ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆର୍ଥିକ ଅନିୟମିତତା ପ୍ରସଙ୍ଗ : ସରିଲା ଡେଡ୍‌ ଲାଇନ୍, ତଦନ୍ତରେ ଶିଥିଳତା!

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତାର ତଦନ୍ତଭାର ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍‌ଙ୍କୁ ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଓ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ଅଭିଯୋଗ ଦସ୍ତାବିଜ ଅନୁସାରେ ଆର୍‌ଡିସି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉତ୍ତର ମାଗିଥିଲେ। ବିଶ୍ବବିଦ୍ୟାଳୟ ତରଫରୁ ମଧ୍ୟ ଆର୍‌ଡିସିଙ୍କ ନିକଟରେ ଗତମାସ ଦ୍ବିତୀୟ ସପ୍ତାହରେ ବିତ୍ତ ବିଭାଗର ବିଭିନ୍ନ ଫାଇଲ୍‌ ଓ ନଥିପତ୍ର ଦାଖଲ କରାଯାଇଛି। କିନ୍ତୁ ବିଶ୍ବବିଦ୍ୟାଳୟ ତରଫରୁ ବିଭିନ୍ନ ଆଳ ଦେଖାଇ ସଠିକ୍ ତଥ୍ୟ ଦାଖଲ କରାଯାଉ ନଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଲାଣି। ଫଳସ୍ବରୂପ ତଦନ୍ତ ପ୍ରକ୍ରିୟା ଶିଥିଳ ପଡ଼ି ଯାଇଥିବା ନେଇ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ସେପଟେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଦିଆଯାଇଥିବା ଡେଡ୍‌ ଲାଇନ୍ ସମାପ୍ତ ହୋଇଛି। ଆର୍ଥିକ ଅନିୟମିତତା ତଦନ୍ତ ନିର୍ଦ୍ଦେଶକୁ ଆର୍‌ଡିସି ଅତ୍ୟନ୍ତ ଗୁରୁତ୍ବର ସହ ନେଇ ବିଭିନ୍ନ ପ୍ରକାର ହିସାବ ଖର୍ଚ୍ଚର ରିପୋର୍ଟ ମଗାଇଛନ୍ତି। କିନ୍ତୁ କେତେକ ତଥ୍ୟ ବିଶ୍ବବିଦ୍ୟାଳୟ ତରଫରୁ ଲୁଚାଇବା ପାଇଁ ଉଦ୍ୟମ କରାଯାଉଥିବାରୁ ତଦନ୍ତର ନିଷ୍କର୍ସ ବାହାରିପାରୁ ନଥିବା ଜଣାପଡ଼ିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଭବିଷ୍ୟତକୁ ନଜରରେ ରଖି ପ୍ରତ୍ୟେକ ଦିଗକୁ ତନଖି କରି ସତ୍ୟାସତ୍ୟ ବାହାର କରିବା ଦିଗରେ ଆର୍‌ଡିସି ଉଦ୍ୟମ କରନ୍ତୁ ବୋଲି ଶିକ୍ଷାବିତ ମହଲରେ ଦାବି ହୋଇଛି।

ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳସଚିବ ରଂଜନ କୁମାର ବିଶ୍ବାଳ କହନ୍ତି, ଆର୍‌ଡିସି ତାଙ୍କର ତଦନ୍ତ ଜାରି ରଖିଛନ୍ତି। ସେ ଯାହା ଫାଇଲ୍ ଓ ନଥିପତ୍ର ମଗାଇଥିଲେ ତାହା ତାଙ୍କ ନିକଟରେ ଦାଖଲ କରାଯାଉଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବର୍ତ୍ତମାନର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ସମୟରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ଛାତ୍ର ସ˚ସଦ ସଭାପତି ଗତବର୍ଷ ଜାନୁଆରି ମାସରେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର