ଯାଜପୁର : ମହାନଦୀରେ ଆଉ ପାଣି ବହୁନାହିଁ ବୋଲି ରାଜ୍ୟବ୍ୟାପି ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ପାଣି ପଞ୍ଚାୟତ ନାମରେ ପଇସାରୂପକ ପାଣି କିନ୍ତୁ ଅବାଧରେ ବହିଚାଲିଛି। ଅଥଚ ସେଥିକୁ କାହାରି ହେତୁ ନାହିଁ। ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନ୍ୟ ବିଭାଗ ଅପେକ୍ଷା କୃଷିକୁ ପ୍ରାଧାନ୍ୟ ଦିଆଯାଉଥିବା କୁହାଯାଉଛି। ଏପରିକି କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରି କୃଷିର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। ଚାଷ ଜମିରେ ଜଳସେଚନ କରିବା ଓ ଖାଲୁଆ ଜମିରୁ ଜଳ ନିଷ୍କାସନ ବାବଦରେ ପ୍ରତି ବଜେଟରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। ହେଲେ ଅସାଧୁ ଲୋକେ ସେଥିରୁ ସିଂହ ଭାଗ ଚଳୁ କରିଚାଲିଛନ୍ତି। ଖାଲୁଆ ଜମିରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ ଡିଭିଜନ ଜରିଆରେ ବ୍ୟୟ ହୋଇଥିବା ଶହଶହ କୋଟି ଟଙ୍କାରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଚାଷୀମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯିବାର ବ୍ୟବସ୍ଥା ରହିଛି। ଅର୍ଥାତ ସରକାରଙ୍କ ମୂଳ ଉଦ୍ଦେଶ୍ୟ ହେଲା, ଚାଷୀମାନେ ପାଣି ପଞ୍ଚାୟତ ଜରିଆରେ ଚାଷର ବିକାଶ କରିବେ। ଚାଷୀମାନେ ନିଜେ ଓ ନିଜର ପ୍ରତିନିଧିଙ୍କ ଜରିଆରେ କାର୍ଯ୍ୟ ସଂପାଦନ କରିବେ। ଫଳରେ ଆଦୌ ବାଟମାରଣା ହେବନାହିଁ। କାର୍ଯ୍ୟଟି ଠିକ୍ ଚାଲିବ। ଅଥଚ କେତେକ ରାଜନୈତିକ ନେତା ଏବଂ ତାଙ୍କର ସମର୍ଥକ ପାଣି ପଞ୍ଚାୟତକୁ ନିଜ ନିୟନ୍ତ୍ରଣରେ ରଖି କୋଟିକୋଟି ଟଙ୍କାର ଠିକା କାମ ହାତେଇବା ଦେଖିବାକୁ ମିଳୁଛି। ଫଳରେ ସରକାରୀ ଯୋଜନା ଫେଲ୍ ମାରିଛି। ବଡ଼ଚଣାରେ ପାଣିପଞ୍ଚାୟତ ଜରିଆରେ ଜଳସେଚନ ପାଇଁ ବ୍ୟୟ ହୋଇଥିବା କୋଟିକୋଟି ଟଙ୍କାରେ କାମ ନ ହୋଇ ସେଥିରୁ ସିଂହଭାଗ ଚଳୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଜଳସଂପଦ ବିଭାଗର ସେଚ ଅଞ୍ଚଳ ଉନ୍ନୟନ ଖଣ୍ଡ (କାଡ଼ା) କଟକ ଡିଭିଜନ୍ ଅନ୍ତର୍ଗତ ବଡ଼ଚଣା ସେଚାଞ୍ଚଳ ଉନ୍ନୟନ ସବ୍ଡିଭିଜନ (କାଡ଼ା) ଅନ୍ତର୍ଗତ ଧର୍ମଶାଳା ଓ ବଡ଼ଚଣାରେ ମୋଟ୍ ୨୨ଟି ପାଣି ପଞ୍ଚାୟତ ରହିଛି। ଏଥିମଧ୍ୟରୁ କେବଳ ବଡ଼ଚଣାରେ ୧୦ଟି ପାଣି ପଞ୍ଚାୟତ ରହିଛି। ଏହି ୧୦ଟି ଯାକ ପାଣି ପଞ୍ଚାୟତ ରାଜନୈତିକ ବ୍ୟକ୍ତି ବା ତାଙ୍କର ସମର୍ଥକଙ୍କ କବ୍ଜାରେ ରହିଛି। ୧୦ ପାଣି ପଞ୍ଚାୟତ ମଧ୍ୟରୁ ୬ଟି ପାଣି ପଞ୍ଚାୟତରେ ୨୦୧୭-୧୮ ଆର୍ଥିକ ବର୍ଷରେ ୫୪ଟି ଚୁକ୍ତି କରାଯାଇ ୨ କୋଟି ୪୮ ଲକ୍ଷ ୨୬ ହଜାର ୯ ଶହ ଟଙ୍କା ବ୍ୟୟ ବରାଦ କରାଯାଇଛି। ସେଥିରେ ଅତି ନିମ୍ନ ମାନର କାମ ହେଉଥିବା ବେଳେ ୨୦ ପ୍ରତିଶତ କମିଶନ ମଧ୍ୟ ଆଦାୟ ଚାଲିଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ହେଉ ନାହିଁ। ବ୍ୟବହୃତ ସିମେଣ୍ଟ ଓ ଇଟା ଅତି ନିମ୍ନମାନର। ଫଳରେ ପ୍ରକଳ୍ପର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ କେବଳ ଦୁଇଟି ପାଣି ପଞ୍ଚାୟତର ଉଦାହରଣ ଯଥେଷ୍ଟ। ମା ନାରାୟଣୀ ପାଣି ପଞ୍ଚାୟତ-୮ରେ ଇନାୟତ ନଗର, କଡ଼ିଆବା ବରଦା, ହରିହଂସ ପାଟଣା ପାଇଁ କାଡ଼ା ନାଳ ତିଆରି ପାଇଁ ୧୧ଟି ବୁଝାମଣା ପତ୍ରରେ ମୋଟ ପ୍ରାୟ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମା’ ବ୍ରାହ୍ମଣ ଦେବୀ ପାଣି ପଞ୍ଚାୟତ-୯ ଉବୁକା ବନ୍ତଳା, ଚଣ୍ଡିତଳ-୧, ଉବୁକା-୨ ପାଇଁ କାଡ଼ା ନାଳ ତିଆରି ପାଇର୍ ୧୩ ଗୋଟି ଚୁକ୍ତିନାମା ଜରିଆରେ ୫୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସରକାରୀ ହିସାବରେ ଦର୍ଶାଯାଇଛି। ସେହିପରି ଅବଶିଷ୍ଟ ପାଣି ପଞ୍ଚାୟତ ମାନଙ୍କରେ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ମାତ୍ର ଏହି ସମସ୍ତ କାମ ସଂପର୍କରେ ସଂପୃକ୍ତ ଚାଷୀମାନେ ଅଜ୍ଞ। ଏକ ବର୍ଷ ମଧ୍ୟରେ ଏହି ନଳାଗୁଡ଼ିକ ଜମିରେ ମିଶି ଯିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀମାନଙ୍କ ନାମରେ ପାଣି ପଞ୍ଚାୟତ ଜରିଆରେ ଚାଲିଥିବା ଏହି କେଳେଙ୍କାରୀର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।