ସ୍ୟାଟ୍‌ରେ ଏସ୍‌ସିବି କର୍ମଚାରୀଙ୍କୁ ସଂଶୋଧିତ ଦରମା ପ୍ରସଂଗ : ଅଦାଲତ ଅବମାନନା, ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍‌

କଟକ : ଏସ୍‌ସିବି ମେଡିକାଲରେ କେତେକ କର୍ମଚାରୀଙ୍କ ଦରମା ନିର୍ଦ୍ଧାରଣରେ ବ୍ୟାପକ ଅନିୟମିତତା ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ଦୁଇ ମାସ ସମୟ ଦିଆଯାଇଥିଲେ ବି କିଛି ପଦକ୍ଷେପ ନିଆନଯିବାରୁ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ) ପକ୍ଷରୁ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କନିଷ୍ଠ କିରାଣି ଜୟଦେବ ଦାସଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ପିଟିସନ୍‌ ଉପରେ ଶୁଣାଣି କରି ସ୍ୟାଟ୍‌ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଧୂଳିରାମ ପଟ୍ଟନାୟକ ଓ ନିରଂଜନ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ଏସ୍‌ସିବି ମେଡିକାଲ୍‌ରେ ୧୯୯୬ ମସିହାରୁ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଛନ୍ତି। ସେବେଠାରୁ ତାଙ୍କୁ ୫୨୦୦-୨୦୨୦୦ ଟଙ୍କା ସ୍କେଲ୍‌ରେ ଦରମା ପ୍ରଦାନ କରାଯାଉଥିଲେ ବି ବର୍ତ୍ତମାନସୁଦ୍ଧା ପଦୋନ୍ନତି ଦିଆଯାଉନାହିଁ। ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବିଗୁଡ଼ିକ ଥଇଥାନ ଯୋଜନା ଅଧିନରେ ପୂରଣ କରାଯାଇଛି। ଫଳରେ ବର୍ତ୍ତମାନସୁଦ୍ଧା ମେଡିକାଲ୍‌ କର୍ତ୍ତୃପକ୍ଷ କୌଣସି ନିଯୁକ୍ତି ନିୟମ କିମ୍ବା ଗ୍ରେଡେସନ୍‌ ତାଲିକା ପ୍ରକାଶ କରିପାରୁନାହାନ୍ତି। ଏହାର ଫାଇଦା ନେଇ ତଳ ଗ୍ରେଡ୍‌ର କର୍ମଚାରୀମାନେ ପଦୋନ୍ନତି ନେଇସାରିଥିଲେ ବି ଉପର ଗ୍ରେଡ୍‌ କର୍ମଚାରୀଙ୍କୁ ଅଣଦେଖା କରାଯାଇଆସୁଛି। ଏପରିକି ଆବେଦନକାରୀଙ୍କ ପଦୋନ୍ନତି ବିଚାର ପାଇଁ ସ୍କ୍ରିନିଂ କମିଟି ପାଖରେ ଆବେଦନ କରାଯାଇଥିଲେ ବି ଆର୍‌ଏସିପି ମିଳିପାରିଲାନି କିମ୍ବା ଏହାର କାରଣ ମଧ୍ୟ କୁହାଗଲା ନାହିଁ। ଏହାବ୍ୟତୀତ ୨୦୧୧ ମସିହାରେ ଗୋଟିଏ ଷ୍ଟେଓ୍ଵାର୍ଟ ପଦବି ପାଇଁ ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଉଭୟ ଆର୍ଥିକ ଫାଇଦା ହାସଲ କରିଥିଲେ। ୪ଜଣ ଷ୍ଟୋର୍‌ କିପର ଉଚ୍ଚହାରର ଦରମା ପାଉଛନ୍ତି। ଏ ସମୟରେ ଅଫିସ୍‌ ସୁପରିଟେଣ୍ଡେଣ୍ଟ୍‌ ସେମାନଙ୍କଠୁ କମ୍‌ ଦରମା ଓ ଗ୍ରେଡ୍‌ ପେ’ ପାଉଥିବା ଦର୍ଶାଯାଇଛି। ତେଣୁ ଆବେଦନକାରୀଙ୍କ ପକ୍ଷରୁ ପଦୋନ୍ନତି, ଆର୍‌ଏସିପି ଇତ୍ୟାଦି ଲାଗୁ କରାଇବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହି ମାମଲା ଉପରେ ଚଳିତ ବର୍ଷ ଜାନୁଆରି ୧୭ ତାରିଖରେ ଚୂଡ଼ାନ୍ତ ଶୁଣାଣି କରି ସ୍ୟାଟ୍‌ ୨ମାସ ମଧ୍ୟରେ ଆବେଦନକାରୀଙ୍କ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୫ମାସରୁ ଅଧିକ ସମୟ ବିତିଯାଇଥିଲେ ବି, ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର