ଏସ୍‌ସିବିରେ ପୀଡ଼ିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଅନୁଗୁଳ ଜିଲ୍ଳାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ୍‌

କଟକ: ଗତ ୨୦ତାରିଖ ବିଳମ୍ବିତ ରାତିରେ ପରିବାର ଲୋକଙ୍କ ସହିତ ଦୋକାନ ବାରଣ୍ଡାରେ ‌‌‌ଶୋଇଥିବା ଏକ ଆଠ ବର୍ଷର ଶିଶୁକନ୍ୟାକୁ ଉଠାଇ ନେଇ ଦୁଷ୍କର୍ମ କରି ନାଳିକୁ ଫିଙ୍ଗି ଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁତର ଅବସ୍ଥାରେ ସଂପୃକ୍ତ ଶିଶୁ କନ୍ୟା ଏବେ ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଆଜି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପୀଡିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏହା ସହିତ ଘଟଣାକୁ ନେଇ ଅନୁଗୁଳ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଆୟୋଗ ରିପୋର୍ଟ ତଲବ କରିଛି।

ସୂଚନାନୁଯାୟୀ, ଅଧ୍ୟକ୍ଷାଙ୍କ ସମେତ ଆୟୋଗ ସଦସ୍ୟ ହରିହର ନାଏକ, କଟକ ଡିସିପିଓ ପ୍ରଗତୀ ମହାନ୍ତି, ଚାଇଲ୍ଡ ଲାଇନ୍‌ ସଂଯୋଜକ ନାରାୟଣ ଶୁକ୍ଳା ପ୍ରମୁଖ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ, ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା, ପ୍ରଶାସନିକ ଅଧିକାରୀ କଳ୍ପତରୁ ମହାରଣା ପ୍ରମୁଖ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଛନ୍ତି ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବାରୁ ମାମଲାର ବିଚାର ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରାଯିବ, ସେ ଦିଗରେ ପଦକ୍ଷେପ ନିଆଯିବା ଦରକାର। ଏଭଳି ଘଟଣାରେ କଠୋର ଦଣ୍ଡ ବିଧାନ ‌ହେଲେ ଏଭଳି ମାମଲା କିଛିଟା ହ୍ରାସ ପାଇପାରନ୍ତା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ, ପୀଡିତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଆଜି ସିଟି ସ୍କାନ୍‌ କରାଯାଇଛି। ‌ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ମଧ୍ୟ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର