କଟକ: ବଡ଼ ମେଡ଼ିକାଲ୍ ପିଏଚ୍ଡି ପମ୍ପ ହାଉସ୍ରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଆଜି ନଗର ଉନ୍ନୟନ ବିଭାଗ ନିକଟରେ ଦାଖଲ କରିଛନ୍ତି । ଏଡିଏମ୍(ରାଜସ୍ୱ) ରଘୁରାମ୍ ଆୟାରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଟିମ୍ ଆଜି ପାଞ୍ଚ ପୃଷ୍ଠା ସମ୍ବଳିତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା । ଜିଲ୍ଲାପାଳ ଦେଇଥିବା ରିପୋର୍ଟରୁ ଏକ ସାଂଘାତିକ ତଥ୍ୟ ଏବେ ସାମନାକୁ ଆସିଛି। ଗ୍ୟାସ୍ ସିଲିଣ୍ଡର ଫିଲିଂ ଏବଂ ଡିସ୍ପୋଜାଲ୍ ଦାୟିତ୍ୱ ନେଇଥିବା ଗଞ୍ଜାମର ଜୟଶ୍ରୀ କେମିକାଲ୍ ଏବେ ସେ ଦାୟିତ୍ୱରେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଗତ ୫ ବର୍ଷ ପୂର୍ବରୁ ଜଳ ବିଶୋଧନ ପାଇଁ ଏସ୍ସିବିରେ ବ୍ଲିଚିଂ ପାଉଡ୍ର ବ୍ୟବହାର କରାଯିବା ଫଳରେ କ୍ଲୋରିନ୍ ଗ୍ୟାସ୍ର ଆବଶ୍ୟକତା ପଡ଼ୁନଥିଲା । ତେଣୁ ସିଲିଣ୍ଡର ଡିସ୍ପୋଜାଲ ଏବଂ ଫିଲିଂ ଦାୟିତ୍ୱରୁ ସମ୍ପୃକ୍ତ ସଂସ୍ଥା ଓହରିଯାଇଥିଲା । ଏବେ ରେକର୍ଡରେ ସମ୍ପୃକ୍ତ ସଂସ୍ଥା ଦାୟିତ୍ୱରେ ନଥିବା ବେଳେ ସିଲିଣ୍ଡର୍ ଡିସ୍ପୋଜାଲ ନହୋଇ ପିଏଚ୍ଡ଼ି କାର୍ଯ୍ୟାଳୟରେ ପଡ଼ିରହିବା ଘଟଣାରେ ନିର୍ଦ୍ଦିଷ୍ଟ ଭାବେ ପିଏଚ୍ଡିର କେଉଁ ଅଧିକାରୀଙ୍କୁ ଦାୟୀ କରାଯିବ, ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବଡ଼ ମେଡିକାଲ୍ରେ ଗତ ୨୯ ତାରିଖ ଅପରାହ୍ନରେ କଳଙ୍କି ଲଗା କ୍ଲୋରିନ୍ ଗ୍ୟାସ୍ ସିଲିଣ୍ଡର ଲିକ୍ ଘଟଣାରେ ଅଗ୍ନିଶମ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ଡାକ୍ତରୀ ଛାତ୍ରଙ୍କୁ ମିଶାଇ ମୋଟ ୪୯ ଜଣ ଗୁରୁତର ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରି ବଡ଼ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ପାଇଁ କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ଏଡିଏମ୍(ରାଜସ୍ୱ) ରଘୁରାମ ଆୟାରଙ୍କ ନେତୃତ୍ୱରେ ଗଠିତ ଟିମ୍ ୩୦ ତାରିଖରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଜି ଦାଖଲ ହୋଇଥିବା ରିପୋର୍ଟରେ ମୁଖ୍ୟତଃ କଳଙ୍କି ଲଗା ସିଲିଣ୍ଡର କାହିଁକି ଏତେ ଦିନ ହେଲା ପିଏଚ୍ଡି ପମ୍ପ ହାଉସ୍ରେ ଥିଲା, ଲିକ୍ ପଛରେ କାରଣ କଣ ରହିଛି, ଏଥିପାଇଁ କେଉଁ ଅଧିକାରୀ ଦାୟୀ, ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବାକୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଗଞ୍ଜାମର ସମ୍ପୃକ୍ତ ସଂସ୍ଥା ଆଉ ସିଲିଣ୍ଡର ଦାୟିତ୍ୱରେ ନଥିବା ବେଳେ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।