ପୁଣି ଚର୍ଚ୍ଚାରେ ବିଧାୟିକା ପ୍ରମିଳାଙ୍କ ପଞ୍ଚାୟତ : ସ୍ୱଚ୍ଛଳ ରାଉଳ ପରିବାରକୁ ଅହେତୁକ ଅନୁକମ୍ପା

କୋଟିପତି ଠିକାଦାର ହୋଇ ବି ଦିନମଜୁରିଆ
ଜାଲିଆତି କରି ହାତେଇଛନ୍ତି ବିଜୁ ପକ୍କାଘର

ଯାଜପୁର/ଟାଉନ୍‌ : ବାପା, ଭାଇଙ୍କ ନାଁରେ ଜବ୍‌କାର୍ଡକୁ ନେଇ ବିବାଦ ପରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଆଉ ଏକ ଅଡ଼ୁଆରେ ପଡ଼ିଯାଇଛନ୍ତି। ତାଙ୍କ ନିଜ ପଞ୍ଚାୟତ ମାଁସଡ଼ାରେ ଆହୁରି ବଡ଼ଧରଣର ଦୁର୍ନୀତି ସାମ୍‌ନାକୁ ଆସିଛି।

ହସ୍ତଗତ ତଥ୍ୟରୁ ଜଣାପଡ଼ିଛି ଯେ ମାଁସଡ଼ାର ରବୀନ୍ଦ୍ର ରାଉଳଙ୍କୁ ଏକ ବିଜୁ ପକ୍କାଘର ମିଳିଛି। ରବୀନ୍ଦ୍ରଙ୍କ ନାମରେ ସି-ଗ୍ରେଡ୍‌ର ଏକ ଠିକାଦାରୀ ଲାଇସେନ୍‌ସ ରହିଛି। ଏହି ଲାଇସେନ୍‌ସରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ, ଜଳସମ୍ପଦ ଓ ଡ୍ରେନେଜ୍‌ ବିଭାଗରେ କୋଟି କୋଟି ଟଙ୍କାର କାମ ମଧ୍ୟ ସେ କରିଛନ୍ତି। ତାଙ୍କୁ ବ୍ଲକ୍‌ ପ୍ରଶାସନ ବିଜୁ ପକ୍କାଘର ବାବଦରେ ୨୦୧୫ ମସିହା ସେପ୍ଟେମ୍ବର ୧୨ରେ ୨୦ ହଜାର ଟଙ୍କା, ୨୦୧୬ ମସିହା ଜାନୁଆରି ୭ରେ ୪୦ ହଜାର ଟଙ୍କା ଓ ଜୁନ ୮ ତାରିଖରେ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ରବୀନ୍ଦ୍ରଙ୍କ ଘର ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କ ଘର ନିକଟରେ ହୋଇଥିବା ବେଳେ ତାଙ୍କ ଭାଇ ଦିଲ୍ଲୀପ ରାଉଳ ଶାସକ ଦଳର ଛାମୁଆଁ ନେତା ଏବଂ ମାଁସଡା ପଂଚାୟତର ପୂର୍ବତନ ସରପଞ୍ଚ।

ରବୀନ୍ଦ୍ରଙ୍କ ବାପା ସ୍ୱର୍ଗତ ଫକିର ରାଉଳ ଜଣେ ସରକାରୀ କର୍ମଚାରୀ ଥିଲେ। ରବୀନ୍ଦ୍ରଙ୍କ ଭାଇ ସଦାଶିବ ରାଉଳ ଜଣେ ସରକାରୀ କର୍ମଚାରୀ। ଏହା ସତ୍ୱେ ବି ଏହି ପରିବାର ବିଜୁ ପକ୍କାଘର ସମେତ ମନରେଗାରେ ଲକ୍ଷ ଲକ୍ଷ ଟଙ୍କା ଦିନ ମଜୁରିଆ ହୋଇ କାମ କରି ମଜୁରି ନେଇଛନ୍ତି। ଫକିର ରାଉଳଙ୍କ ନାମରେ ମନରେଗା ଯୋଜନାରେ ଏକ ଜବକାର୍ଡ ରହିଥିଲା। ଯାହାର ନମ୍ବର ୨୨୨୮୧। ଏହି ଜବକାର୍ଡରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସ୍ୱର୍ଗତ ଫକିର ରାଉଳଙ୍କ ସମେତ ସରକାରୀ କର୍ମଚାରୀ ସଦାଶିବ ରାଉଳ, ଠିକାଦାର ରବୀନ୍ଦ୍ର ରାଉଳ, ଠିକାଦାର ଦିଲ୍ଲୀପ ରାଉଳଙ୍କ ନାମ ରହିଛି। ଏହି ଜବ୍‌ କାର୍ଡ୍‌ରେ ଏହି ପରିବାରର ୪ଜଣ ସଦସ୍ୟ ମଧ୍ୟ ନାମ ରହିଥିବା ଦେଖିବାକୁ ମିଳିଛି। ରାଉଳ ପରିବାର ଆନନ୍ଦ ଦାସଙ୍କ ମୋ ପୋଖରୀ, ଭଗବାନ ମଳିକଙ୍କ ମୋ ପୋଖରୀ , ନୃସିଂହ ମିଶ୍ରଙ୍କ ମୋ ପୋଖରୀ, ଜୟନ୍ତ ମିଶ୍ରଙ୍କ ମୋ ପୋଖରୀ, ଚାଷୀ ବନ୍ଧ, ଚେକ୍‌ଡ୍ୟାମ, ରସିକ ଛକ ଠାରୁ ନଦୀବନ୍ଧ ରାସ୍ତା ସମେତ ୮୦ଟି ପ୍ରକଳ୍ପରେ ଦିନ ମଜୁରିଆ ଭାବେ କାମ କରି ମଜୁରି ନେଇଛନ୍ତି।

ଏହା ସହିତ ଠିକାଦାର ଦିଲ୍ଲୀପ ରାଉଳ ମନରେଗା ଯୋଜନାରେ ଏକ ଆମ୍ବ ବଗିଚା କରିଛନ୍ତି। ଏହି ଆମ୍ବ ବଗିଚାରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଫକିର ରାଉଳଙ୍କ ନାମରେ ଗୋଟିଏ ଜବ୍‌ କାଡ୍‌ର୍ ରହିଥିବା ବେଳେ ରବିନ୍ଦ୍ର ରାଉଳଙ୍କ ନାମରେ ମଧ୍ୟ ଗୋଟିଏ ଜବକାର୍ଡ ରହିଛି। ଯାହାର ନଂ ୨୨୨୪୬। ଆଉ ଏହି ଜବ୍‌ କାଡ୍‌ର୍ରେ ରବିନ୍ଦ୍ର ରାଉଳ, ଗୋପିନାଥ ରାଉଳ ଓ ସସ୍ମିତା ରାଉଳଙ୍କ ନାମ ରହିଛି। ଏହି ଜବ୍‌ କାଡ୍‌ର୍ରେ ଥିବା ସଦସ୍ୟ ମାନେ ୨୩ଟି ପ୍ରକଳ୍ପରେ କାମ କରିଛନ୍ତି।

କେବଳ ସେତିକି ନୁହେଁ ଫକିର ରାଉଳଙ୍କ ଜବ୍‌ କାଡ୍‌ର୍ରେ ଗୋପିନାଥ ରାଉଳଙ୍କ ନାମ ଥିବା ବେଳେ ରବୀନ୍ଦ୍ର ରାଉଳଙ୍କ ଜବ୍‌କାଡ୍‌ର୍ରେ ମଧ୍ୟ ଗୋପିନାଥ ରାଉଳଙ୍କ ନାମ ରହିଛି। ଅଲଗା ଅଲଗା ଜବ୍‌କାର୍ଡ ବ୍ୟବହାର କରି ଗୋଟିଏ ଗୋଟିଏ ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। ବିଧାୟିକାଙ୍କ ମାଁସଡା ପଞ୍ଚାୟତରୁ ମୋ ପୋଖରୀ ଚୋରି ଖବର ପରେ ଏବେ ଶହ ଶହ ଗ୍ରାମୀଣ ଆବାସ ହଡ଼ପ ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବା ଶାସକ ଦଳର ନେତା ଓ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଜିଲ୍ଲା ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର