ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅନିୟମିତତା : ନିର୍ଦ୍ଦେଶକଙ୍କୁ ଦୁଇ ଗୁଣ ଅଧିକ ଦରମା

୩ ବର୍ଷରେ ଗଲାଣି ୩୦ ଲକ୍ଷର ଅଧିକ ଟଙ୍କା

କଟକ : ଯେଉଁ ପଦବିରେ ୮୦ ହଜାର ଟଙ୍କା ମାସକୁ ଦରମା ଆକାରରେ ପ୍ରଦାନ କରାଯିବା କଥା, ସେଠି ଦିଆଯାଉଛି ୧ ଲକ୍ଷ ୬୫ ହଜାର ୫୭୮ ଟଙ୍କା। ବର୍ଦ୍ଧିତ ଦରମା ନିର୍ଦ୍ଧାରଣ ପାଇଁ ଯେଉଁ ନିୟମ ଆଧାରରେ ନିଷ୍ପତ୍ତି ନିଆଯିବା କଥା, ତାହା ହୋଇନାହିଁ। କିନ୍ତୁ ୩ ବର୍ଷ ହେଲା ନିର୍ଦ୍ଧାରିତ ହାର ଠାରୁ ଦୁଇ ଗୁଣ ଅଧିକ ଦରମା ଆକାରରେ ଦିଆଚାଲିଛି। ଏହି ପ୍ରକ୍ରିୟାରେ ୩୦ ଲକ୍ଷରୁ ଅଧିକ ଟଙ୍କା ଦରମା ବାବଦରେ ଦିଆ ସରିଥିବା ବେଳେ ଅର୍ଥ ବିଭାଗର ଆପତ୍ତି ପରେ ଏବେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ଏଭଳି ଅନିୟମିତତା ସାମନାକୁ ଆସିଛି କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଦିଆଯାଉଥିବା ଦରମା କ୍ଷେତ୍ରରେ। ଦରମା ନିର୍ଦ୍ଧାରଣ ପାଇଁ ରହିଥିବା ପ୍ରକ୍ରିୟା ପାଳନ ନ କରି କିଏ, କାହିଁକି ଏଭଳି ୩ ବର୍ଷ ହେଲା ବର୍ଦ୍ଧିତ ଦରମା ସରକାରୀ ତହବିଲରୁ ଦେଇ ଚାଲିଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ପଦ ପାଇଁ ଡିସେମ୍ବର ୨୦୧୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଇନ୍‌ସର୍ଭିସ ଆବେଦନକାରୀଙ୍କ ପାଇଁ ଦରମା ହାର ୩୭ ହଜାର ୪୦୦ ଟଙ୍କାରୁ ୬୯ହଜାର ଟଙ୍କା ନିର୍ଦ୍ଧାରିତ କରାଯିବା ସହିତ ୧୦ହଜାର ଟଙ୍କା ଗ୍ରେଡ ପେ’, ଡିଏ ଏବଂ ଅନ୍ୟାନ୍ୟ ଭତ୍ତା ପ୍ରଦାନର ସୂଚନା ଦିଆଯାଇଥିଲା। କିନ୍ତୁ ଚାକିରିରୁ ଅବସର ନେଇଥିବା ଆବେଦନକାରୀଙ୍କ ପାଇଁ ୮୦ ହଜାର ଟଙ୍କା (କନ୍‌ସୋଲିଟେଡ୍) ଦରମା ଆକାରରେ ଦିଆଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ସମୟରେ ଦରମା, ପେନସନ୍, ପ୍ରୋଭିଡେଣ୍ଟ ଫଣ୍ଡ ଯାହାକିଛି ଦିଆଯିବ ସେ ନେଇ ପରିଚାଳନା କମିଟିର ଅନୁମୋଦନ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଆଧାରରେ ଏଏଚ୍ଆରସିସିର ନିର୍ଦ୍ଦେଶକଭାବେ ସ୍ବାସ୍ଥ୍ୟବିଭାଗ ୨୦୧୫, ମେ’ ୧୩ (ପତ୍ରସଂଖ୍ୟା ୯୪୫୦) ରେ ୫ବର୍ଷ ପାଇଁ ରେଲୱେର ଚିଫ୍ ସ୍ପେଶାଲିଷ୍ଟ ସର୍ଜନ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀଙ୍କୁ ନିଯୁକ୍ତିପତ୍ର ଦେଲେ। ସେ‌େପ୍ଟମ୍ବର ୩, ୨୦୧୫ରେ କର୍କଟ କେନ୍ଦ୍ରର ନିର୍ଦ୍ଦେଶକଭ‌ାବେ ଡାକ୍ତର ଷଡଙ୍ଗୀ କାର୍ଯ୍ୟରେ ଯୋଗ ଦେଇଥିଲେ। କର୍କଟ କେନ୍ଦ୍ରର ନିର୍ଦ୍ଦେଶକଭାବେ ନିଯୁକ୍ତି ପତ୍ର ପାଇବା ପରେ ରେଲବାଇରୁ ସ୍ବେଚ୍ଛାକୃତ ଅବସରପାଇଁ ଆବେଦନ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ଷଡଙ୍ଗୀଙ୍କ ଦରମା ବାବଦକୁ ବେସିକ୍, ଗ୍ରେଡ୍‌ପେ, ଡ଼ିଏ ତଥା ଅନ୍ୟାନ୍ୟ ଭତ୍ତାକୁ ମିଶାଇ ୧ଲକ୍ଷ ୬୫ହଜାର ୫୭୮ ଟଙ୍କା ନିର୍ଦ୍ଧାରଣ କଲେ। କିନ୍ତୁ ସଚିବ ସ୍ତରରେ ଏହି ନିଷ୍ପତ୍ତି ନେଇ ନିଆଗଲା। ନିୟମ ଅନୁଯାୟୀ କର୍କଟ କେନ୍ଦ୍ର ପରିଚାଳନା କମିଟି ବୈଠକର ଅନୁମୋଦନ ନିଆଗଲା ନାହିଁ କି ନିଷ୍ପତ୍ତିରେ ପରିଚାଳନା କମିଟିର ସଭାପତି ରହୁଥିବା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦସ୍ତଖତ ରହିଲା ନାହିଁ। ନିୟମ ଅନୁଯାୟୀ ଡାକ୍ତର ଷଡ଼ଙ୍ଗୀ ଇନ-ସର୍ଭିସ୍ ଆବେଦନକାରୀ ନୁହନ୍ତି। ତାଙ୍କର ଯୋଗ୍ୟତା ଆଧାରରେ ଯଦି ଦରମା ଧାର୍ଯ୍ୟ କରାଗଲା, ତେବେ ତାହା ପରିଚାଳନା କମିଟିର ସ୍ବୀକୃତି ଲାଭ କରିବା କଥା। କିନ୍ତୁ ତାହା ବି କରାଗଲା ନାହିଁ। ଅର୍ଥ ବିଭାଗର ଆପତ୍ତି ପରେ ଏବେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଅନ୍ୟପଟେ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଷଡଙ୍ଗୀ କହିଛନ୍ତି ଯେ ସେ ଏ ପ୍ରସଙ୍ଗରେ କୌଣସି ବିବାଦ ଅଥବା ଅନିୟମିତତା ସଂପର୍କରେ ଜାଣନ୍ତି ନାହିଁ। ତାଙ୍କୁ କେହି କିଛି ସୂଚନା ଦେଇ ନାହାନ୍ତି କି ଏ ସଂପର୍କରେ ଜାଣିବା ପାଇଁ ତାଙ୍କର ଆଗ୍ରହ ନାହିଁ।

ସମ୍ବନ୍ଧିତ ଖବର