ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟଙ୍କ ବଦଳି

କାର୍ଯ୍ୟରେ ଯୋଗ ଦେବେ କନିଷ୍ଠ ଡାକ୍ତର

କଟକ: ଏସ୍‌ସିବି ମେଡିକାଲରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା କନିଷ୍ଠ ଡାକ୍ତରମାନେ ଆସନ୍ତାକଲିଠାରୁ କାର୍ଯ୍ୟରେ ଯୋଗ ଦେବେ। ଆଜି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହେତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ବଦଳି କରାଯିିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଏସ୍‌ସ୍‌ବି ମେଡିକାଲ କଲେଜ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାଶ ସୂଚନା ଦେଇଛନ୍ତି। ଏମ୍‌.କେ.ସି.ଜି.ରେ ମେଡିସିନ ବିଭାଗର ପ୍ରଫେସର ପଦ ଖାଲି ପଡିଥିବା ବେଳେ ଡାକ୍ତର ହୋତାଙ୍କୁ ସେହି ସ୍ଥାନକୁ ବଦଳି କରାଯାଇଥିବା ସୂଚନା ମିିଳିଛି। ଅନ୍ୟପକ୍ଷରେ ଡାକ୍ତର ହୋତାଙ୍କ ବଦଳି ପରେ ଆନ୍ଦୋଳନରତ ଡାକ୍ତରମାନେ କାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି ସିନିୟର ରେସିଡେଣ୍ଟ ଡକ୍ଟର ଆସୋସିଏସନ୍‌ ସଭାପତି ଡାକ୍ତର ଜ୍ୟୋତିର୍ମୟ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ଆସନ୍ତା କାଲି ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି ପ୍ରସଂଗରେ ଆଲୋଚନା କରାଯିବା ପରେ ବିଧିବଦ୍ଧ ଭାବେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। କିନ୍ତୁ ଡାକ୍ତର ହୋତାଙ୍କ ବଦଳି କରାଯାଇଥିବା ବେଳେ କନିଷ୍ଠ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବାରେ ଅସୁବିଧା ନାହିଁ। ଏଥି ସହିତ କନିଷ୍ଠ ଡାକ୍ତରଙ୍କ ଅନ୍ୟ କେତେକ ଦାବି ପ୍ରସଂଗରେ ମଧ୍ୟ ସାଧାରଣ ପରିଷଦରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂର୍ପକରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ପୂର୍ବ ନିଷ୍ପତ୍ତି ଅନୁସାରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନେ ଆଜି ମେଡିକାଲ ପରିସରରେ ରିଲେ ଅନଶନରେ ବସିଥିଲେ। ଅନଶନ ବେଳେ ଚାରି ଜଣ ଆନ୍ଦୋଳନରତ ଡାକ୍ତର ଅସୁସ୍ଥ ହୋଇ ପଡିଥିବା ବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅନଶନରେ ବସିଥିବା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ମେଡିକାଲ ପକ୍ଷରୁ ଏକ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ ସୂଚନା ଦେଇଛନ୍ତି। ଏହି ଦଳରେ ପ୍ରଫେସର ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର, ପ୍ରଫେସର ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର, ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅରୁଣ କୁମାର ଚୌଧୁରୀ, ପ୍ରଫେସର ଡାକ୍ତର ଶ୍ରୀକୃଷ୍ଣ ମହାପାତ୍ର ଓ ପ୍ରଫେସର ସତ୍ୟନାରାୟଣ ରାଉତରାୟ ସଦସ୍ୟ ରହିଥିଲେ। ଆଜି କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ଏସ୍‌ସିବିର କଣ୍ଟ୍ରାକଚୁଆଲ ନର୍ସ ଆସୋସଏସନ୍‌ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ସମର୍ଥନ ପ୍ରଦାନ କରାଯାଇଥିଲା। ଆନ୍ଦୋଳନ ସ୍ଥଳରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପହଞ୍ଚି ସେମାନଙ୍କୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର