ବିନା ଟେଣ୍ଡରରେ କୋଟିଏ ଟଙ୍କା ଖର୍ଚ୍ଚ, ଅଭିଯୋଗକୁ ଖଣ୍ଡନ କଲେ କୁଳପତି

ବ୍ରହ୍ମପୁର : ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ବିବାଦ, ଅବ୍ୟବସ୍ଥା ପିଛା ଛାଡୁନି। ଏବେ ସ୍ଥାନାଭାବ ଦର୍ଶାଇ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ବିଶ୍ବବିଦ୍ୟାଳୟକୁ କନିଷି ସ୍ଥିତ ଏକ ଭଡ଼ା କୋଠାକୁ ସ୍ଥାନାନ୍ତର କରାଯିବା ପ୍ରସଙ୍ଗକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ବିନା ଟେଣ୍ଡରରେ ଏକ ଘରୋଇ କୋଠାକୁ ଭଡ଼ାନେଇ ବିଶ୍ବବିଦ୍ୟାଳୟ ସ୍ଥାନାନ୍ତର ପଛରେ ବିରାଟ ଷଡ଼୍‌ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିକାଶ ପରିଷଦ ନାମକ ଏକ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ଭଡ଼ାଘରେ ବିଶ୍ବବିଦ୍ୟାଳୟ ପରିଚାଳିତ ହେବା ପାଇଁ ମାସିକ ୮ଲକ୍ଷ ଟଙ୍କା ହିସାବରେ ବାର୍ଷିକ ପ୍ରାୟ ଏକ କୋଟି (୯୬ଲକ୍ଷ)ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଏହାକୁ ଅନୁମୋଦନ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଚଳିତ ନିୟମ ଓ ଅର୍ଥ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ରାଜକୋଷରୁ ଏତେ ପରିମାଣର ଅର୍ଥରାଶି ଖର୍ଚ୍ଚ କରିବା ପାଇଁ ଟେଣ୍ଡର ଆହ୍ବାନ କରା ଯାଇଥାଏ।

ସେହି ଟେଣ୍ଡର ନୋଟିସ୍‌ ଆଂଚଳିକ ଖବରକାଗଜ ସହିତ ଇଂରାଜୀ ଖବର କାଗଜରେ ପ୍ରକାଶିତ ହେବା ବିଧି ଅଟେ। କିନ୍ତୁ ଏଭଳି କିଛି କରା ନଯାଇ କିପରି ଏକ ଘରୋଇ କୋଠାକୁ ବିଶ୍ବବିଦ୍ୟାଳୟ ପରିଚାଳନା ପାଇଁ ବଛା ଗଲା, ଏଥିପାଇଁ ଭଡ଼ା ବାବଦ ୮ଲକ୍ଷ ଟଙ୍କା କେମିତି ଧାର୍ଯ୍ୟ କରାଗଲା, ‌ତାହାକୁ ନେଇ ବିକାଶ ପରିଷଦ ପ୍ରଶ୍ନ ଉଠାଇଛି।

ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ରାଜେନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଅବନୀ ଗୟା, କିଶୋର ପାତ୍ର, ଏସ୍‌ଏନ୍.ବେହେରା, ଗୁରୁଚରଣ ପାତ୍ର, ମାନସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଫେସର ମିଶ୍ର କହିଛନ୍ତି ଯେ,ବିଧିବଦ୍ଧ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି। ବର୍ତ୍ତମାନ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ‌ହୋଇ ସାରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର