ଉଠାଜଳସେଚନ ପ୍ରକଳ୍ପରେ ଦୁର୍ନୀତି : ସଚିବଙ୍କ ତାଗିଦ୍‌ ପରେ ତନାଘନା

ଯାଜପୁର/ବାଲିକୁଦା : ଯାଜପୁରରୋଡ଼ରେ ଥିବା ଉଠାଜଳସେଚନ ଡିଭିଜନ୍ ଦୁର୍ନୀତିର ମହାକୁମ୍ଭରେ ପରିଣତ ହୋଇଛି। ଜିଲ୍ଲାର ମୋଟ ୬୮ ହଜାର ୭୪୮ହେକ୍ଟର ଜଳସେଚିତ ଜମିରୁ ୩୪ ହଜାର ୩୮୯ହେକ୍ଟର ଜମି ଏହି ଡିଭିଜନ୍ ଦ୍ବାରା ଜଳସେଚିତ ହେଉଥିବା କାଗଜପତ୍ରରେ ଦର୍ଶାଯାଇଛି। ହେଲେ, ଅ‌ନେକ ପ୍ରକଳ୍ପ ଅଚଳ ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ଚାଷୀ ଏବେ ଚିନ୍ତାଗ୍ରସ୍ତ। ତେବେ, ସଚିବଙ୍କ ତାଗିଦ୍‌ ପରେ ପ୍ରଶାସନର ନିଦ ଭାଙ୍ଗିଛି ଏବଂ ଏହି ଦୁର୍ନୀତି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଯାଜପୁରରୋଡସ୍ଥିତ ଉଠାଜଳସେଚନ ଡିଭିଜନ୍ ଅଧୀନ ବଡ଼ଚଣା ବ୍ଲକ୍‌ର‌ ବନ୍ଧାପଦ୍ମନାଭପୁର ପ୍ରକଳ୍ପରୁ ଏହି ଦୁର୍ନୀତିର ଗନ୍ଧ ମିଳିଥିଲା। ଏଠା‌େର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡିକ ଚାଷୀଙ୍କ କାମରେ ଲାଗୁନାହିଁ। ବିରୂପା, ଗେଙ୍ଗୁଟି, କେଲୁଅ ଅବବାହିକାରେ ଅବସ୍ଥିତ ବଡଚଣା ବ୍ଲକର ହଳଧରପୁର ଠାରୁ ଜନକ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଅକାମି ହୋଇପଡିିଛି।

ନିଆଳି ଠାରେ ନିର୍ମିତ ସତ୍ୟନାରାୟଣ ପାଣି ପଞ୍ଚାୟତ–୧ ଓ ଲକ୍ଷ୍ମୀନାରାୟଣ ପାଣି ପଞ୍ଚାୟତ ନିଆଳି–୨ର ସ୍ଥିତି ଅତି ଶୋଚନୀୟ। ନିଆଳି–୧ ପ୍ରକଳ୍ପ ଠିକାଦାର ପରୀକ୍ଷା କରୁଥିବା ବେଳେ ନିର୍ମାଣଧୀନ ପାଇପ୍ ଫାଟିଯାଇଥିଲା। କେବଳ ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଥିବାବେଳେ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ସେହିଭଳି ନିଆଳି–୨ ପ୍ରକଳ୍ପ ଉପରେ ଅନାବନା ଗଛ ଓ ଲଟା ମାଡି ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଛି। ମୋଟର ନଥିବାବେଳେ କିଏ ନେଇଛି ତାହା ଜଣାପଡ଼ିନାହିଁ।

ସେହିପରି ରଇପୁର ପଞ୍ଚାୟତ କୋଲଣଗିରି ଓ ବେଙ୍ଗପୁର ଗ୍ରାମ ପାଇଁ ନିର୍ମାଣ ଦୁଇଟି ପଏଣ୍ଟ ଅକାମି ହୋଇ ପଡିଛି। ଗୋଟିଏ ଦିନ କିମ୍ବା ଖଣ୍ଡେ ହେଲେ ଜମି ପାଣି ମାଡ଼ି ନାହିଁ। ସରକାରୀ ତାଲିକାରେ କିନ୍ତୁ ସବୁ ସଚଳ ରହିଛି। କୋଲଣଗିରି ଗ୍ରାମ ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପରେ ବିଦ୍ୟୁତ୍ ସଂଯୋଗ କରି ପରୀକ୍ଷାମୂଳକ ଭାବେ ଚାଷୀଙ୍କୁ ଦେଖାଇ ଅଧା ପାଇପ ବିଛାଇ ଠିକାଦାର ଛୁ’ମାରିଛି। ଗତ ଫନି ବାତ୍ୟାରେ ବିଦ୍ୟୁତ୍ ଖୁଣ୍ଟ ଭାଂଗି ଯାଇଥିବାବେଳେ ତାରଗୁଡ଼ିକ ମଧ୍ୟ କେହି ନେଇଯାଇଛି।

‘ସମ୍ବାଦ’ରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ତଦନ୍ତ କରିବା ପାଇଁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ଗତକାଲି କନିଷ୍ଠଯନ୍ତ୍ରୀ ଅଶୋକ କୁମାର ସାହୁ ଘଟଣାସ୍ଥଳ ବୁଲି ଦେଖିଥିବାବେଳେ ଆଜି ବନ୍ଧାପଦ୍ମନାଭପୁର ସହକାରୀ ଯନ୍ତ୍ରୀ ଯୁଧିଷ୍ଠିର ମହାଳିକ କ୍ଷେତ୍ର ପରିଦର୍ଶନ କରି ପାଣି ପଞ୍ଚାୟତ ସଭାପତି ଓ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ସହକାରୀ ଯନ୍ତ୍ରୀ ଶ୍ରୀ ମହାଳିକ ନିର୍ମାଣ ପରେ ସେ ପାଣିପଞ୍ଚାୟତକୁ ହସ୍ତାନ୍ତର କରିଥିବା କହିଛନ୍ତି। ଏଥିସହିତ, ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି।

ଅନ୍ୟପକ୍ଷରେ, ଏହି କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହି ଡିଭିଜନରେ ହୋଇଥିବା ଘୋଟାଲାର ପର୍ଦ୍ଦାଫାସ ହୋଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର