ଯାଜପୁର ଉଠା ଜଳସେଚନ ଡିଭିଜନରେ ଘୋଟାଲା : ଲୋକାୟୁକ୍ତଙ୍କ ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍‌

ଭୁବନେଶ୍ବର : ଯାଜପୁର ଉଠା ଜଳସେଚନ ଡିଭିଜନ ଦୁର୍ନୀତି ସମ୍ପର୍କରେ ‘ସମ୍ବାଦ’ର ଅନୁସନ୍ଧାନମୂଳକ ରିପୋର୍ଟ ଉପରେ ଲୋକାୟୁକ୍ତଙ୍କ ପକ୍ଷରୁ ସମ୍ପୃକ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍‌ ଜାରି କରାଯାଇଛି।

ଗତ ସେପ୍ଟେମ୍ବର ୨୩ ତାରିଖ ‘ସମ୍ବାଦ’ରେ ‘ଚାଷୀଙ୍କୁ ମୋହରା କରି କୋଟି କୋଟି ଟଙ୍କା ଚଳୁ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରରେ ଯାଜପୁର ଡିଭିଜନରେ କିଭଳି ଚାଷୀଙ୍କୁ ମୋହରା କରି ୫ ବର୍ଷରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି, ସେ ସମ୍ପର୍କରେ ଏଥିରେ ଏକ ବିସ୍ତୃତ ତଥ୍ୟ ପ୍ରଦ‌ାନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଏହି ଡିଭିଜନ ଅନ୍ତର୍ଗତ ବଡଚଣା ବ୍ଲକ୍‌ ଅରଖପୁର ପଞ୍ଚାୟତରେ ଉଠା ଜଳସେଚନର ଏକ ଉପଖଣ୍ଡ କାର୍ଯ୍ୟାଳୟ ବନ୍ଧା ପଦ୍ମନାଭପୁରରେ ଥିବା ସତ୍ତ୍ବେ ଏହି ପଞ୍ଚାୟତର ଏକାଧିକ ଏଲ୍ଆଇ ପଏଣ୍ଟ ଓ ଆର୍ଏଲ୍ ପଏଣ୍ଟ ଅଚଳ । ଅରଖପୁର ପଞ୍ଚାୟତର ଅରଖପୁର-୮ ପ୍ରକଳ୍ପଟି ଅଚଳ । ୧୪ଲକ୍ଷ ୯୧ହଜାର ୮୦୦ ଟଙ୍କା ବ୍ୟୟରେ ୨୦୧୭ ମସିହାର ଏହି ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟ ସରିବା ପରେ ଅଚଳ ହୋଇପଡିଛି । ଟ୍ରାନ୍‌ସଫର୍ମରରୁ ପମ୍ପ୍‌ହାଉସକୁ ବିଦ୍ୟୁତ ସଂଯୋଗ ହୋଇନାହିଁ। ପମ୍ପ୍‌ ହାଉସ୍‌ ବୋଲି ଯାହା କୁହାଯାଉଛି ସେଠାରେ ପାଣି ପମ୍ପ ମଧ୍ୟ ନାହିଁ। ବାଉଁଶ ଭର୍ତ୍ତି ହୋଇଛି । ସେହିପରି ଅରଖପୁର-୭ ପ୍ରକଳ୍ପ ୨୦୧୭ ମସିହାରେ ୧୪ ଲକ୍ଷ ୯୨୯ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ଏହା ମଧ୍ୟ ଅଚଳ।

‘ସମ୍ବାଦ’ରେ ପ୍ରକାଶିତ ଏହି ରିପୋର୍ଟ ଉପରେ ଲୋକାୟୁକ୍ତ ଯାଜପୁରରୋଡସ୍ଥିତ ଉଠାଜଳଚେସନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ନୋଟିସ୍‌ରେ ଜନସାଧାରଣଙ୍କ ବିପୁଳ ପରିମାଣର ଅର୍ଥ ବାଟମାରଣା ପଛର ପରିସ୍ଥିତି ସମ୍ପର୍କରେ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି, ଏ ସଂକ୍ରାନ୍ତରେ ନିଜର ମତ ରଖିବା ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ନୋଟିସ୍‌ ମାଧ୍ୟମରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର