କାନ୍ଥ, ଟାଇଲରେ ରଙ୍ଗ ମାରି ଇନ୍‌ଫୋସିସ୍‌ ଟଙ୍କା ଚଳୁ

କ୍ୟାପିଟାଲ ହସ୍ପିଟାଲ ଶିଶୁ ଓ୍ଵାର୍ଡରେ କେଳେଙ୍କାରୀ

ଅଦୃଶ୍ୟ ଚାପରେ କର୍ତ୍ତୃପକ୍ଷ ପ୍ରତିବାଦ ବି କରୁନାହାନ୍ତି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। କିଛିଦିନ ପୂର୍ବରୁ ହସ୍ପିଟାଲରେ ଔଷଧ କିଣାରେ କେଳେଙ୍କାରୀ ହୋଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ଇନ୍‌ଫୋସିସ୍‌ ଶିଶୁ ଓ୍ଵାର୍ଡରୁ ଅନିୟମିତତାର ଗନ୍ଧ ବାହାରିଲାଣି। ଏମିତି ଯେ ହସ୍ପିଟାଲ କର୍ତୃପକ୍ଷ ଏହି ନବୀକରଣ କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲେ ହେଁ, ଅଦୃଶ୍ୟ ଚାପରେ ଓ୍ଵାର୍ଡ ହସ୍ତାନ୍ତର କାଗଜରେ ଦସ୍ତଖତ କରିଥିବା କୁହାଯାଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।

କ୍ୟାପିଟାଲ ହସ୍ପିଟାଲର ଶିଶୁ ଓ୍ଵାର୍ଡ ୨୦୦୩ ମସିହା ମାର୍ଚ ୧୫ତାରିଖରେ ଉଦ୍‌ଘାଟିତ ହୋଇଥିଲା। ଇନ୍‌ଫୋସିସ୍‌ ପକ୍ଷରୁ ଏହି ଓ୍ଵାର୍ଡକୁ ନିର୍ମାଣ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏହାର ଉଦ୍‌ଘାଟନ କରିଥିଲେ। ସେବେଠାରୁ ହସ୍ପିଟାଲରେ ଶିଶୁ ଓ୍ଵାର୍ଡ ଚାଲି ଆସୁଛି। ଗତବର୍ଷ ଇନ୍‌ଫୋସିସ୍‌ ପକ୍ଷରୁ ଏହାର ନବୀକରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଇନ୍‌ଫୋସିସ୍‌ର ଅଧିକାରୀ କ୍ୟାପିଟାଲ ହସ୍ପିଟାଲକୁ ଆସି କ’ଣ କ’ଣ ନବୀକରଣ କରାଯିବ ତାହାର ତଥ୍ୟ ସଂଗ୍ରହ କରିଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କ ସହାୟତାରେ ଏଥିପାଇଁ ଏକ କାର୍ଯ୍ୟାଦେଶ ପ୍ରସ୍ତୁତ କରାଯାଇଥିଲା। ଦେଢ଼ କୋଟି ଟଙ୍କାର ଏକ ବ୍ୟୟ ଅଟକଳ କରାଯାଇଥିଲା। ପରବର୍ତୀ ସମୟରେ ଆହୁରି ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାତ୍ର ଶିଶୁ ଓ୍ଵାର୍ଡରେ ଯେତିକି ଅଞ୍ଚଳ ନବୀକରଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ତାହାର ୪ଭାଗରୁ ଭାଗେ ମଧ୍ୟ କାମ ହୋଇ ନ ଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଶିଶୁ ଓ୍ଵାର୍ଡରେ ଏସ୍‌ଏନ୍‌ସିୟୁ ଓ ପିକୁକୁ ବାଦ୍‌ ଦେଲେ ଅନ୍ୟ ସ୍ଥାନରେ ନବୀକରଣ କରାଯିବାକୁ ପ୍ରସ୍ତାବ ରହିଥିଲା। କାର୍ଯ୍ୟାଦେଶରେ ଶିଶୁ ଓ୍ଵାର୍ଡର ତଳ ଚଟାଣର ଟାଇଲ ବଦଳାଯିବା, କାନ୍ଥ ଛଡ଼ାଯାଇ ପ୍ଲାଷ୍ଟର, ଓ୍ଵାର୍ଡରେ ଥିବା ଭଙ୍ଗା ଗେଟ୍‌କୁ ବଦଳାଯାଇ ଗ୍ରିଲ ଲଗାଇବା, ପୁରୁଣା େଓ୍ଵୟାରିଂ ବଦଳାଯାଇ ନୂଆ େଓ୍ଵୟାରିଂ ପାଇଁ ପ୍ରସ୍ତାବ ରହିଥିଲା। ସେହିପରି ଶିଶୁ ଓ୍ଵାର୍ଡର ବହିର୍ବିଭାଗର ଗୃହର ନବୀକରଣ, ଓ୍ଵାର୍ଡରେ ଥିବା କାଚ ଝରକାକୁ ବଦଳାଯାଇ ନୂତନ କାଚ ଲଗାଯିବା, ଡାକ୍ତର ଓ ଷ୍ଟାଫ ନର୍ସ ବସୁଥିବା ସ୍ଥାନରେ ଏ.ସି ଲଗାଯିବାକୁ ମଧ୍ୟ ପ୍ରସ୍ତାବ ରହିଥିଲା। ଓ୍ଵାର୍ଡରେ ସମୁଦାୟ ୨୦ଟି ଏ.ସି ଲଗାଇବାକୁ ପ୍ରସ୍ତାବ ରଖିଥିଲେ ହସ୍ପିଟାଲ କର୍ତୃପକ୍ଷ। ଏହାସହ ଶିଶୁ ଓ୍ଵାର୍ଡ ସମ୍ମୁଖରେ ପିଲାଙ୍କ ପାଇଁ ଥିବା ପାର୍କରେ ମଧ୍ୟ ନବୀକରଣ ଓ ଭାଙ୍ଗି ଯାଇଥିବା ଶଯ୍ୟା ବଦଳରେ ନୂତନ ଶଯ୍ୟା ପାଇଁ ଏଥିରେ ପ୍ରସ୍ତାବ ରହିଥିଲା। ଗତବର୍ଷ ଅଗଷ୍ଟ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶିଶୁ ଓ୍ଵାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ନବୀକରଣ କାର୍ଯ୍ୟ ହୋଇଥିଲା।

ମାତ୍ର ଶିଶୁ ଓ୍ଵାର୍ଡରେ ନବୀକରଣ କାର୍ଯ୍ୟରେ କୌଣସି ଆଖିଦୃଶିଆା ପରିବର୍ତନ ଦେଖିବାକୁ ମିଳିନାହିଁ। ନବୀକରଣରେ ଓ୍ଵାର୍ଡର ପ୍ରବେଶ ସମୟରେ ଯେଉଁ ସିଲିଂ କରାଯାଇଛି, ତାହାର ମାନ ନେଇ ପ୍ରଶ୍ନ ଉଠିଛି। କେତେକ ସ୍ଥାନରେ ଏଲ୍‌ଇଡି ବଲ୍‌ବ ଲଗାଯାଇଥିବା ବେଳେ ମାତ୍ର ୮ଟି ନୂତନ ପଙ୍ଖା ଲଗାଯାଇଛି। କୌଣସି ସ୍ଥାନରେ ଏ.ସି ଲଗାଯାଇନାହିଁ। ପୁରୁଣା ଟାଇଲ ଓ ମୋଜାଇକ ବଦଳାଇବା ପରିବର୍ତେ କେବଳ ସଫା କରି ରଙ୍ଗ ମରାଯାଇଛି। ଏବେ ସେସବୁ ଛାଡିବା ଆରମ୍ଭ କଲାଣି। ଭଙ୍ଗା କବାଟ ବଦଳରେ ନୂତନ କବାଟ ଲଗାଇବାକୁ ପ୍ରସ୍ତାବ ଥିଲେ ହେଁ ଗୋଟିଏ ହେଲେ କବାଟ ପରିବର୍ତ୍ତର୍ନ କରାଯାଇନାହିଁ। ପାଣି ଗଳୁଥିବା ଛାତରେ କେବଳ ଟାରଫେଲ ଲଗାଯାଇଛି।

ସେହିପରି ସୁଇଚ୍‌ ବୋର୍ଡ ଓ େଓ୍ଵୟାରିଂ ପୂର୍ବରୁ ଯାହା ଥିଲା ସେୟା ରହିଛି। ଓ୍ଵାର୍ଡ ସମ୍ମୁଖରେ ପିଲାଙ୍କ ଖେଳିବା ପାଇଁ ଯେଉଁ ପାର୍କ ରହିଛି ସେଥିରେ ମଧ୍ୟ ଉଲ୍ଲେଖନୀୟ ଭାବେ କିଛି ପରିବର୍ତ୍ତର୍ନ ହୋଇନାହିଁ। କେବଳ ଟାଇଲ ବଦଳାଇବା ସହିତ ଓ ଦୋଳି ଲଗାଇ ଦେଇଛି ଠିକା ସଂସ୍ଥା। ଫୁଲ ଗଛଟିଏ ମଧ୍ୟ ଏଥିରେ ନାହିଁ। ହସ୍ପିଟାଲ କର୍ତୃପକ୍ଷ ଏଭଳି ନବୀକରଣ କାର୍ଯ୍ୟରେ ଭୀଷଣ ବିରକ୍ତ ହୋଇଥିଲେ ହେଁ, ଚୁପ୍‌ ରହିଛନ୍ତି। ବାରମ୍ବାର ଭଙ୍ଗା କବାଟ ବଦଳାଇବା ପାଇଁ ଠିକାଦାରଙ୍କୁ କହିଥିଲେ ହେଁ ସଂସ୍ଥା ଏ ପର୍ଯ୍ୟନ୍ତ ଲଗାଇ ନାହିଁ। ନିକଟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲକୁ ୧୦୦ଟି ଶଯ୍ୟା ପ୍ରଦାନ କରାଯାଇଥିଲା। ନବୀକରଣ ସମୟରେ ଭଙ୍ଗା ଶଯ୍ୟା ବଦଳରେ ନୂତନ ଶଯ୍ୟା ପାଇଁ ପ୍ରସ୍ତାବ ରହିଥିବା ବେଳେ ଏସ୍‌ବିଆଇ ପକ୍ଷରୁ ଦିଆଯାଇଥିବା ଶଯ୍ୟାର ସୁଯୋଗ ନେଇ ଠିକା ସଂସ୍ଥା ନୂତନ ଶଯ୍ୟାର ବ୍ୟବସ୍ଥା କରି ନ ଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍‌ଫୋସିସ୍‌ ଶିଶୁ ଓ୍ଵାର୍ଡରେ ଇନଫୋସିସ୍‌ ଅର୍ଥରେ ନବୀକରଣ କରାଯାଇଛି। ହସ୍ପିଟାଲ କର୍ତୃପକ୍ଷଙ୍କର ଏଥିରେ କୌଣସି କର୍ତୃତ୍ୱ ନାହିଁ। ନବୀକରଣ କରିବା ପୂର୍ବରୁ ଇନ୍‌ଫୋସିସ୍‌ ଅଧିକାରୀ ଆସି କ’ଣ କ’ଣ ନବୀକରଣ କରାଯିବ ତାହାର ପ୍ରସ୍ତାବ ମାଗିଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଏହାର ପ୍ରସ୍ତାବ ଦିଆଯାଇଥିଲା। ୨ମାସ ପାଇଁ ଶିଶୁ ଓ୍ଵାର୍ଡରେ ନବୀକରଣ ହୋଇଥିଲା। ମାତ୍ର ଦିଆଯାଇଥିବା ଅଧିକାଂଶ ପ୍ରସ୍ତାବ ମଧ୍ୟରୁ ଅନେକକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଇନାହିଁ। କିଛି ଏ.ସି ଲଗାଇବାକୁ ଠିକା ସଂସ୍ଥା କହିଥିଲେ ହେଁ ଏ ପର୍ଯ୍ୟନ୍ତ ଲଗାଇ ନାହିଁ। ସରକାରୀ ଅର୍ଥରେ ହୋଇ ନ ଥିବାରୁ ସଂସ୍ଥା ଉପରେ ଅଧିକ ଚାପ ପକାଇବା ସମ୍ଭବ ହୋଇପାରି ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର