ବନ୍ଦ ହେବ ଅସ୍ଥିମଜ୍ଜା ପ୍ରତିରୋପଣ କେନ୍ଦ୍ର

ଡାକ୍ତର ଅଭାବ

କଟକ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ମଜବୁତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଡାକ୍ତର ଅଭାବରୁ ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ୍‌ ଏସ୍‌ସିବି ମେଡିକାଲ୍‌ରେ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ର ଗୁଡ଼ିକ ବନ୍ଦ ହେବାକୁ ବସିଛିି। ଏସ୍‌ସିବିରୁ ଡାକ୍ତରଙ୍କୁ ପଦୋନ୍ନତି ଭିତ୍ତିରେ ବଦଳି କରାଯିବା ପରେ ଫିଜିଓଲୋଜି ବିଭାଗର ନିଦ୍ରାରୋଗ କ୍ଲିନିକ୍‌ ବନ୍ଦ ହୋଇଯାଇଥିଲା। ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) କେନ୍ଦ୍ର ମଧ୍ୟ ବନ୍ଦ ହୋଇଗଲାଣି। ଗୁରୁତର ରକ୍ତ କର୍କଟ ରୋଗୀଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଚିକିତ୍ସା ହୋଇଥିଲାବେଳେ ଏସ୍‌ସିବି ହେମାଟୋଲୋଜି ବିଭାଗରେ ତାଲିମପ୍ରାପ୍ତ ଡାକ୍ତର କିମ୍ବା କର୍ମଚାରୀ ନାହାନ୍ତି। ଫଳରେ ରୋଗୀମାନେ ଏଠାରେ ମାଗଣା ଚିକିତ୍ସା ପାଇବା ବଦଳରେ ଏବେ ରାଜ୍ୟ ବାହାରକୁ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଭଳିସ୍ଥିତିରେ ବିଏମ୍‌ଟି କେନ୍ଦ୍ର ଚଲାଇବାକୁ କାହା ପାଖରେ ଉପଯୁକ୍ତ ଡିଗ୍ରି ନାହିଁ। ପୂର୍ବତନ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ବିଏମ୍‌ଟି କେନ୍ଦ୍ରରେ ଏଭଳି ଅଚଳାବସ୍ଥା ଦେଖାଦେଇଛି।

ହେମାଟୋଲୋଜି ବିଭାଗରେ ବର୍ତ୍ତମାନ ଦୁଇ ଜଣ ଅସ୍ଥାୟୀ ଡାକ୍ତର ନରେଶ ଚନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ରାଜୀବ କୁମାର ନାୟକ ରୋଗୀ ଦେଖୁଛନ୍ତି। ହେଲେ ସେମାନେ ବିଏମ୍‌ଟି ଉପରେ କୌଣସି ତାଲିମ ନେଇ ନାହାନ୍ତି। ଓଡ଼ିଶାରେ ମାତ୍ର ୨ଜଣ ବିଏମ୍‌ଟି ତାଲିମ୍‌ପ୍ରାପ୍ତ ଡାକ୍ତର ଅଛନ୍ତି। ଜଣେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବିଭାଗର ପୂର୍ବତନ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ଓ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ର ଅନ୍ୟ ଜଣେ ଡାକ୍ତର ଚିକିତ୍ସା କରୁଛନ୍ତି। ଡାକ୍ତର ଜେନାଙ୍କ ଉଦ୍ୟମକ୍ରମେ ଏସ୍‌ସିବି ମେଡିକାଲ୍‌ରେ ବିଏମ୍‌ଟି କେନ୍ଦ୍ର ଆରମ୍ଭ ହୋଇଥିଲାବେଳେ ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠି ଅଧୀନରେ ସମସ୍ତ ପ୍ରତିରୋପଣ ସଂପୂର୍ଣ୍ଣ ମାଗଣାରେ କରାଯାଉଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ହେମାଟୋଲୋଜି ବିଭାଗରେ ୫୦ଟି ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ ଶେଷ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗର ସମସ୍ତେ ଡାକ୍ତର ଓ ତାଙ୍କ ଦଳକୁ ପ୍ରଶଂସା କରିଥିଲେ। ହେଲେ ବର୍ତ୍ତମାନସ୍ଥିତିରେ ବିଏମ୍‌ଟି କେନ୍ଦ୍ର ବନ୍ଦ ହୋଇଯାଇଥିଲାବେଳେ ଡାକ୍ତର ଜେନାଙ୍କ ଗିରଫଦାରୀ ପରେ କିଛି ଚୁକ୍ତିଭିତ୍ତିକ କର୍ମଚାରୀମାନେ ଚାକିରି ଛାଡ଼ି ଚାଲିଗଲେଣି। ତେଣୁ ଏହି କେନ୍ଦ୍ରକୁ ପୁଣିଥରେ ଆରମ୍ଭ କରାଯିବା ପାଇଁ କେହି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି।

ଘରୋଇ କେନ୍ଦ୍ରରେ କିମ୍ବା ରାଜ୍ୟ ବାହାରେ ବିଏମ୍‌ଟି କଲେ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏସ୍‌ସିବିରେ ସଂପୂର୍ଣ୍ଣ ମାଗଣାରେ ପ୍ରତିରୋପଣ କରାଯାଉଥିଲା। ହେଲେ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଥିବାରୁ ରୋଗୀମାନେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯାହା ପାଖରେ ଟଙ୍କା ନାହିଁ ସେମାନେ ମୃତ୍ୟୁକୁ ଅପେକ୍ଷା କରି ରହିଯାଉଛନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କର ନିକଟ ଅତୀତରେ ବିଏମ୍‌ଟି ହୋଇଥିଲା, ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଡାକ୍ତରୀ ପରାମର୍ଶ ପାଇଁ ଏସ୍‌ସିବି ମେଡକାଲ୍‌କୁ ଆସୁଥିଲେ ବି ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଘରୋଇ କେନ୍ଦ୍ର କିମ୍ବା ରାଜ୍ୟ ବାହାରକୁ ଯିବାକୁ ଆଉ ସମ୍ବଳ ନଥିବାରୁ ଭାଗ୍ୟକୁ ଆଦରି ଘରେ ରହିବାକୁ ପଡ଼ୁଥିବା କେନ୍ଦୁଝରର ରୋଗୀ ରମା ରଣାଙ୍କ ଆଟେଣ୍ଡାଣ୍ଟ କହିଛନ୍ତି। ଏହାବ୍ୟତୀତ ଓ୍ଵାର୍ଡରେ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା ବେଳେ ସେମାନଙ୍କ ଦେଖାଶୁଣା କରୁଥିବା ଏନ୍‌ଜିଓ ସଂସ୍ଥା ‘ଜୀବେ ଦୟା ଫାଉଣ୍ଡେସନ୍‌’ ମଧ୍ୟ ତାହାର ଆଟେଣ୍ଡାଣ୍ଟଙ୍କୁ ଫେରାଇ ନେଇଛି। ଏଭଳିସ୍ଥିତିରେ ଏବେ ଓ୍ଵାର୍ଡରେ ରୋଗୀ ସଂଖ୍ୟା ଅନେକମାତ୍ରାରେ ହ୍ରାସ ପାଇଛି। ଏସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ମଧ୍ୟ ଚିନ୍ତା ପ୍ରକଟ କରିଥିଲାବେଳେ, ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ତେବେ ବିଏମ୍‌ଟି ଆରମ୍ଭ କରାଯିବାକୁ ରାଜ୍ୟ ବାହାରେ ଥିବା ଓଡ଼ିଆ ଡାକ୍ତରଙ୍କ ସହିତ ଯୋଗାଯୋଗ କରାଯାଉଛି। ସରକାରଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ବିଷଦ ଆଲୋଚନା କରାଯିବ। ଯଦି ସେଭଳି କେହି ତାଲିମପ୍ରାପ୍ତ ଡାକ୍ତର ଏସ୍‌ସିବି ଆସିବାକୁ ରାଜି ହୁଅନ୍ତି, ତାହେଲେ ଡିଏମ୍‌ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବାକୁ ପ୍ରସ୍ତାବ ରହିବ ବୋଲି ଡାକ୍ତର କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର