆରି ୨ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା ଏସ୍‌ସି ଓ ଏସ୍‌ଟି ଶିକ୍ଷକ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି। ତେବେ ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନୁସୂଚିତ ଜାତି ଓ ଜନଜାତି ଅଧୀନରେ ପରିଚାଳିତ ୧୬୦୦ ସ୍କୁଲର ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗ୍ରେଡ୍‌ ପେ ଦେବାରେ ଅସଂଗତି ଦୂର କରିବା, କ୍ୟାଡର୍‌ ରୁଲ୍‌ ପ୍ରଣୟନ କରିବା ଆଦି ୧୧ ଦଫା ଦାବି ନେଇ ଏନେଇ ଏକ ପ୍ରତିନିଧିଦଳ ଗତ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ଦାବି ପୂରଣ ନହେବାରୁ ସଂଘର କର୍ମକର୍ତ୍ତାମାନେ  ଗତ ୨ ତାରିଖରୁ ଧାରଣା ବସିରହିଥିଲେ। ଆଜି ସଂଘର ସଭାପତି ମୃତ୍ୟୁଞ୍ଜୟ ହାଲ୍‌ଦାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ। ତେବେ ଆସନ୍ତା ୨୫ ତାରିଖରେ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ  ସଂଘର ଏକ ପ୍ରତିନିଧିଦଳଙ୍କୁ ନେଇ ବୈଠକ ପରେ ଦାବିଗୁଡ଼ିକୁ ପୂରଣ କରାଯିବ ବୋଲି ବିଧାୟକ ଶ୍ରୀ ଦାସ ପ୍ରତିଶ୍ରୁତି ଦେବା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଥିବା ଶ୍ରୀ ହାଲ୍‌ଦାର କହିଛନ୍ତି।

ସମ୍ବନ୍ଧିତ ଖବର