ପଞ୍ଚାୟତିରାଜରେ ସାଂଘାତିକ କେଳେଙ୍କାରୀ

ଅଡିଟ୍‌ ରିପୋର୍ଟରେ ଦୁର୍ନୀତି

ବିଧାୟକ ପାଣ୍ଠି ଓ ସାଂସଦ ପାଣ୍ଠି ଅର୍ଥ ବିନିଯୋଗ ହେଉନି

୧୧ହଜାର କୋଟିର ୟୁସି ବାକି

ଭୁବନେଶ୍ୱର : କେଉଁ ପଞ୍ଚାୟତିରାଜ ଅନୁଷ୍ଠାନରେ କୋଟି କୋଟି ଟଙ୍କା ପଡିରହିଛି ତ ଆଉ କେଉଁଠି ବିନିଯୋଗ ପ୍ରମାଣପତ୍ର ମିଳୁନି। କେଉଁ ବ୍ଲକ ଅଫିସ ଆର୍ଥିକ ଅନିୟମିତତାର ଗନ୍ଧରେ ଫାଟିପଡୁଛି ତ ଆଉ କେଉଁଠି ଅର୍ଥ ତୋଷରପାତର ଅଭିଯୋଗ।

ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର କାର୍ଯ୍ୟ ସମୀକ୍ଷା କରି ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ବା ଡାଇରେକ୍ଟୋରେଟ୍‌ ଅଫ୍‌ ଲୋକାଲ ଫଣ୍ଡ ଅଡିଟ୍‌ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ୨୦୧୬-୧୭ ବର୍ଷ ପାଇଁ ଉଦ୍ଦିଷ୍ଟ ଏହି ସମୀକ୍ଷା ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପିତ ହେବା ପରେ କେବଳ ଉପରସ୍ତରରେ ନୁହେଁ, ତଳସ୍ତରରେ ଅର୍ଥାତ୍‌ ରାଜ୍ୟ ପଞ୍ଚାୟତିିରାଜ ଅନୁଷ୍ଠାନରେ ଦୁର୍ନୀତି ଓ ଅନିୟମିତତାର ଭାଗମାପ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। କେବଳ ସେତିକି ନୁହେଁ, ତୃଣମୂଳସ୍ତରରେ ପ୍ରଶାସନର କାର୍ଯ୍ୟଦକ୍ଷତା କେତେ ତାହା ବି ଏହି ରିପୋର୍ଟକୁ ନିରେଖି ଦେଖିଲେ ଜଳ ଜଳ ହୋଇଦିଶୁଛି।

ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି, ରାଜ୍ୟ ସରକାର ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଅର୍ଥ ଆବଣ୍ଟନ କରିଥାନ୍ତି। ଏ ବାବଦରେ ଥିବା ୪୯୫ କୋଟି ୨୬ଲକ୍ଷ ଟଙ୍କାରୁ ୨୭୭ କୋଟି ୯୩ଲକ୍ଷ ଟଙ୍କା ବିଭିନ୍ନ ସଂସ୍ଥାକୁ ସରକାର ପ୍ରଦାନ କରିଥିଲେ। ମାତ୍ର ୨୦୧୬ ମାର୍ଚ୍ଚ ୩୧ତାରିଖ ରିପୋର୍ଟ ସୂଚାଇଥିଲା ଯେ ୨୮ଟି ଜିଲ୍ଲା ପରିଷଦ ପାଖରେ ୨୧୭ କୋଟି ୩୩ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି। ଅନୁଗୁଳ ଜିଲ୍ଲା ପରିଷଦରେ ୫୯ କୋଟି ୬୨ଲକ୍ଷ ଟଙ୍କା ଅଗ୍ରୀମ ପଡ଼ିରହିଥିଲା। ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଓ ପରିମଳ ପରିକଳ୍ପନା ଇତ୍ୟାଦିଙ୍କୁ ବିଭିନ୍ନ ଯୋଜନାରେ ଅଗ୍ରୀମ ପ୍ରଦାନ କରି କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି।

ସାଂସଦମାନେ ସ୍ଥାନୀୟ ଅଞ୍ଚଳର ଉନ୍ନୟନ ବାବଦରେ ଅର୍ଥ ବରାଦ କରିଥାନ୍ତି। ୩୦ଟି ଜିଲ୍ଲାର ୩୧୪ଟି ପଞ୍ଚାୟତ ସମିତିରେ କାଗଜପତ୍ର ଯାଞ୍ଚ ବେଳେ ଜଣାପଡିଥିଲା, ୨୦୧୫ ଏପ୍ରିଲ ପହିଲା ବେଳକୁ ୯୭ କୋଟି ୨୧ ଲକ୍ଷ ଟଙ୍କାର ସାଂସଦ ପାଣ୍ଠି ଖର୍ଚ୍ଚ ନ ହୋଇ ପଡିରହିଥିଲା। ଏହା ସତ୍ତ୍ୱେ ୨୦୧୫-୧୬ରେ ୧୧୫ କୋଟି ୬୭ଲକ୍ଷ ଟଙ୍କା ସାଂସଦ ପାଣ୍ଠି ଅର୍ଥ ଆସିଲା। ଅର୍ଥାତ୍‌ ୨୧୨ କୋଟି ୮୮ଲକ୍ଷ ଟଙ୍କା ମଧ୍ୟରୁ ସେହି ବର୍ଷ ମାତ୍ର ୯୯ କୋଟି ୬୮ ଲକ୍ଷ ଟଙ୍କା ଅର୍ଥାତ୍‌ ୪୬.୮୩% ପ୍ରତିଶତ ବିନିଯୋଗ ସମ୍ଭବ ହେଲା। ବଳକା ୧୧୩ କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଲା ନାହିଁ।

ବିଧାୟକ ପାଣ୍ଠି ଅବସ୍ଥା ତଦ୍ରୁପ। ୨୦୧୫ ଏପ୍ରିଲ ପହିଲା ବେଳକୁ ବିଧାୟକଙ୍କ ପାଣ୍ଠି ଅର୍ଥରୁ ୧୬୭ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପ଼ଡିରହିଥିଲା। ୨୦୧୫-୧୬ରେ ଆର୍ଥିକ ବର୍ଷରେ ବିଧାୟକମାନେ ୧୪୨ କୋଟି ୧୪ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଅର୍ଥାତ୍‌ ସେବର୍ଷ ୩୧୦ କୋଟି ୧ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା। ମାତ୍ର ୨୦୧୬ ମାର୍ଚ୍ଚ ୩୧ ତାରିଖର ହିସାବ କହୁଛି, ଅଧିକାରୀମାନେ ୧୩୩ କୋଟି ୭୩ଲକ୍ଷ ଟଙ୍କା (୪୩.୧୩%) ଖର୍ଚ୍ଚ କରିପାରିଥିଲେ।

ସବୁଠାରୁ ସାଂଘାତିକ ତଥ୍ୟ, ଅର୍ଥ ଖର୍ଚ୍ଚ ହେଲା ବୋଲି ପଞ୍ଚାୟତିରାଜ ସଂସ୍ଥାମାନେ ଦର୍ଶାଉଥିଲେ ହେଁ, ବିନିଯୋଗ ପ୍ରମାଣ ପତ୍ର ଦାଖଲ କରୁନାହାନ୍ତି। ଫଳରେ ବାସ୍ତବରେ ଅର୍ଥ ବିନିଯୋଗ ହେଉଛି କି ନାହିଁ, ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିବା ସ୍ୱାଭାବିକ। ଅଡିଟ୍‌ ବେଳେ ଜଣାପଡିଛି ଯେ ୨୦୧୫-୧୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୧ହଜାର ୫୯୪ କୋଟି ୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ବାକି ଥିଲା।

କେବଳ ସେତିକି ନୁହେଁ, ୮୩ କୋଟି ୪୫ଲକ୍ଷ ଟଙ୍କାର ସରକାରୀ ଦେୟ ଦାଖଲ ନ କରି ପଞ୍ଚାୟତ ସମିତିମାନେ ନିଜ ହାତରେ ରଖିବା ଭଳି ଏକ ବଡ଼ ଧରଣର ଅନିୟମିତତା କରିଛନ୍ତି। ସେହିଭଳି ସରକାରୀ ଆଦେଶକୁ ଉଲ୍ଲଂଘନ କରି ପଞ୍ଚାୟତସମିତି ମାନେ ଗୋଟିଏ ଗୋଟିଏ ଯୋଜନା ପାଇଁ ଏକାଧିିକ ଆକାଉଣ୍ଟ ଖୋଲିଛନ୍ତି। ବିଭିନ୍ନ କାର୍ଯ୍ୟପାଇଁ ମଞ୍ଜୁର ହୋଇଥିବା ଦରଠାରୁ ଅଧିକ ମୂଲ୍ୟ ଦେୟ ପ୍ରଦାନ କରାଯାଇଛି। କିଛି ବ୍ୟକ୍ତିଙ୍କୁ ଅନୁଚିତ ଆର୍ଥିକ ଫାଇଦା ଦିଆଯାଇଛି। ରାଜସ୍ୱ ରାଜସ୍ୱ ଆଦାୟ ହୋଇନାହିଁ। ଏହିପରି ଭାବେ ୨୦୧୫-୧୬ ବର୍ଷରେ ୯୩ କୋଟି ୯୩ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ଘଟିଛି। ୧୦୬ଟି ପଞ୍ଚାୟତରେ ୧ କୋଟି ୬୨ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଛି। ବ୍ୟାଙ୍କ ସହିତ ହିସାବ ଖାତାର ମେଳ ଖାଉନି। କୋଟିଏ କି ଦୁଇକୋଟି ନୁହେଁ, ୩୦୧ଟି ପଞ୍ଚାୟତ ସମିତିରେ ୮୫୭ କୋଟି ୫୨ଲକ୍ଷ ଟଙ୍କାର ହିସାବ ମେଳ ଖାଇନି। ୧୬ଟି ପଞ୍ଚାୟତରେ ଅଧିକାରୀମାନେ ବାର୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ମଧୁବାବୁ ପେନସନ୍‌ ଆଦିର ବଳକା ରାଶିକୁ ଆଉ ଫେରାଇନାହାନ୍ତି। ୧୩୦ ଟି ପଞ୍ଚାୟତ ହିସାବରୁ ଜଣାପଡିଛି ଯେ ଉପାର୍ଜିତ ହୋଇଥିବା ୩୧ କୋଟି ୧୦ଲକ୍ଷ ଟଙ୍କାର ସୁଧ ଅର୍ଥ ସେମାନଙ୍କ ଆକାଉଣ୍ଟରେ ଦର୍ଶାଯାଇନାହିଁ।

ସମ୍ବନ୍ଧିତ ଖବର