ଏମ୍‌ଆଇ ଡିଭିଜନରେ କେଳେଙ୍କାରୀ : ମରାମତି ନାମରେ କୋଟିକୋଟି ଟଙ୍କା ହଡ଼ପ

ଯାଜପୁରରୋଡ୍ : ମାଳ ମାଳ ଯୋଜନା ହେଉଛି କିନ୍ତୁ ଚାଷୀଙ୍କ ଜମିକୁ ପାଣି ମାଡୁନି। ଯୋଜନାର ସୁଫଳ ଚାଷୀଙ୍କୁ ମିଳିବା ବଦଳରେ ଅସାଧୁ ମେଣ୍ଟ ପକେଟ ଗରମ କରୁଛନ୍ତି। ଯାଜପୁର ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗର ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସିଛି। ଆଡ଼ିବନ୍ଧ ମରାମତି ଆଳରେ କୋଟି କୋଟି ଟଙ୍କା ମାରି ନେଇଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନରେ ଗତ ୫ ବର୍ଷରେ ୮୫.୯୬କୋଟି ରୁ ଅଧିକ ଟଙ୍କା ଖର୍ଚ ହୋଇଛି। ସରକାରୀ ତଥ୍ୟ ମୁତାବକ ପ୍ରତି ବର୍ଷ ଜଳସେଚିତ ଜମିର ପରିମାଣ ବୃଦ୍ଧି ପାଉଥିବାବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ। ପୁରୁଣା ଆଡ଼ିବନ୍ଧରେ ସିମେଣ୍ଟ ବୋଳି ଅସାଧୁମେଣ୍ଟ ସରକାରୀ ଅନୁଦାନକୁ ହଡ଼ପ କରିଚାଲିଛନ୍ତି। ‌କେ‌ତେକ ପୁରୁଣା ଆଡିବନ୍ଧ ବଣଜଙ୍ଗଲରେ ପରିଣତ ହୋଇଗଲାଣି। କେତେକ ନିର୍ଦ୍ଦିଷ୍ଟ ଆଡ଼ିବନ୍ଧର ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ବିଲ କରାଯାଉଛି। ଅଥଚ ଯେଉଁ ଉଦ୍ଦେଶ୍ୟରେ ଆଡ଼ିବନ୍ଧ କରାଯାଇଛି, ତାହା କାଣିଚାଏ ବି ଚାଷୀଙ୍କ କାମରେ ଆସୁନି। ଚାଷ ଜମିକୁ ଟୋପାଏ ହେଲେ ପାଣି ଯାଇ ପାରୁନାହିଁ।

ଗତ ୫ ବର୍ଷ ମଧ୍ୟରେ ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନରେ ୮୪୮ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହିସବୁ ପ୍ରକଳ୍ପ ମଧ୍ୟରୁ ନୂତନ ଭାବେ ମାତ୍ର ୧୮୦ ପ୍ରକଳ୍ପ କରାଯାଇଥିବା ବେଳେ ୬୬୮ଟି ପୁରୁଣା ପ୍ରକଳ୍ପକୁ ର’ ଠ’ ମରାମତି କରାଯାଇଛି। ୨୦୧୮-୧୯ରେ ମୋଟ ୧୪୬ ପ୍ରକଳ୍ପ ମଧ୍ୟରୁ ୧୩୦ଟି ପୁରୁଣା ପ୍ରକଳ୍ପକୁ ମରାମତି କରାଯାଇଛି। ସେହିପରି ୨୦୧୭-୧୮ ବର୍ଷରେ ୧୯୪ଟି ପ୍ରକଳ୍ପରୁ ୧୫୦ଟି ପୁରୁଣା, ୨୦୧୬-୧୭ ବର୍ଷରେ ୧୯୫ରୁ ୧୧୮ ପୁରୁଣା, ୨୦୧୫-୧୬ରେ ୧୫୬ରୁ ୧୨୯ ଏବଂ ୨୦୧୪-୧୫ ବର୍ଷରେ ୧୫୭ ପ୍ରକଳ୍ପ ମଧ୍ୟରୁ ୧୪୧ଟି ପୁରୁଣା ପ୍ରକଳ୍ପ ମରାମତି କରାଯାଇଛି। ପୁରୁଣା ପ୍ରକଳ୍ପକୁ ମରାମତିରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ସତ୍ତ୍ବେ ଅନେକ ପ୍ରକଳ୍ପ ବଣଜଙ୍ଗଲରେ ପରିଣତ ହୋଇଛି। ନମୁନା ସ୍ବରୂପ ଯାଜପୁର ଡିଭିଜନ୍ ଅଧୀନ ବଡ଼ଚଣା ସବଡିଭିଜନ୍ ଅଧୀନ କୋଲଣଗିରି ପଞ୍ଚାୟତର ପୂର୍ବରୁ ଥିବା ୨ଟି ଆଡ଼ିବନ୍ଧର ମରାମତି ନାମରେ ୨୦୧୬-୧୭ ଆର୍ଥିକ ବର୍ଷରେ ୧ଲକ୍ଷ ୭୪ହଜାର ୯୬୨ଟଙ୍କା ଓ ୯୩ହଜାର ୯୪୪ଟଙ୍କା ଖର୍ଚ୍ଚ ହୋଇଥିଲା।

୨୦୧୭-୧୮ରେ ୨ଲକ୍ଷ ୨୮ହଜାର ୫୧୬ ଓ ୨ଲକ୍ଷ ୩୧ହଜାର ୧୨ଟଙ୍କା ମରାମାତି ବାବଦକୁ ବ୍ୟୟ କରାଯାଇଛି। ସେହିପରି ଏହି ସବଡିଭିଜନରେ ଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ ନାଣ୍ଡୁଆଝର ଓ କଳାକଳା ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କା ବାରମ୍ବାର ଖର୍ଚ୍ଚ କରାଯାଇ ମରାମତି କରାଯାଇଥିବା ଦର୍ଶାଯାଇଛି।

ନାଣ୍ଡୁଆଝର ପ୍ରକଳ୍ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ନିର୍ମାଣ ନାମରେ ୧କୋଟି ୪୦ଲକ୍ଷ ୧୯ହଜାର ୮୦୦ ଟଙ୍କା ବ୍ୟୟ କରାଯାଉଛି। ଏହି ପ୍ରକଳ୍ପରୁ ଖରିଫରେ ୧୨୭ ହେକ୍ଟର ଓ ରବିରେ ୨୪ହେକ୍ଟର ଜଳସେଚନ ହେବାର ଲକ୍ଷ୍ୟ ରଖାଯାଇ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରେ ପୂର୍ବରୁ ହୋଇଥିବା ଆଡ଼ିବନ୍ଧରୁ ସିମେଣ୍ଟ ଛଡ଼ାଇ ନୂଆ ପ୍ଲାଷ୍ଟର କରାଯାଇଛି। ପୁରୁଣା ମାଟି ବନ୍ଧରେ ନୂଆ ମାଟି ଛିଞ୍ଚା ଚାଲିଛି। ଏହି ପ୍ରକଳ୍ପରେ ୨୦୧୭-୧୮ରେ ୧ଲକ୍ଷ ୩୬ହଜାର ୯୪୬ଟଙ୍କା ବ୍ୟୟ ହୋଇଥିଲା। ୨୦୧୬-୧୭ରେ ମରାମତି ନାମରେ ୨ଲକ୍ଷ ୧୦ହଜାର ୮୩୬ଟଙ୍କା ଚଳୁ ହୋଇଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର