ଏସ୍‌ସିବି ଫାର୍ମାସିଷ୍ଟଙ୍କ ସମୂହ ଛୁଟି ଆବେଦନ: ଏପ୍ରିଲ୍‌ ୬ରୁ କାର୍ଯ୍ୟ ବନ୍ଦ

କଟକ : ରାଜ୍ୟବ୍ୟପୀ ଫାର୍ମାସିଷ୍ଟଙ୍କ ଦାବି ଉପରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ହେଉଥିବାବେଳେ ଆଜିଠୁ ଏସ୍‌ସିବି ମେଡିକାଲ୍‌ ଶାଖା ସଂଘ ବିଧିବଦ୍ଧ ଭାବେ ଏଥିରେ ସାମିଲ ହୋଇଛି। ଯଦିଓ ପୂର୍ବରୁ କାର୍ଯ୍ୟବନ୍ଦ ପାଇଁ ସଂଘ ନିଷ୍ପତ୍ତି ନେଇଥିଲା, ହେଲେ ଆଜି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଏହି ଆନ୍ଦୋଳନରେ କିଛିଟା ପରିବର୍ତ୍ତନ କରାଯାଇଛି। ମେଡିକାଲ୍‌ରେ କାର୍ଯ୍ୟରତ ପ୍ରାୟ ୬୦ଜଣ ନିୟମିତ ଓ ଚୁକ୍ତି ଭିତ୍ତିକ ଫାର୍ମାସିଷ୍ଟ ସମୂହ ଛୁଟି ନେବାକୁ ଆଜି କର୍ତ୍ତୃପକ୍ଷଙ୍କୁ ମିଳିତ ଦରଖାସ୍ତ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଆସନ୍ତା ୬ ତାରିଖରୁ ଛୁଟି ନେଉଥିବା ବିଷୟରେ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି। ଗୁରୁବାର ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ସଚିବ ଦାବି ପୂରଣ ଦିଗରେ ଯଦି କୌଣସି ପଦକ୍ଷେପ ନନିଅନ୍ତି ତାହେଲେ ଆଗକୁ ଚରମ ପଦକ୍ଷେପ ନିଆଯିବ ବୋଲି ଏସ୍‌ସିବି ସଂଘ ସମ୍ପାଦକ ଶ୍ରୀକାନ୍ତ ଜେନା ଜଣାଇଛନ୍ତି।

ସୂଚନା ଅନୁଯାୟୀ ୫ଦଫା ଦାବି ନେଇ ଫାର୍ମାସିଷ୍ଟମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। କ୍ୟାଡର ନିୟମରେ ସଂଶୋଧନ ପାଇଁ ୨୦୧୩ ମସିହାରୁ ଉଦ୍ୟମ ହେଉଥିଲେ ବି ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସେହିପରି ସମାନ ପାହ୍ୟାରେ ଥିବା ନର୍ସିଂ କର୍ମଚାରୀମାନେ ୯୩୦୦ ଟଙ୍କା ଦରମା ସହିତ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ପାଉଛନ୍ତି। ଏପରି ସ୍ଥଳେ ଫାର୍ମାସିଷ୍ଟମାନଙ୍କୁ ୫୨୦୦ ଦରମା ଓ ୨୪୦୦ ଟଙ୍କା ଗ୍ରେଡ୍‌ ପେ’ ଦିଆଯାଉଛି। ଜଣେ ନିଯୁକ୍ତିଦାତା ଅଧୀନରେ ଅନ୍ୟୁନ ୬ବର୍ଷ ପର୍ଯ୍ୟନ୍ତ ନିରନ୍ତର ଚୁକ୍ତି ଭିତ୍ତିକ ଭାବେ କାର୍ଯ୍ୟ କରିବା ପରେ ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଯିବାକୁ ସରକାରୀ ନିୟମ ରହିଛି। କିନ୍ତୁ ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ଭିତ୍ତିକ କାର୍ଯ୍ୟ କରିବା ପରେ ବି ନିଯୁକ୍ତି ନିୟମିତ ହେଉନଥିବାରୁ ଫାର୍ମାସିଷ୍ଟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ କାର୍ଯ୍ୟବନ୍ଦ କିମ୍ବା ସମୂହ ଛୁଟିରେ ଯିବାଦ୍ୱାରା ଜରୁରିକାଳୀନ ସେବା ଓ ନିରାମୟ କେନ୍ଦ୍ର ବିଶେଷ ମାତ୍ରାରେ ପ୍ରଭାବିତ ହେବ ବୋଲି କୁହାଯାଉଛି। ଶାଖା ସମ୍ପାଦକ ଶ୍ରୀ ଜେନା କହିଛନ୍ତି ଯେ ଏସଂକ୍ରାନ୍ତରେ ଆଜି ଏକ ପ୍ରତିନିଧି ଦଳ ଏସ୍‌ସିବି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସରକାରଙ୍କ ସହିତ ସମସ୍ୟା ବିଷୟରେ ଆଲୋଚନା କରାଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବାରୁ ୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଯଦି ସରକାର କିଛି ପଦକ୍ଷେପ ନିଅନ୍ତି ତାହେଲେ ଛୁଟି ଦରଖାସ୍ତ ଫେରସ୍ତ ଅଣାଯିବ। ନଚେତ୍‌ ସମସ୍ତେ ଛୁଟିରେ ଯିବେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର