ଚାଉଳ ବସ୍ତାରେ ପାଣି ଢଳା ଘଟଣାରେ ଘଣ୍ଟ ଘୋଡ଼ା ଉଦ୍ୟମ : ପୋକ ମାରିବାକୁ ଔଷଧପାଣି!

ରାଜ୍ୟ ପଣ୍ୟାଗାର ନିଗମରେ କେଲେଙ୍କାରୀ, ଔଷଧ ସିଞ୍ଚନ ନାଁ ନେଇ ଖସିବାକୁ ଉଦ୍ୟମ!

ଟିଟିଲାଗଡ଼ : ଟିଟିଲାଗଡ଼ ରାଜ୍ୟ ପଣ୍ୟାଗାର ନିଗମ ଗୋଦାମରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମଧ୍ୟାହ୍ନ ଭୋଜନ ଯୋଜନାରେ ଯୋଗାଇ ଦିଆ ଯାଉଥିବା ଚାଉଳରେ ପାଣି ଢଳାଯିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହି ଘଟଣାରେ ଘଣ୍ଟ ଘୋଡ଼ା ନୀତି ଧରିଲେଣି କର୍ତ୍ତୃପକ୍ଷ। ପାଣି ନୁହେଁ, ଚାଉଳରୁ ପୋକ ସଫା କରିବା ଲାଗି ବସ୍ତାରେ ଔଷଧ ପ୍ରୟୋଗ କରାଯାଉଥିଲା ବୋଲି ଗୋଦାମ କର୍ତ୍ତୃପକ୍ଷ ଆଜି ହାସ୍ୟାସ୍ପଦ ସଫେଇ ଦେବାକୁ ଚେଷ୍ଟା କରିଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ଗୋଦାମରେ ଟନ୍‌ଟନ୍‌ ଚାଉଳରେ ପୋକ ଲାଗି ପୋକରା ହୋଇଯାଉଛି। ଏହି ଚାଉଳକୁ ହିତାଧିକାରୀଙ୍କୁ ଦେବା ପୂର୍ବରୁ ପାଣି ଢାଳି ପୋକ ସଫା କରାଯାଇଥାଏ। ପାଣି ଢାଳିବା ସମୟରେ ସେଥିରେ ଔଷଧ ମିଶିଥାଏ। ତେଣୁ ଆମ ପ୍ରତିନିଧି ଗୋଦାମରେ ପହଞ୍ଚିବା ବେଳେ ସେଠାରେ ଚାଉଳ ବସ୍ତାରେ ପାଣି ନୁହେଁ, ଔଷଧ ଢଳାଯାଉଥିଲା ବୋଲି ସେ କହିଛନ୍ତି।

ଅଧିକାରୀଙ୍କ ଏହି ସଫେଇ ପରେ ଗୋଦାମରେ କେତେ ପୋକରା ଚାଉଳ ରହିଛି ତାକୁ ନେଇ ଉଠିଲାଣି ପ୍ରଶ୍ନ। ଯଦି ପାଣିରେ ଔଷଧ ମିଶାଇ ଚାଉଳ ବସ୍ତାରେ ଢଲାଯାଉଥିଲା ବିଶେଷଜ୍ଞମାନେ କୁଆଡ଼େ ଥିଲେ? ଦିନମଜୁରିଆମାନେ ଔଷଧର ଭାଗମାପ କିଭଳି ଜାଣିଲେ? ଏସବୁ ପ୍ରଶ୍ନର ଉତ୍ତର କିନ୍ତୁ ମିଳିପାରିନି। ସେଥିଲାଗି ଘଟଣା ପଛରେ ଏକ ବଡ଼ ରୢାକେଟ୍‌ କାମ କରୁଥିବା ଜଣାପଡ଼ିଛି। ଅନ୍ୟପଟେ ଉପଜିଲ୍ଲାପାଳ ତଦନ୍ତ କରାଯିବ କହି ମାମଲାକୁ ହାଲୁକା ଭାବରେ ନେଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ଟିଟିଲାଗଡ଼ ପଣ୍ୟାଗାର ନିଗମର ଗୋଦାମ ଗୃହ ୪୦ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ। ଏହି ଗୋଦାମ ଗୃହରୁ ଟିଟିଲାଗଡ଼, ସଇଁତଳା ତଥା ମୁରିବାହାଲ ବ୍ଲକର ସାଧାରଣ ବଣ୍ଟନ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଣ କରାଯାଏ। ମିଲର୍ସଙ୍କ ଠାରୁ ଚାଉଳ ଆସିବା ପରେ ଏଠାରେ ଗଚ୍ଛିତ କରି ରଖିବା ସହ ନିୟମିତ ବ୍ୟବଧାନରେ ଏହି ଚାଉଳ ଯୋଗାଣ କରାଯାଏ। ତେବେ ଏଠାକୁ ଚାଉଳ ଆସିବା ପରେ ବସ୍ତା ଖୋଲି ଏକ ନିର୍ଦ୍ଧାରିତ ଓଜନର ଚାଉଳ କାଢ଼ିଦେବା ପରେ ବସ୍ତାକୁ ପୁଣି ସିଲେଇ କରାଯାଇ ବସ୍ତା ଉପରେ ପାଣି ଢାଳି ଓଜନ ସମାନ କରାଯାଏ ବୋଲି ଏକ ଅଭିଯୋଗ ଉଠିଥିଲା। ଏହାକୁ ନେଇ ଆମେ ଗୋଦାମକୁ ଯାଇଥିବା ବେଳେ ସେଠାରେ ଦୁଇଜଣ ମହିଳା ଶ୍ରମିକ ବାଲଟିରେ ପାଣି ନେଇ ବସ୍ତାରେ ଢାଳୁଥିବା ବେଳେ ସେଠାରେ ଦୁଇଜଣ କର୍ମଚାରୀ ଥିଲେ।

ଅନୁସନ୍ଧାନରୁ ଜଣା ପଡିଥିଲା ଯେ ଏଠାରେ ବସ୍ତାରୁ ଚାଉଳ କାଢ଼ି, ପାଣି ଢାଳି ତାହାର ଓଜନ ସମାନ କରା ଯାଉଛି। ଫଳତଃ ବସ୍ତାରେ ଥିବା ଚାଉଳ ପାଣି ଢାଳିବା ଯୋଗୁଁ ଫିମ୍ପି ମାରି ଖାଦ୍ୟ ଅନୁପଯୋଗୀ ହୋଇଥିଲେ ହେଁ ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପଠାଯାଉଛି।

ଏ ନେଇ ଆମେ ସେହି ଗୋଦାମର ନିରୀକ୍ଷକ ଅନନ୍ତ ସାହୁଙ୍କ ମତାମତ ଲୋଡ଼ିଥିଲୁ। ସେ ବି ସମାନ କଥା କହିଥିଲେ। କହିଥିଲେ ଯେ ବସ୍ତାରେ ପ୍ରକୃତରେ ପାଣି ଢଳା ଯାଉନଥିଲା, ବରଂ ବସ୍ତାରେ ଥିବା ଚାଉଳରେ ପୋକ ଲାଗି ଯାଇଥିବା ଯୋଗୁଁ ସେଥିରେ ଔଷଧ ସିଞ୍ଚନ କରା ଯାଉଥିଲା। ଯଦି ଏହାକୁ ବିଶ୍ବାସ କରାଯାଏ, ତେବେ ଘଟଣା ଆହୁରି ସାଂଘାତିକ ନିଶ୍ଚୟ।

ସମ୍ବନ୍ଧିତ ଖବର