ଏସ୍‌ସିବିରେ ଲିଭର ପ୍ରତିରୋପଣ ୟୁନିଟ୍‌ କୋମାରେ : ଖତ ଖାଉଛି ୧୨କୋଟିର ଯନ୍ତ୍ରାଂଶ

ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ
କେବଳ କିଡ୍‌ନି ପ୍ରତିରୋପଣ ଓଡିଶାରେ ସମ୍ଭବ
ସୋଟୋକୁ ଦେଉନାହାନ୍ତି ତାଲିକା
ଲିଭର ପାଇଁ ଏସ୍‌ସିବି ସମେତ ୪ଟି ହସ୍ପିଟାଲକୁ ମିଳିଛି ଅନୁମତି

କଟକ : ଗୋଟିଏ ମାସରେ ଦୁଇ ଦୁଇଟି କାଡାଭରିକ୍‌ ପ୍ରତିରୋପଣ। ତା’ ପୁଣି ଅଙ୍ଗଦାନ କରି ୨ଜଣ ମହିଳା ରଚିଲେ ନୂଆ ଇତିହାସ। ହେଲେ ଦୁଇ ମହିଳାଙ୍କ କେବଳ କିଡ୍‌ନି ହିଁ ଦେଇଛି ୪ଜଣ ରୋଗୀଙ୍କୁ ନୂଆ ଜୀବନ। ଲିଭର ପ୍ରତିରୋପଣ ପାଇଁ ଓଡିଶାରେ କଟକ ବଡ଼ ଡାକ୍ତରଖାନା‌, ଆପୋଲା, କେୟାର ଓ ସୋମ୍‌କୁ ମିଳିଛି ଅନୁମତି। ହେଲେ କଣ ପାଇଁ ପି.ପ୍ରିୟଙ୍କା ରାଣୀ ପାତ୍ର ଓ ସୁଚିତ୍ରା ଦାଶଙ୍କ ଅନ୍ୟ ଅଙ୍ଗର ବିନିଯୋଗ ହୋଇ ପାରିଲାନି, ତା’ ବର୍ତ୍ତମାନ ବଡ ପ୍ରଶ୍ନ। କେଉଁଠି ରହିଲା ଭୁଲ? ସରକାରୀ ବ୍ୟବସ୍ଥା ଏଥିପାଇଁ ଦାୟୀ। ଯୋଜନା କରିଦେଲେ, ହେଲେ କାର୍ଯ୍ୟକାରୀ କରିବାରେ ସରକାରୀ ବିଫଳତା ହିଁ ଅଙ୍ଗଦାନ ପ୍ରକ୍ରିୟାକୁ ନିରୁତ୍ସାହିତ କରୁଛି। କଟକ ବଡ଼ ଡାକ୍ତରଖାନା‌ରେ ସରକାରୀ ବ୍ୟବସ୍ଥାରେ ପୂର୍ବଭାରତର ପ୍ରଥମ ଲିଭର ପ୍ରତିରୋପଣ ୟୁନିଟ୍‌ ହେବାପାଇଁ ସବୁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଏପରିକି ୨୦୧୨ରୁ ଲିଭର ପ୍ରତିରୋପଣ ୟୁନିଟ୍‌ ପାଇଁ ୧୨କୋଟିର ଯନ୍ତ୍ରାଂଶ ଆସି ଖତ ଖାଉଛି। କିନ୍ତୁ ୮ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି ୟୁନିଟ୍‌। ବାରମ୍ବାର ଏହି ୟୁନିଟ୍‌ କାର୍ଯ୍ୟକ୍ଷମ ପାଇଁ ସରକାରୀସ୍ତରରେ ବସୁଛି ଘନ ଘନ ବୈଠକ, କିନ୍ତୁ ଫଳ ଶୂନ୍‌। ଯା’ ଫଳରେ ଗତକାଲି ହୋଇଥିବା କାଡାଭରିକ୍‌ ପ୍ରତିରୋପଣରେ ବ୍ରେନ୍‌ ଡେଡ୍‌ ସୁଚିତ୍ରା ଦାଶଙ୍କ ଲିଭର ଓ ହାର୍ଟ ପ୍ରତିରୋପଣ କଣ ପାଇଁ ସମ୍ଭବ ହୋଇପାରିଲାନି ତା’କୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ଓ ବାଦବିବାଦ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ସୋଟୋ ପକ୍ଷରୁ ଅଙ୍ଗ ପ୍ରତିରୋପଣ ପାଇଁ ସମସ୍ତ ଅନୁମତିପ୍ରାପ୍ତ ହସ୍ପିଟାଲକୁ ବାରମ୍ବାର ବିଭିନ୍ନ ସମୟରେ ଅଙ୍ଗଦାନ ପାଇଁ ଅପେକ୍ଷା କରିଥିବା ରୋଗୀଙ୍କ ତାଲିକା ମଗାଯାଇଛି। କିନ୍ତୁ କେବଳ କିଡ୍‌ନିକୁ ଛାଡ଼ିଦେଲେ ଅନ୍ୟ କୌଣସି ଅଙ୍ଗ; ବିଶେଷ କରି ଲିଭର ପ୍ରତିରୋପଣ ପାଇଁ ଅନୁମତି ପାଇଥିବା କଟକ ବଡ଼ ମେଡିକାଲ, ଆପୋଲା, କେୟାର ଓ ସମ୍‌ ପକ୍ଷରୁ ଦିଆଯାଇନି ରୋଗୀଙ୍କ ତାଲିକା ବୋଲି ସୂଚନା ଦେଇଛନ୍ତି ସୋଟୋର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର। ତେବେ କିଡ଼୍‌ନି ପ୍ରତିରୋପଣ ପାଇଁ ରାଜ୍ୟରେ ୮ଟି ହସ୍ପିଟାଲକୁ ଅନୁମତି ମିଳିଛି। ସେଗୁଡିକ ଭିତରୁ ସରକାରୀ ବ୍ୟବସ୍ଥାରେ କେବଳ ଏସ୍‌ସିବି ଓ ବାକି ସମସ୍ତେ ଘରୋଇ ହସ୍ପିଟାଲ। ସେଗୁଡିକ ହେଲା ଆପୋଲା, ଆମ୍ରି, କିମ୍‌ସ୍‌, ହାଇଟେକ୍‌, କଳିଙ୍ଗ, କେୟାର ଓ ସମ୍‌। ହେଲେ, କିଡ୍‌ନି ପ୍ରତିରୋପଣ ପାଇଁ କେବଳ ଏସ୍‌ସିବି, ଆପୋଲା, ଆମ୍ରି ହସ୍ପିଟାଲ ସେମାନଙ୍କ କିଡ୍‌ନି ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କ ତାଲିକା ସୋଟୋ ପାଖରେ ଦାଖଲ କରିଛନ୍ତି ହେଲେ ବାକି ୫ଟି ଅନୁମତି ପାଇଥିବା ହସ୍ପିଟାଲ ତାଙ୍କ ତାଲିକା ସୋଟୋ ପାଖରେ ଦାଖଲ କରି ନଥିବା ସୋଟୋ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ହାର୍ଟ ପ୍ରତିରୋପଣ ପାଇଁ ଦୁଇଟି ଆପୋଲୋ ଓ କେୟାର ହସ୍ପିଟାଲ ମଧ୍ୟ ଅନୁମତି ମାଗିଥିବା ଜଣାପଡିଛି।

ଯୋଜନା ଥିଲା, ଏସ୍‌ସିବି ମେଡିକାଲରେ ହେବ ପୂର୍ବଭାରତର ପ୍ରଥମ ଲିଭର ପ୍ରତିରୋପଣ ୟୁନିଟ୍। ଏଥିପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ଭିତ୍ତିଭୂମିର ଯାଞ୍ଚ କରିଥିଲେ। ତା’ ସହିତ ଏହି ୟୁନିଟ୍‌ ପାଇଁ ସ୍ବତନ୍ତ୍ର ଭାବେ ଡାକ୍ତର, ନିଶ୍ଚେତକଙ୍କୁ ତାଲିମ ଦିଆଯାଇଥିଲା। ଟ୍ରମା କେୟାର ୪ର୍ଥ ମହଲାରେ ଆଇସିୟୁ, ଓଟି, ବେଡ୍‌ ସବୁ ତିନିବର୍ଷ ହେବ ପ୍ରସ୍ତୁତ ହୋଇଥିଲା। ୨୦୧୪-୧୫ରେ ଏଥିପାଇଁ ୧୨କୋଟିର ବିଭିନ୍ନ ଉପକରଣ କିଣା ହୋଇଥିଲା। ଏବେ ଯନ୍ତ୍ରାଂଶ ବିଭିନ୍ନ ସ୍ଥାନରେ ପଡ଼ି ପଡ଼ି ଖତ ଖାଇବାକୁ ବସିଲାଣି। କେଉଁଠି ଯନ୍ତ୍ରାଂଶ ପଡିଛି, ସେ ହିସାବ ମଧ୍ୟ କାହା ପାଖରେ ନାହଁ। ଏହି ବିଭାଗର ବିଶେଷଜ୍ଞ ପ୍ରଫେସର ଡାକ୍ତର ମିହିର ମହାପାତ୍ର ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ହେଲା ଅବସର ଗ୍ରହଣ କରିଲେଣି। ଶ୍ରୀ ମହାପାତ୍ରଙ୍କ ଅବସର ପରେ ଏହି ପ୍ରତିରୋପଣ କେନ୍ଦ୍ର କାର୍ଯ୍ୟକାରିତା ସଂପୂର୍ଣ୍ଣ ଅନିଶ୍ଚିତ ହୋଇପଡିଛି। ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରୋଗୀମାନେ ବାଧ୍ୟହୋଇ ରାଜ୍ୟ ବାହାରକୁ ଯାଉଛନ୍ତି। ସେହି କାରଣରୁ ଏସ୍‌ସିବିରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ କେନ୍ଦ୍ର ଆରମ୍ଭ କରାଯିବା ପାଇଁ ୨୦୧୨-୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ୮ ବର୍ଷ ପରେ ବି ଯୋଜନା କାର୍ଯ୍ୟକାରୀ ନହୋଇ କେବଳ ଅର୍ଥଶ୍ରାଦ୍ଧ ହୋଇଛି।

ପୂର୍ବ ଭାରତର ପ୍ରଥମେ ହେବାକୁ ଥିବା ଏହି ଲିଭର୍‌ ପ୍ରତିରୋପଣ ୟୁନିଟ୍‌ କିପରି କାର୍ଯ୍ୟକ୍ଷମ ହେବ ଓ ଆଗକୁ ଯିବ ସେ ସଂକ୍ରାନ୍ତରେ ଗତ ଜୁଲାଇ ୧୯ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲିଭର ପ୍ରତିରୋପଣ ୟୁନିଟ୍‌ ସହ ଏସ୍‌ସିବିରେ ଅଧା ଥିବା ଅନେକ ପ୍ରକଳ୍ପର ଭାଗ୍ୟ ନିର୍ଦ୍ଧାରଣ ଓ ମାନସମନ୍ଥନ ଏହି ବୈଠକରେ କରାଯିବାର ଯୋଜନା କରାଯାଇଥିଲା। ବୈଠକରେ ଡିସେମ୍ବର ସୁଦ୍ଧା ଏହି ୟୁନିଟ୍‌ କାର୍ଯ୍ୟକ୍ଷମ ପାଇଁ ନିଆଯାଇଥିଲା ନିଷ୍ପତ୍ତି। ହେଲେ, ବୈଠକ ପରେ ସାମାନ୍ୟ ବି ଆଗକୁ ଗଲାନି କାମ। ଯେଉଁଠି ଥିଲା ସେଇଠି ଅଟକିଛି ପ୍ରକଳ୍ପ। ଏବେ କିନ୍ତୁ ସେହି ପୁରୁଣା ପ୍ରକଳ୍ପ ଛାଡି ଏସ୍‌ସିବିକୁ ଏମ୍‌ସ୍‌ ପ୍ଲସ୍‌ ମେଡିକାଲରେ ଗଢି ତୋଳିବା ଯୋଜନାରେ ରାଜ୍ୟ ସରକାର ବ୍ୟସ୍ତ। ଏବେ ଏହି ୧୨କୋଟିର ଟଙ୍କା ପାଣିରେ ପଡ଼ିବ‌ା ଭଳି ସ୍ଥିତି। ଏପରିକି ଯନ୍ତ୍ରାଂଶର ଅବସ୍ଥା ଏବେ କେମି୍ତି ଅଛି ତାହା କାହାରିକୁ ଜଣା ନଥିବା ବେଳେ ଇତିମଧ୍ୟରେ ଯନ୍ତ୍ରାଂଶର ଅତ୍ୟାଧୁନିକ ଭର୍ସନ ବି ବାହାରି ସାରିଲାଣି। ଫଳରେ ଏହି ପୁରୁଣା ଯନ୍ତ୍ରାଂଶ କେତେଦୂର ବ୍ୟବହାର ଉପଯୋଗୀ ହୋଇପାରିବ ତାହା ଏକ ବଡ ପ୍ରଶ୍ନବାଚୀ। କେବଳ ସେତିକି ନୁହେଁ, ଏସ୍‌ସିବି କାର୍ଡ଼ିଓଥୋରାସିସ୍‌ ବିଭାଗରେ ଓପନ୍‌ ହାର୍ଟ ସର୍ଜରି ହୋଇପାରୁଥିବା ବେଳେ ସେଠାରେ ମଧ୍ୟ ହାର୍ଟ ପ୍ରତିରୋପଣ ବ୍ୟବସ୍ଥା ସମ୍ଭବ। ଏଥିପାଇଁ ସରକାରଙ୍କ ପକ୍ଷରୁ ତିନିବର୍ଷ ହେଲା ଭିତ୍ତିଭୂମିର ବିକାଶ ପାଇଁ କ’ଣ କ’ଣ ଆବଶ୍ୟକତା ରହିଛି ସେ ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ପାଖରେ ଦାଖଲ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗକୁ ହାର୍ଟ ପ୍ରତିରୋପଣ ପାଇଁ ଅନୁମତି ମିଳିପାରିନି କି ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇପାରିନି।

ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ପାଇଁ ଅଙ୍ଗଦାନ କ୍ଷେତ୍ରରେ ଦୁଇଟି ଦୁଇଟି କାଡାଭେରିକ୍‌ ପ୍ରତିରୋପଣ କରି ଇତିହାସ ସୃଷ୍ଟି କରିଥିବା ଓଡ଼ିଶା କେବଳ କିଡ୍‌ନି ପ୍ରତିରୋପଣରେ ଅଟକିଛି। ହେଲେ ଲିଭର, ହାର୍ଟ ପ୍ରତିରୋପଣ ବ୍ୟବସ୍ଥା ଆଗେଇ ପାରୁନି। ସୂଚନାଯୋଗ୍ୟ, ଲିଭର ପ୍ରତିରୋପଣ ପାଇଁ ୧୬ ଘଣ୍ଟା, କିଡ୍‌ନି ପାଇଁ ୨୦ ଘଣ୍ଟା ଓ ହାର୍ଟ ପାଇଁ ୪ଘଣ୍ଟା ଦରକାର। ଗତକାଲି ରୋଟୋ ପକ୍ଷରୁ ହାର୍ଟ ଓ ଲିଭର ନେବା ପାଇଁ ଅନୁମତି ସରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ପ୍ରକ୍ରିୟା ଅଟକିଥିଲା। କ’ଣ ପାଇଁ ଅଟକିଲା ଏହି ପ୍ରକ୍ରିୟା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି ସିଧାସଲଖ ଏ ସମ୍ପର୍କରେ ମତ ଦେଉ ନଥିବା ବେଳେ ଭିତରେ କିନ୍ତୁ ଚାପା ଗୁଞ୍ଜରଣ ଓ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର