ଏସ୍‌ସିବିରେ ଆରମ୍ଭ ହେବ ଲିଭର୍‌ ପ୍ରତିରୋପଣ

ବୁଧବାର କଟକ ଆସୁଛନ୍ତି ଡାକ୍ତର ଟମ୍‌ ଚେରିୟାନ୍‌

କଟକ : ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଚଳିତ ବର୍ଷଠାରୁ ଲିଭର ପ୍ରତିରୋପଣ କେନ୍ଦ୍ର ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଚ୍ଚ କ୍ଷମତାସମ୍ପନ୍ନ ଓଟି ଓ ଆଇସିୟୁ ନିର୍ମାଣ ଶେଷ ହୋଇଛି। ତଥାପି କେନ୍ଦ୍ରରେ କିଛିଟା ତ୍ରୁଟି ଥିବାରୁ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁନାହିଁ। ତେଣୁ ଏ କ୍ଷେତ୍ରରେ ବୈଷୟିକ ଓ ମାନବ ସମ୍ବଳ ଜନିତ ସହାୟତା ଯୋଗାଇ ଦେବାକୁ ହାଇଦ୍ରାବାଦର ନିଜାମ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ ସହିତ ରାଜ୍ୟ ସରକାର ଆଲୋଚନା ଆରମ୍ଭ କରିଛନ୍ତି। ଏହି ମେଡିକାଲ୍‌ର ଲିଭର ପ୍ରତିରୋପଣ ବିଶେଷଜ୍ଞ ପ୍ରଫେସର ଡାକ୍ତର ଟମ୍‌ ଚେରିଆନ୍‌ ଏ ସମ୍ପର୍କରେ ପରାମର୍ଶ ଦେବା ସହ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେବା ପାଇଁ ବୁଧବାର ଏସ୍‌ସିବି ମେଡିକାଲ୍‌କୁ ଆସୁଛନ୍ତି। ଏସ୍‌ସିବି କର୍ତ୍ତୃପକ୍ଷ ଓ ସରକାରଙ୍କ ସହ ଆଲୋଚନା କରିବା ପରେ ପ୍ରତିରୋପଣ କାର୍ଯ୍ୟକ୍ରମ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ପୂର୍ବରୁ ରାଜ୍ୟରେ ଗରିବ ରୋଗୀମାନଙ୍କ ଲିଭର ପ୍ରତିରୋପଣ ପାଇଁ ସୁବିଧା ନଥିବାରୁ ସେମାନଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ଓଡ଼ିଶାରେ କେବଳ ଲିଭର ସଂକ୍ରମଣ ଜନିତ ଚିକିତ୍ସା ଉପଲବ୍ଧ ଥିଲା। କିନ୍ତୁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲେ ଏଠାରେ ପ୍ରତିରୋପଣ କରିବା ପାଇଁ ସର୍ବନିମ୍ନ ଭିତ୍ତିଭୂମି ନଥିଲା। ତେଣୁ ଏସ୍‌ସିବି ମେଡିକାଲ୍‌ରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ କେନ୍ଦ୍ର ଆରମ୍ଭ କରାଯିବାକୁ ୨୦୧୩ ମସିହା ମେ’ ମାସରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହି ବର୍ଷ ଅକ୍ଟୋବର ମାସରେ ଏସ୍‌ସିବି ଟ୍ରମା କେୟାର ବିଲ୍‌ଡିଂର ଚତୁର୍ଥ ମହଲାରେ ମଡୁଲାର ଓଟି ଓ ଆଇସିୟୁ ନିର୍ମାଣ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଡିଏମ୍‌ଇଟିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲିଭର ପ୍ରତିରୋପଣ କେନ୍ଦ୍ର ସହିତ ମେଡିକାଲ୍‌ର ଅନ୍ୟାନ୍ୟ ବିଭାଗର ଯନ୍ତ୍ରପାତି କିଣାଯିବା ପାଇଁ ସରକାରଙ୍କ ପକ୍ଷରୁ ୨୧.୫୮ କୋଟି ଟଙ୍କା ପାଣ୍ଠି ଯୋଗାଇ ଦିଆଯାଇଥିଲା। ସେହି ଅର୍ଥରୁ ୨୦୧୪ ମସିହାରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ପକ୍ଷରୁ ପ୍ରତିରୋପଣ ସମ୍ପର୍କିତ ସମସ୍ତ ଯନ୍ତ୍ରପାତି କିଣାଯାଇଥିଲା। ହେଲେ ଓଟି ପ୍ରସ୍ତୁତ ନଥିବାରୁ ଯନ୍ତ୍ରପାତିଗୁଡିକ ସେମିତି ପଡିରହିଥିଲା। ଏବେ ଓଟି ପ୍ରାୟତଃ ପ୍ରସ୍ତୁତ ହୋଇଯାଇଥିଲେ ବି ଆହୁରି କିଛି ବୈଷୟିକ ଦିଗରେ କାର୍ଯ୍ୟ ବାକି ରହିଛି।

ଏସ୍‌ସିବିରେ ଲିଭର ପ୍ରତିରୋପଣ ୟୁନିଟ୍‌ କାର୍ଯ୍ୟ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ହେବା ପରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ହେପାଟୋଲୋଜି, ଆନାସ୍ଥେସିଆ, ରେଡିଓଲୋଜି, ପାଥୋଲୋଜି ଏବଂ ପାରାମେଡିକାଲ୍‌ କର୍ମଚାରୀମାନଙ୍କୁ ନେଇ ଏକ ଟିମ୍‌ ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲରେ ପ୍ରଶିକ୍ଷଣ ନେଇସାରିଛନ୍ତି। ତେଣୁ ପ୍ରତିରୋପଣ ୟୁନିଟ୍‌ ପାଇଁ ତାଲିମପ୍ରାପ୍ତ କର୍ମଚାରୀ ମଧ୍ୟ ପ୍ରସ୍ତୁତ ଅଛନ୍ତି। ହେଲେ ବୈଷୟିକ ଦିଗରେ ଏସ୍‌ସିବି ପ୍ରତିରୋପଣ ୟୁନିଟ୍‌କୁ ଆହୁରି ମାର୍ଜିତ ହେବାକୁ ସମୟ ଲାଗିପାରେ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ସିବି ମେଡିକାଲ୍‌ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ କହିଛନ୍ତି ଯେ ଏସ୍‌ସିବିରେ ଲିଭର ପ୍ରତିରୋପଣ ଆରମ୍ଭ ହେଲେ ପୂର୍ବ ଭାରତର ଅନେକ ରୋଗୀ ଏହାଦ୍ୱାରା ଲାଭବାନ୍‌ ହୋଇପାରିବେ। ତଥାପି ଡାକ୍ତର ଚେରିୟାନ୍‌ ଏ ଦିଗରେ ମାର୍ଗଦର୍ଶନ ଦେବା ପରେ ଚଳିତ ବର୍ଷ ମଧ୍ୟରେ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସମ୍ଭାବନା ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର