ବରଗଡ଼ : ମରୁଡ଼ି ପରବର୍ତୀ ସ୍ଥିତିରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ଡାଲି ଜାତୀୟ ଚାଷ ପାଇଁ ପ୍ରୋତ୍ସାହନ। କିଛି ଅର୍ଥକାରୀ ଡାଲି ଚାଷ କରି ମରୁଡ଼ି ବେଳର କ୍ଷତିକୁ ଚାଷୀ ଭରଣା କରିଥାଏ। କିନ୍ତୁ ଜିଲ୍ଲାରେ ଏହି ଯୋଜନାରେ ବଡ଼ ଘୋଟାଲା ହୋଇଥିବା ତଥ୍ୟ ସାମନାକୁ ଆସିଛି। ୨୦୧୫-୧୬ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚିଠି ନମ୍ବର ୩୨୬ (ତା.୭/୧/୧୬ରେ ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଥିଲା। ଏଥିରେ ୬୫ ହଜାର ମିନିକିଟ୍ ବାଣ୍ଟିବାକୁ କୁହାଯାଇଥିଲା। ଏଥିରେ ୫୬,୫୦୦ ପ୍ୟାକେଟ୍ ବାଜରା ଏବଂ ୮୫୦୦ ପ୍ୟାକେଟ୍ ଝୁଡ଼ଙ୍ଗ ବିହନ ସାମିଲ ଥିଲା। ନିର୍ଦ୍ଦେଶ ମୁତାବକ ୨୧/୬/୨୦୧୬ ରୁ ୨୨/୧୦/୨୦୧୬ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ମିନି କିଟ୍ ଆସିଥିଲା। କଟକସ୍ଥିତ କାମୋଲା ଏଜେନ୍ସି ଏହାର ଯୋଗାଣ ଦାୟିତ୍ବରେ ଥିଲା। ଏହାର ପରିବହନ ବାବଦକୁ ୪,୫୫,୦୦୦ ଟଙ୍କା ବ୍ୟୟ ଦର୍ଶାଯାଇଛି। କିନ୍ତୁ ଏହି ଏଜେନ୍ସି ୮୫୦୦ ପ୍ୟାକେଟ ଝୁଡ଼ଙ୍ଗ ବଦଳରେ ୩୮୦୦ ଜିଲ୍ଲାକୁ ଯୋଗାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାର ୨୦,୭୦୦ ଜଣ ଚାଷୀଙ୍କୁ ମିନି କିଟ୍ ବଣ୍ଟନ ହୋଇଥିବା କାଗଜ କଲମ କହୁଛି। କିନ୍ତୁ ଜିଲ୍ଲାର ଶସ୍ୟ ଉତ୍ପାଦନ ରେକର୍ଡ ଦେଖିଲେ ମିନିକିଟ୍ ସଂଖ୍ୟା ମୁତାବକ ଉକ୍ତ ବର୍ଷ ସେତିକି ବାଜରା କିମ୍ବା ଝୁଡ଼ଂଗ ଅମଳ ହୋଇନାହିଁ। ତେଣୁ ଏହି କାରବାରରେ ଅନିୟମିତତା ହୋଇଥିବା ଏକପ୍ରକାର ସ୍ପଷ୍ଟ। ମିନି କିଟ୍ ଗୁଡ଼ିକୁ ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟରୁ ଚାରା ବିକାଶ ଅଧିକାରୀଙ୍କ ତତ୍ବାବଧାନରେ ବ୍ଲକ ପ୍ରାଣୀଧନ ଅଧିକାରୀମାନଙ୍କୁ ପଠାଯାଇଥିଲା। ବ୍ଲକସ୍ତରର ଅଧିକାରୀମାନେ ଏହାକୁ ହିତାଧିକାରୀ ଚାଷୀଙ୍କୁ ବଣ୍ଟନ କରିଥିଲେ। ବ୍ଲକୱାରି ଚାଷୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। କିନ୍ତୁ ବହୁ ସଂଖ୍ୟାରେ ଭୂତ ଚାଷୀଙ୍କୁ ମଧ୍ୟ ଏହି ମିନିକିଟ୍ ମିଳିଛି। ଅର୍ଥାତ ନକଲି ନାମରେ ଉଠିଛି ମିନିକିଟ୍। ମାମଲା ଏତିକିରେ ସରିନାହିଁ। ମିନି କିଟ୍ ପାଇଥିବା ଗୁଡ଼ାଏ ଚାଷୀ ଏହାକୁ ଚାଷରେ ବିନିଯୋଗ ନକରି ନିଜେ ଖାଇ ଦେଇଛନ୍ତି କିମ୍ବା ଖୋଲା ବଜାରରେ ବିକ୍ରି କରିଛନ୍ତି। କେତେ ମିନି କିଟ୍ ବଣ୍ଟା ହେଲା? ଅସଲ ଚାଷୀଙ୍କୁ ମିଳିଲା ନା ନାହିଁ? ଚାଷ କାମରେ ଲାଗିଲା କି ନାହିଁ? ଏସବୁ ତଦାରଖ କରିବାକୁ କିଛି ଠୋସ୍ ପଦକ୍ଷେପ ହୋଇନାହିଁ। କର୍ମଚାରୀ ଅଭାବ ଏବଂ ଅତିରିକ୍ତ ଦାୟିତ୍ବ ଯୋଗୁଁ ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତା ଉପରେ ତନାଘନା କରିବା ଗୋଟିଏ ହିସାବରେ ଅସମ୍ଭବ ବୋଲି ଚାରା ବିକାଶ ଅଧିକାରୀ ଅନୁପ ବଡ଼ପଣ୍ଡା କହିଛନ୍ତି। ମିନି କିଟ୍ ବଣ୍ଟନରେ ହୋଇଥିବା ଦୁର୍ନୀତିକୁ ସେ ସଂପୂର୍ଣ୍ଣ ଭାବେ ଏଡ଼ାଇ ନାହାନ୍ତି।