ଆନନ୍ଦପୁର : ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରେ ଅନିୟମିତତା, କାମ ଛାଡ଼ି ଠିକାସଂସ୍ଥା ଚମ୍ପଟ

ଆନନ୍ଦପୁର : ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରେ ଅନିୟମିତତା ପରିଲକ୍ଷିତ ହୋଇଛି। ଆନନ୍ଦପୁର-ଠାକୁରମୁଣ୍ତା ମୁଖ୍ୟରାସ୍ତାର ଗୋହିରାବଣି ଛକଠାରୁ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅଟକି ରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ହଇରାଣ ହେଉଛନ୍ତି। ଠିକାସଂସ୍ଥା ମାଲ ପକାଇଦେଇ ଛାଡ଼ି ଦେଇଛନ୍ତି। ଗୋହିରାବଣି ଛକଠାରୁ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପିଚୁ ଓ ପକ୍କା ସଡ଼କ ନିର୍ମାଣ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୨.୩ କୋଟି ଟଙ୍କା ଟେଣ୍ତର ଡକାଯାଇଥିଲା। ଏନେଇ ଟେଣ୍ତର ପ୍ରକ୍ରିୟା ଶେଷ ହୋଇଥିବାବେଳେ ଗତବର୍ଷ ଠିକାସଂସ୍ଥା ପକ୍ଷରୁ କାମ ଆରମ୍ଭ କରାଯାଇଥିଲା। ନିର୍ମାଣ ଆରମ୍ଭ ପୂର୍ବରୁ ସୂଚନାଫଳକ ଲଗା ଯିବାର ନିୟମ ଥିଲେ ବି ଏଠାରେ ଲଗାଯାଇନାହିଁ। ଗତବର୍ଷ କେବଳ ରୋଡ କଟିଂ କରି ମୋରମ ଓ ଡଷ୍ଟ୍‌ ପକାଯିବାପରେ ଠିକାସଂସ୍ଥା କାମ ବନ୍ଦ କରି ଦେଇଥିଲା। ରାସ୍ତାର କେତେକ ସ୍ଥାନରେ ମେଟାଲ ଗଦା ହୋଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଖାଲ ହୋଇଛି। ଯାତାୟାତ ପାଇଁ ଲୋକମାନେ ନାହିଁନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ଶ୍ରୀରାମ ନାଇକ, ଚନ୍ଦ୍ରମଣି ନାଇକ, ଜୟଦେବ ନାଇକ, ମନ ନାଇକ, ଗୁରୁଚରଣ ନାଇକ, ରଘୁନାଥ ନାଇକ, ଜଗବନ୍ଧୁ ନାଇକ, ଆରତ ନାଇକ, ଗଜେନ୍ଦ୍ର ନାଇକ, ଭୀମସେନ ମଲିକ ପ୍ରକାଶ କରିଛନ୍ତି।

ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁବଳ କୁମାର ପଣ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ ବର୍ଷାଦିନରେ ଠିକାସଂସ୍ଥା କାମ ବନ୍ଦ କରିଥିଲା। ଏହାପରେ ଠିକାଦାରଙ୍କ ଆନ୍ଦୋଳନ ଯୋଗୁଁ ଏହା ପ୍ରଭାବିତ ହୋଇଛି। ତୁରନ୍ତ ନିର୍ମାଣ ଆରମ୍ଭ କରିବାକୁ ଠିକାସଂସ୍ଥାକୁ ନୋଟିସ୍‌ ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଣ୍ତା କହିଛନ୍ତି।

ସମ୍ବନ୍ଧିତ ଖବର