ଡାକ୍ତର ହୋତାଙ୍କ ବଦଳି ପରେ ଆଶଙ୍କାରେ ରୋଗୀ

ପ୍ରସାଦଙ୍କ ଦୁଇ କିଡ୍‌ନି କଢା ସରିଛି, ପ୍ରତିରୋପଣ ପାଇଁ ତାରିଖ ନାହିଁ

କଟକ : ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବ୍ରହ୍ମପୁର ବଦଳି ହୋଇଯିବା ପରେ ଏବେ ଏସ୍‌ସିବି ମେଡିକାଲ୍‌ର କିଡ୍‌ନୀ ପ୍ରତିରୋପଣ କେନ୍ଦ୍ର ଏକପ୍ରକାର ଅକାମୀ ହୋଇପଡ଼ିଛି। ବର୍ତ୍ତମାନ ୮ଜଣ ରୋଗୀ ପ୍ରତିରୋପଣ ପାଇଁ ମେଡିକାଲ୍‌ରେ ଭର୍ତ୍ତି ହୋଇସାରିଥିଲା ବେଳେ ସେମାନଙ୍କ ଅସ୍ତ୍ରୋପଚାର ହେବା ନେଇ ଅନିଶ୍ଚିତତା ଲାଗିରହିଛି। ହେଲେ ସବୁଠାରୁ ଗୁରୁତର ଘଟଣାକ୍ରମରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ଚିନାରି ପ୍ରସାଦ ପୃଷ୍ଟିଙ୍କର ଦୁଇଟି କିଡ୍‌ନୀ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକୁ ସର୍ଜରୀ କରି କାଢି ଦିଆଯାଇଛି। ସେଠାରେ ତାଙ୍କ ପତ୍ନୀ ସୁନିତା ପୃଷ୍ଟିଙ୍କ କିଡ୍‌ନୀ ଲଗାଯିବା ପାଇଁ କୋର୍ଟଙ୍କ ଅନୁମତି ମିଳିସାରିଛି। ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ପ୍ରତିରୋପଣ ପାଇଁ ତାରିଖ ହେବାର ଥିଲା। କିନ୍ତୁ ଡାକ୍ତର ହୋତାଙ୍କ ବଦଳି ପରେ ଏବେ ଉଭୟ ଦମ୍ପତି ଭୟଭୀତ ଅବସ୍ଥାରେ ରହିଛନ୍ତି। କିଡ୍‌ନୀ ପ୍ରତିରୋପଣ ନହେଲେ ଜୀବନପ୍ରତି ବିପଦ ରହିଥିବା ବିଭାଗୀୟ ଡାକ୍ତର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୩ ମସିହାରୁ ପ୍ରସାଦଙ୍କୁ ଜ୍ୱର ହେବା ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ପରାମର୍ଶ ପରେ ବିିଭିନ୍ନ ପରୀକ୍ଷା କରାଯାଇଥିଲା। ପ୍ରାୟ ୪ବର୍ଷ ପର୍ଯ୍ୟନ୍ତ ଡାୟଲିସିସ୍‌ କରାଯାଇଥିଲା। ତେବେ ଅବସ୍ଥା ଅଧିକ ଜଟିଳ ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ ଓ ଗତବର୍ଷ ଡିସେମ୍ବର ୧୨ ତାରିଖରେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଜାନୁଆରି ୪ ଓ ଫେବ୍ରୁଆରି ୧ ତାରିଖରେ ପର୍ଯ୍ୟାୟକ୍ରମେ ନଷ୍ଟ ହୋଇଯାଇଥିବା ଦୁଇ କିଡ୍‌ନୀକୁ କାଢି ଦିଆଯାଇଥିଲା। ଏଥିମଧ୍ୟରେ ୨୦୦ରୁ ଉର୍ଦ୍ଧ୍ୱ ଡାୟଲିସିସ୍‌ କରାଯାଇ ସାରିଥିଲାବେଳେ କିଡ୍‌ନୀ ପ୍ରତିରୋପଣ ପାଇଁ ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠି ଅଧୀନରେ ୧ଲକ୍ଷ ୯୦ ହଜାର ଟଙ୍କା ମଂଜୁର ହୋଇଛି। ହେଲେ ପ୍ରତିରୋପଣ ପାଇଁ ଆଉ ଡାକ୍ତର ନଥିବାରୁ ଏବେ ସେ ଆଶଙ୍କାରେ ରହିଥିବା କହିଛନ୍ତି। କେବଳ ପ୍ରସାଦ ନୁହନ୍ତି, ଯତିନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ଓଝା, ଜ୍ୟୋର୍ତିମୟୀ ଷଡଙ୍ଗୀ, ଆଦିତ୍ୟ ପରିଜା, ସୁନୀଲ ଜେନା, ହିମାଂଶୁ ଚାଟାର୍ଜୀ, ରାଧାଗୋବିନ୍ଦ ଧଳସାମନ୍ତ ଉପରୋକ୍ତ ଅବଧିମଧ୍ୟରେ ପ୍ରତିରୋପଣ କରିବା ପାଇଁ ୟୁରୋଲୋଜି ବିଭାଗରେ ଭର୍ତ୍ତି ହୋଇସାରିଛନ୍ତି। କିନ୍ତୁ ସେମାନେ ମଧ୍ୟ ସମାନ ଆଶଙ୍କା ଭିତରେ ଏବେ ଗତି କରୁଛନ୍ତି।

ବର୍ତ୍ତମାନସୁଦ୍ଧା ଏସ୍‌ସିବି ମେଡିକାଲ୍‌ରେ ୧୪୦ଟି ପ୍ରତିରୋପଣ କରାଯାଇଛି। ଏଥିପାଇଁ ୟୁରୋଲୋଜି ବିଭାଗରେ ମଡୁଲାର ଓଟି ସହିତ ଆଗକୁ ରୋବୋଟିକ୍‌ ସର୍ଜରୀ ପାଇଁ ଭିତ୍ତିଭୂମି ନିର୍ମାଣ ସରିଛି। କିଡ୍‌ନୀ ପ୍ରତିରୋପଣ କେନ୍ଦ୍ର ପାଇଁ ନୋଡାଲ ଅଫିସର ଭାବେ ନେଫ୍ରୋଲୋଜି ପ୍ରଫେସର ଡାକ୍ତର ଚିତ୍ତରଂଜନ କର ଓ ଟିମ୍‌ ଲିଡର ଭାବେ ୟୁରୋଲୋଜି ପ୍ରଫେସର ଡାକ୍ତର ହୋତାଙ୍କୁ ଲାଇସେନ୍ସ ଦିଆଯାଇଛି। ଏମାନଙ୍କ ବ୍ୟତୀତ ତୃତୀୟ ବ୍ୟକ୍ତିଙ୍କ ଲାଇସେନ୍ସ ନଥିବାରୁ ଏବେ ଅସ୍ତ୍ରୋପଚାର ଅସମ୍ଭବ ବୋଲି କୁହାଯାଇଛି। ତଥାପି ୟୁରୋଲୋଜି ବିଭାଗର ଅନ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରାଯିବ। ଯଦି ସେମାନେ ରାଜି ହୁଅନ୍ତି, ତାହେଲେ ପ୍ରତିରୋପଣ ଆରମ୍ଭ ହେବ। ନଚେତ୍‌ ସରକାରଙ୍କୁ ଏହାର ବିକଳ୍ପ ବ୍ୟବସ୍ଥା ଚିନ୍ତା କରିବାକୁ ଅନୁରୋଧ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ପ୍ରତିରୋପଣ ହୋଇସାରିଥିବା ରୋଗୀମାନେ ମିଳିତ ଭାବେ ଆଜି ଅଧୀକ୍ଷକ ଓ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ପଦକ୍ଷେପ ନେବାକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର