ଭିଏସ୍‌ଏସ୍‌ୟୁଟିରେ ଉପକରଣ କିଣାରେ ଦୁର୍ନୀତି

ବିନା ଟେଣ୍ଡରରେ ୩କୋଟିର ସାମଗ୍ରୀ କିଣା ହୋଇଛି, ରାଜ୍ୟପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସ୍‌ଏସ୍‌ୟୁଟି)ରେ ଗତ ଆର୍ଥିକ ବର୍ଷରେ କମ୍ପ୍ୟୁଟର, ସର୍ଭର, ଏସି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି କୁଳପତିଙ୍କ ଅଗୋଚରରେ ବିନା ଟେଣ୍ଡରରେ ୩କୋଟି ଟଙ୍କାର ସାମଗ୍ରୀ କିଣାଯାଇଛି। କୁଳସଚିବଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସାମଗ୍ରୀ କିଣାଯାଇଥିଲେ ହେଁ କୁଳପତିଙ୍କ ଅନୁମତି ନିଆଯାଇନି। ବିନା ଟେଣ୍ଡରରେ ବେଆଇନ ଭାବେ କିପରି ଏତେ ସାମଗ୍ରୀ କିଣା ହେଲା ତାହାର ତଦନ୍ତ କରିବାକୁ କୁଳାଧିପତି ତଥା ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର ପ୍ରାୟ ୧୧ଟି ସାମଗ୍ରୀ କିଣିବା ପାଇଁ କୁଳସଚିବ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍‌ରେ ୦୬.୦୯.୨୦୧୭ରେ ସୂଚନା ଦେବା ସହ ଗୋଟିଏ ଓଡ଼ିଆ ଖବରକାଗଜରେ ବିଜ୍ଞପ୍ତି ଦେଇଥିଲେ। ଯେତେବେଳେକି ଆନୁଷ୍ଠାନିକ ଭାବେ ଏହାକୁ ସେପ୍ଟେମ୍ବର ୯, ୨୦୧୭ରେ ଏଥିରେ ଦସ୍ତଖତ କରିଥିଲେ। ଏହାପରେ ବିଭିନ୍ନ ସାମଗ୍ରୀ କିଣାଯାଇଥିଲା। କିନ୍ତୁ ଟେଣ୍ଡର ପେପରରେ ଯେତିକି ସାମଗ୍ରୀ କିଣିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହା ଠାରୁ ଢେର୍‌ କମ୍‌ ସାମଗ୍ରୀ କିଣାଯାଇଛି। ୧୧ଟି ସାମଗ୍ରୀ କିଣିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାତ୍ର ୫ଟି ସାମଗ୍ରୀ କିଣାଯାଇଥିଲା। ଯାହା ଧାର୍ଯ୍ୟ ହୋଇଥିବା ସଂଖ୍ୟା ଠାରୁ ଅଧିକ ଥିଲା ଏବଂ ଏହାର ମୂଲ୍ୟ ମଧ୍ୟ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁତ ଅଧିକ ରହିଥିଲା।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଅକ୍ଟୋବର ୧୪, ୨୦୧୭ରେ ବସିଥିବା ଟେଣ୍ଡର କମିଟି ପ୍ରୋସେଡିଂରେ ଅକ୍ଟୋବର ୧୧ରେ ବସିଥିବା ଟେଣ୍ଡର କମିଟିର କୌଣସି ରିଜୋଲ୍ୟୁସନ୍‌ ନଥିଲା କି ଏହି ବୈଠକ ସମ୍ବନ୍ଧରେ କୌଣସି ତଥ୍ୟ ନଥିଲା। ଅକ୍ଟୋବର ୧୩ରେ ଫାଇନାନସିଆଲ୍‌ ବିଡ୍‌ ହୋଇଥିବା କୁହାଯାଉଥିଲେ ହେଁ ପ୍ରୋସେଡିଂରେ ଏନେଇ କିଛି ସୂଚନା ନାହିଁ। ଅକ୍ଟୋବର ୧୪ ବୈଠକରେ କୁହାଯାଇଥିଲା ଯେ, ୧୪ଟି କୋଟେସନ୍‌ (ଟେଣ୍ଡର ପେପର ନୁହେଁ) ଆସିଛି। ୯ଟି କୋଟେସନ୍‌ ଟେକନିକାଲ୍‌ ସ୍ପେସିଫିକେସନ୍‌ ଦୃଷ୍ଟିରୁ ଯୋଗ୍ୟ ହୋଇଥିବା କୁହାଯାଇଥିଲା। କିନ୍ତୁ ୫ଟି କୋଟେସନ୍‌ କାହିଁକି ବାତିଲ୍‌ ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ଏପରିକି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସର୍ବନିମ୍ନ କୋଟେସନ୍‌କୁ ବିଚାରକୁ ନନେଇ ଅଧିକ ମୂଲ୍ୟ ଡାକିଥିବା ବିଡରଙ୍କୁ ସାମଗ୍ରୀ କିଣିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଆଇଟମ୍‌ ୧ରେ ଯେଉଁ ସଂସ୍ଥା ଅଯୋଗ୍ୟ ହୋଇଥିଲା ତାହାକୁ ଆଇଟମ୍‌ ୧୧ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଆଇଟମ୍‌ ୩କୁ ସର୍ବନିମ୍ନ ବିଡର୍‌କୁ ନଦେଇ ଦ୍ୱିତୀୟ ସର୍ବନିମ୍ନ ବିଡରକୁ ଦିଆଯାଇଥିଲା। ଆଇଟମ୍‌ ୮ରେ ଥିବା ସ୍ପ୍ଲିଟ୍‌ ଏସି ସହ ଷ୍ଟାବଲାଇଜର୍‌ ପାଇଁ କୌଣସି କୋଟେସନ୍‌ ନଥିବାବେଳେ ଲୋକାଲ୍‌ କୋଟେସନ୍‌ରେ ସଂଖ୍ୟାଧିକ ଏସି କିଣାଯାଇଛି। ସାମଗ୍ରୀ କିଣାରେ ଦୁର୍ନୀତିର ଗନ୍ଧ ଥିବାରୁ ଯେତେବେଳେ ଏଥିପାଇଁ କାର୍ଯ୍ୟାଦେଶ ଦିଆଗଲା ସେତେବେଳେ କୁଳପତିଙ୍କ ଅନୁମୋଦନ ନିଆଯାଇନି,ଯେତେବେଳେକି କୁଳପତିଙ୍କ ଅନୁମୋଦନରେ ସାମଗ୍ରୀ କିଣାଯିବ ବୋଲି ଟେଣ୍ଡର କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟପାଳଙ୍କ ନିକଟରେ ଏନେଇ ଅଭିଯୋଗ ପହଞ୍ଚିବା ପରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର