ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ : ଖୋଳତାଡ଼ କରିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ନିଯୁକ୍ତି ପ୍ରକ୍ରିୟାଠାରୁ ଆରମ୍ଭ କରି ଶିକ୍ଷାଦାନ, ପରୀକ୍ଷା ପରିଚାଳନା, ଉତ୍ତର ଖାତା ମୂଲ୍ୟାୟନ, ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ରାଜଭବନରେ ଏକାଧିକ ଅଭିଯୋଗପତ୍ର ପହଞ୍ଚିଛି। ଗତ ୩ରୁ ୪ ମାସ ମଧ୍ୟରେ ଏଭଳି ଅଭିଯୋଗ ପହଞ୍ଚିବା ପରେ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି। ଏନେଇ ରାଜଭବନ ପକ୍ଷରୁ ଚିଠି ଆସିବା ପରେ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ବିଭାଗର ଜଣେ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ବର୍ଷରେ ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କରାଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ନିଯୁକ୍ତିରେ ବି ଅନିୟମିତତା ହେଉଥିବା ନେଇ ରାଜଭବନରେ ଅଭିଯୋଗ ପହଞ୍ଚିଛି। ବିଶ୍ୱବିଦ୍ୟାଳୟ ପାଇଁ କିଣାଯାଇଥିବା ବିଭିନ୍ନ ସାମଗ୍ରୀରେ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ତାହାର ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଛି।

ରାଜଭବନରୁ ଚିଠି ପାଇବା ପରେ ଉଚ୍ଚଶିକ୍ଷା ବିଭାଗର ଜଣେ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଅଭିଯୋଗର ତଦନ୍ତ କରାଯିବ। ଅଗଷ୍ଟ ୧୭ ତାରିଖ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଯାଇ ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟର ନିଯୁକ୍ତି, ସାମଗ୍ରୀ କିଣା ପରି ଅଭିଯୋଗର ତଦନ୍ତ କରିବେ। ଅଭିଯୋଗର ତନାଘନା କରିବା ପୂର୍ବରୁ ସମସ୍ତ ତଥ୍ୟ ସଂଗ୍ରହ କରି ରଖିବାକୁ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି। ତଦନ୍ତ ସରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଦିଆଯିବ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ହେଉଥିବା ନେଇ ପୂର୍ବରୁ ବି ବାରମ୍ବାର ଅଭିଯୋଗ ଆସିଛି। ହେଲେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏହାକୁ ମାନୁ ନ ଥିଲେ। କୌଣସି ଅନିୟମିତତା ହୋଇ ନ ଥିବା ନେଇ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ କହୁଥିଲେ। ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଓ ପରେ ଉଚ୍ଚଶିକ୍ଷା ବିଭାଗର ଚିଠି ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଚ୍ଚଶିକ୍ଷା କିଭଳି ଚାଲିଛି ତାହା ସ୍ପଷ୍ଟ ଜଣାପଡ଼ିଯାଉଛି।

କେବଳ ଏହି ଦୁଇ ବିଶ୍ୱବିଦ୍ୟାଳୟ ନୁହେଁ। ଏହାପୂର୍ବରୁ ବିପିୟୁଏଟି, ଭିଏସ୍‌ଏସ୍‌ୟୁଟି ପରି ଶିକ୍ଷାନୁଷ୍ଠାନର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିଲା। ଆଗକୁ ଆଉ କିଛି ବିଶ୍ୱବିିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ହେବାକୁ ଥିବାରୁ ଦୁର୍ନୀତି ହେବାର ଆଶଙ୍କା ଏବେଠାରୁ ପ୍ର୍ରକାଶ ପାଇଛି।

ସମ୍ବନ୍ଧିତ ଖବର