ଉଦ୍ୟାନ ବିଭାଗ କୋଟି କୋଟିର କେଳେଙ୍କାରୀ : ଲୋକାୟୁକ୍ତ ପଞ୍ଝାରେ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ, ୨୩ ସୁଦ୍ଧା ଉତ୍ତର ରଖିବାକୁ ନୋଟିସ

ଭୁବନେଶ୍ବର : ଲୋକଙ୍କ ପାଖରେ ପ୍ରଶାସନକୁ ଉତ୍ତରଦାୟୀ କରିବା ସହିତ ସ୍ବଚ୍ଛ ଶାସନ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ‘ଟି’ର ମନ୍ତ୍ର ଦେଲେ। କିନ୍ତୁ ଏହାକୁ ତଳସ୍ତରରେ ଥିବା ଅଧିକାରୀ ଫୁ’ କରିଦେଉଛନ୍ତି। ରାଜ୍ୟ ଉଦ୍ୟାନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଦାୟର ହୋଇଥିବା ପିଟିସନ ଦର୍ଶାଉଛି ସରକାରଙ୍କ ସବୁ ନୀତିନିୟମକୁ ମୋଡ଼ିମାଡ଼ି ଦୁର୍ନୀତିଗ୍ରସ୍ତ ଅଧିକାରୀ କିପରି ପଦୋନ୍ନତି ପାଇବାରେ ସଫଳ ହୋଇଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଶ୍ରୀ ଦାସଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଉଦ୍ୟାନ ବିଭାଗର ଏହି ଅଧିକାରୀ ଜଣଙ୍କ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି। ଚାକିରିରେ ଥିବାବେଳେ ତାଙ୍କ ବିରୋଧରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିଲା। ଗତ ମେ ୩୧ ତାରିଖରେ ସେ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ଅବସର ନେଇସାରିଛନ୍ତି।

ଭୁବନେଶ୍ବର ନୂଆପଲ୍ଲୀର ସନ୍ଦୀପ କୁମାର ଜେନା ନାମକ ଜଣେ ବ୍ୟକ୍ତି ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଦାୟର କରିଥିବା ଅଭିଯୋଗ ଅନୁଯାୟୀ, ୧୯୮୬ ମସିହାରେ କନିଷ୍ଠ କୃଷି ଅଧିକାରୀ (କ୍ଲାସ୍-୩) ଭାବେ ରମେଶ ଚନ୍ଦ୍ର ଦାସ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେବେଠାରୁ ଅବସର ନେବା ପର୍ଯ୍ୟନ୍ତ ଅର୍ଥାତ୍ ୩୩ ବର୍ଷ ଭିତରେ ସେ ତାଙ୍କର ସମ୍ପତ୍ତି ତାଲିକା ସରକାରଙ୍କ ପାଖରେ ଦାଖଲ କରିନାହାନ୍ତି। ଶ୍ରୀ ଦାସଙ୍କ ଦୁର୍ନୀତିର ତାଲିକା ଖୁବ୍‌ ଲମ୍ବା। ତଥାପି ସେ ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ପ୍ରଭାବିତ କରି ପଦୋନ୍ନତି ପାଇବାରେ ସଫଳ ହୋଇଥିଲେ। ସବୁ ଅଭିଯୋଗ ଥାଇ ବି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଜଣଙ୍କ ଉପରିସ୍ଥ ଉଚ୍ଚ ଅଧିକାରୀଙ୍କୁ ପ୍ରଭାବିତ କରି କ୍ଲାସ-୩ ଅଧିକାରୀରୁ ୬ ଥର ପଦୋନ୍ନତି ପାଇ ସୁପିରିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡରେ ପହଞ୍ଚିବାରେ ସଫଳ ହୋଇଥିଲେ। କେନ୍ଦୁଝରରେ ବାୟୋ ଫର୍ଟିଲାଇଜର କିଣାରେ ୧୬ ଲକ୍ଷ ୫୪ ହଜାର ୮୬୪ ଟଙ୍କାର ପିସି କାରବାର ହୋଇଥିବା ଅଭିଯୋଗ ଉପରେ ସ୍ବତନ୍ତ୍ର ଅଡିଟ ଟିମ୍‌କୁ କିପରି ଶ୍ରୀ ଦାସ ନିଜ ସପକ୍ଷରେ ପ୍ରଭାବିତ କରିଥିଲେ ତାର ବିସ୍ତୃତ ବିବରଣୀ ପିଟିସନରେ ଉଲ୍ଲେଖ କରାଯାଇଛି। ଏହି ଘଟଣାରେ ସ୍ବତନ୍ତ୍ର ଅଡିଟ ଅଧିକାରୀଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କ ଝିଅ ବାହାଘରକୁ ୩ ଲକ୍ଷ ଟଙ୍କା ନଗଦ ଉପହାର ଶ୍ରୀ ଦାସ ପ୍ରଦାନ କରିଥିବା ଅଭିଯୋଗ ହୋଇଛି।

ଶ୍ରୀ ଜେନା ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଉଦ୍ୟାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଥିବାବେଳେ ଶ୍ରୀ ଦାସ ଯାଜପୁର, କଟକ, ତିର୍ତ୍ତୋଲ ଏବଂ କେନ୍ଦ୍ରାପଡ଼ା ସମେତ ରାଜ୍ୟର ସବୁ ଜିଲ୍ଲାରେ ଆର୍ଥିକ ଅନିୟମିତତା ପାଇଁ ଅଡିଟ ବିଭାଗ ଦ୍ବାରା ଦୋଷୀ ଅଧିକାରୀମାନଙ୍କଠୁ ୧୨ରୁ ୧୫ କୋଟି ଟଙ୍କା ସରକାରୀ ଖାତାକୁ ଫେରସ୍ତ କରିବା ପାଇଁ କରାଯାଇଥିବା ସୁପାରିସକୁ କାର୍ଯ୍ୟକାରୀ କରିନାହାନ୍ତି। ଏପରିକି ସେସବୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କଠାରୁ ଶ୍ରୀ ଦାସ ବ୍ୟକ୍ତିଗତ ଭାବେ ଲାଞ୍ଚ ନେଇ ସରକାରଙ୍କୁ ଚୁନ ଲଗାଇଛନ୍ତି। ଜିଲ୍ଲାସ୍ତରରେ ଅର୍ଗାନିକ୍ ଫର୍ଟିଲାଇଜର ସମେତ ଅନ୍ୟାନ୍ୟ କୃଷି ଭିତ୍ତିକ ଜନିଷ କିଣିବାକୁ ୨୦୧୨ ମସିହାରେ ରାଜ୍ୟ ଅର୍ଥ ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲା। କିନ୍ତୁ ଅର୍ଥ ବିଭାଗ ନିର୍ଦ୍ଦେଶାବଳୀକୁ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନ ପଠାଇ ଚଞ୍ଚକତାପୂର୍ଣ୍ଣ ଭାବେ ପଠାଯାଇଥିବା ନେଇ ସରକାରୀ ଖାତାରେ ଶ୍ରୀ ଦାସ ଦେଖାଇଥିଲେ। ଅଭିଯୋଗ ଅନୁଯାୟୀ ଶ୍ରୀ ଦାସ ୨୪ ପ୍ରକାର ଅର୍ଗାନିକ ଫର୍ଟିଲାଇଜର କିଣା ବାବଦରେ ସରକାର କୁଇଣ୍ଟାଲ ପିଛା ୭୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଶ୍ରୀ ଦାସ ଓସିସିଏଫର ବିଭିନ୍ନ ଶାଖା ପାଇଁ ଅଣସ୍ବୀକୃତି ପ୍ରାପ୍ତ କମ୍ପାନିଙ୍କଠାରୁ ଉତ୍କୋଚ ନେଇ କୁଇଣ୍ଟାଲ ପିଛା ୧୨୦୦ ଓ ୪୨୦୦ ଟଙ୍କାରେ କିଣିଥିଲେ। ଏଥିପାଇଁ ଦଲାଲ ଓ କ୍ଷେତ୍ରୀୟ ଅଧିକାରୀମାନଙ୍କଠାରୁ ଶ୍ରୀ ଦାସ ଓ ତାଙ୍କ ସହଯୋଗୀ ନିୟମିତ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ସେ ସପ୍ତଶଯ୍ୟା ଫାର୍ମ ଦୁର୍ନୀତିରେ ନିଜେ ତଦନ୍ତକାରୀ ଅଧିକାରୀ ଥାଇ ବି ସବୁ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ଆର୍ଥିକ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଓସିସିଏଫ୍‌ ଦୁର୍ନୀତି ନେଇ ୨୦୧୮ ଜାନୁଆରି ୬ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ‘ଚାରିଆଡ଼େ କୋଟି କୋଟିର ଅନିୟମିତତା, ତ୍ରିକୋଣୀୟ ଦୁର୍ନୀତିରେ ଓସିସିଏଫ ଦଲାଲ’ଶୀର୍ଷକ ଖବରକୁ ମଧ୍ୟ ଲୋକାୟୁକ୍ତଙ୍କ ପାଖରେ ଦାୟର ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି। ଏବେ ଓଡ଼ିଶା ଲୋକାୟୁକ୍ତ ଶ୍ରୀ ଦାସଙ୍କ ବିରୋଧରେ ଥିବା ଲମ୍ବା ଦୁର୍ନୀତି ତାଲିକା ଉପରେ କଣ ବିଚାର କରୁଛନ୍ତି ତାକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର