ନୂଆଗାଁ ବ୍ଲକ୍‌ରେ ମିଳୁନି ମୌଳିକ ସୁବିଧା : ବିକଳ୍ପ ପନ୍ଥା ଖୋଜୁଛନ୍ତି ଆଦିବାସୀ

ନୂଆଗାଁ : ନୂଆଗାଁ ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ପ୍ରଶାସନ ସମସ୍ତଙ୍କୁ ଅଣଦେଖା କରି ଚାଲିଛି। ଏଠାରେ ଦଲାଲ ଏବଂ କୁଜିନେତାଙ୍କ ରାଜ୍‌ ଚାଲିଥିବା ବେଳେ ସରଳ ଆଦିବାସୀ ଲୋକେ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ୁଛନ୍ତି। କିଏ ବ୍ଲକ୍ ଧାଇଁ ଧାଇଁ ନୟାନ୍ତ ହେଉଛି ତ ଆଉ କିଏ କୁଜିନେତାଙ୍କୁ ଖୁସାମତ କରି ଟଙ୍କା ଗଣିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଦିବାସୀମାନେ ଅନ୍ୟ କିଛି ଉପାୟ ନ ପାଇ ମାଓବାଦୀ କାର୍ଯ୍ୟକଳାପ ପ୍ରତି ଆଗ୍ରହ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ ଆଦିବାସୀ ଇଲାକାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଠପ୍ ହୋଇଯାଇଛି। ସରକାରୀ ଯୋଜନା ଏହି ଲୋକଙ୍କ ପାଇଁ ଉପହାସ ମନେ ହେଉଥିବା ଚର୍ଚ୍ଚା ହେଉଛି। ଆଗକୁ ଆଦିବାସୀମାନେ ବିକଳ୍ପ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ୍‌ରେ ୨୨ଗୋଟି ପଞ୍ଚାୟତରୁ ୨୦ଟି ପଞ୍ଚାୟତ ଆଦିବାସୀ ବହୁଳ ଅଂଚଳ ଭାବେ ଜଣାଶୁଣା। ପ୍ରତି ପଞ୍ଚାୟତରେ ଥିବା ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ବିଫଳ ହେବାର ନମୁନା ଦେଖିବାକୁ ମିଳିଛି। ପାରାଢ଼ିପି ପଞ୍ଚାୟତକୁ ଲକ୍ଷ୍ୟ କଲେ ପୋକଶୁଙ୍ଗା, କଟିଆମ୍ବା, ଅଭୟପୁର ଆଦି ଗାଁରେ ଏ ପର୍ଯ୍ୟନ୍ତ ମାଟି ମୁଠାଏ ପଡ଼ିନାହିଁ। ଲୋକମାନେ ଦୁଃଖ ଦୁର୍ଦ୍ଦଶାରେ ବର୍ଷ ବର୍ଷ ଧରି ସଢ଼ୁଛନ୍ତି। ରାସ୍ତାଘାଟ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିବା ବେଳେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନପାରି ଅଧାରାସ୍ତାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। କେବଳ ସେତିକି ନୁହେଁ ଆଦିବାସୀମାନଙ୍କର ଏକର ଏକର ଚାଷ ଜମିଥିଲେ ମଧ୍ୟ ଜଳେସଚନର ଅସୁବିଧା ଯୋଗୁ ସବୁ ଜମି ପଡ଼ିଆ ପଡ଼ୁଛି। ଏବେ ଆଦିବାସୀମାନେ ଜଙ୍ଗଲରୁ ଜାଳେଣୀ କାଠ, ଏବଂ ସରକାରଙ୍କ ୧ ଟଙ୍କିଆ ଚାଉଳ ଉପରେ ଭରସା କରିଛନ୍ତି। ବହୁ ବାଧାବିଘ୍ନ ଦେଇ ଗତି କରୁଥିବା ଆଦିବାସୀମାନେ ଏବେ ଗାଁରେ ମଦ ସଂଗ୍ରହ କରୁଛନ୍ତି। ଏହି ମଦ ଘରେ ଘରେ ସଂଗ୍ରହ କରି ନିଜେ ମଦ୍ୟପାନ କରିବା ସହିତ ବ୍ୟବସାୟ କରୁଛନ୍ତି। ଦି’ ପଇସା ସେଥିରୁ ରୋଜଗାର କଲେ ତେଲ ଲୁଣର ସଂସାର ଚଳାଇବାକୁ ଚିନ୍ତା କରୁଛନ୍ତି। ଏମିତି ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ସେହି ଅପନ୍ତରିଆ ଗାଁରେ ପହଞ୍ଚି ପାରିନାହିଁ। କିଛି ବର୍ଷ ପୂର୍ବେ ପୋକଶୁଙ୍ଗା ଗାଁରେ ଏକ ବିଦ୍ୟାଳୟ ଗଢ଼ି ଉଠିଥିଲା । ଆଖପାଖର ଛାତ୍ରଛାତ୍ରୀମାନେ ଆସି ସେଠାରେ ଅଧ୍ୟୟନ କରୁଥିଲେ। ସେଠାରେ କୌଣସି ସରକାରୀ ସହାୟତା ନ ମିଳିବା ଏବଂ ଶିକ୍ଷକମାନେ ନିୟମିତ ନ ଆସିବାରୁ ବିଦ୍ୟାଳୟଟି ବନ୍ଦ ହୋଇଗଲା। ଏବେ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇ ଘର କାମରେ ସାହାଯ୍ୟ କରୁଛନ୍ତି। ଆଉ କେତେକ ଛାତ୍ରଛାତ୍ରୀଙ୍କୁ ବାପା ମାଆ ନେଇ ବାହାରେ ହୋଟେଲ, ଗ୍ୟାରେଜ ଏବଂ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି। ଦୁଃଖକୁ ଛାତିରେ ଚାପି ବାପା, ମାଆମାନେ ଘରେ ଗୁମୁରି କାନ୍ଦୁଥିବା କେତେକ ପରିବାର କହିଛନ୍ତି। ରୋଗୀଟିଏ ଗାଁରେ ପଡ଼ିଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଆଶା ମଉଳି ଯାଇଛି। ଗାଁକୁ ଯାନବାହାନ ଯିବା ତ ଦୂରର କଥା ଖାଲି ପାଦରେ ଯିବା କଷ୍ଟକର। ଅଧିକାଂଶ ରୋଗୀ କିମ୍ବା ଗର୍ଭବତୀ ମହିଳା ଅଧାବାଟରେ ପ୍ରସବ କରିବାର ଉଦାହରଣ ମଧ୍ୟ ରହିଛି। ଆଜି ପର୍ଯ୍ୟନ୍ତ ଗାଁକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇନାହିଁ। ଲୋକମାନେ ସେହି ନଦୀ, ନାଳ, ଖୋଲାକୂପରୁ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି।

ବଡ଼କଥା ହେଉଛି ଏହି ଅଂଚଳଗୁଡ଼ିକରେ ଦଲାଲ ଏବଂ କୁଜିନେତାଙ୍କ ପ୍ରାଦୁର୍ଭାବ ରହିଛି। ଗାଁକୁ କିଛି ଯୋଜନା ଆସିବାର ଗନ୍ଧ ପାଇବା ମାତ୍ରେ ଲୋକଙ୍କୁ ମେଳି କରି ଅର୍ଥ ଆତ୍ମସାତ୍ କରିବାକୁ ଆଗେଇ ଆସୁଛନ୍ତି। ଗାଁର ବିକାଶକୁ ନେଇ ଅଂଚଳବାସୀ ଚିନ୍ତିତ ଥିବା ବେଳେ ମାଓବାଦୀଙ୍କ ଚଳପ୍ରଚଳ ନେଇ ଏହି ଅଂଚଳରେ ଗୁଜବ ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଅଂଚଳର ବିକାଶ ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ତେବେ ଏବେଠାରୁ ବ୍ଲକ୍ ପ୍ରଶାସନ ସଜାଗ ରହି ଆଦିବାସୀ ଉପାନ୍ତ ଗାଁଗୁଡ଼ିକର ବିକାଶ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର