ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିରୋଧରେ ହଜାର ହଜାର ମାମଲା ଭୁବନେଶ୍ୱରଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ସବୁ ଅଦାଲତରେ ଗଡ଼ୁଛି। କେଉଁଠି ଅବସର ପରେ ଶିକ୍ଷକ ପେନ୍ସନ୍ ପାଉ ନଥିବାରୁ ମାମଲା ହୋଇଛି। ଆଉ କେଉଁଠି ମୃତ ଶିକ୍ଷକଙ୍କ ପରିବାର ହକ୍ ପାଇବା ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଏବେ ବି ପାଖାପାଖି ୪୭ ହଜାର ମାମଲା ମୁଣ୍ଡାଇ ବିଭାଗ ବସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁନ୍ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମାମଲା ଫଇସଲା ଉପରେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ମାମଲାର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା। ଗତ ମାସରେ ବ୍ଲକସ୍ତରରେ ଦୁଇ ଦିନଧରି ସ୍ୱତନ୍ତ୍ର ଅଦାଲତ କରାଯାଇ ମାମଲା ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାଦ୍ୱାରା ପ୍ରାୟ ୨୫ ହଜାର ମାମଲାର ଫଇସଲା ହୋଇଛି। ମାତ୍ର ୭୨ ହଜାର ମାମଲା ମଧ୍ୟରୁ ଆହୁରି ୪୭ ହଜାର ମାମଲା ଏବେବି ଅଦାଲତରେ ଗଡ଼ୁଛି। ଯେଉଁଥିପାଇଁ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଅଦାଲତକୁ ଦୌଡ଼ୁଛନ୍ତି। ସ୍ୟାଟ୍ରେ ମଧ୍ୟ କିଛି ମାମଲା ଚାଲିଛି। ଚଳିତବର୍ଷ ଶେଷ ସୁଦ୍ଧା ବାକି ଥିବା ମାମଲା ମଧ୍ୟରୁ ଆହୁରି ୨୦ ହଜାର କମାଇବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଗଣଶିକ୍ଷା ବିଭାଗ ଅଧୀନକୁ ଆସିବା ପରେ ମାମଲା ସଂଖ୍ୟା ବଢ଼ିଯାଇଛି। ପେନ୍ସନ୍ ମାମଲା ସଂଖ୍ୟା ସବୁଠାରୁ ଅଧିକ ରହିଛି। ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମଧ୍ୟ କିଛି ମାମଲା ସେମିତି ପଡ଼ି ରହିଛି। କିଛି ସ୍ଥାନରେ ଦେଖାଯାଉଛି ଯେ ଅଭିଯୋଗକାରୀ ଅଦାଲତର ଦ୍ୱାରସ୍ଥ ହେବା ପରେ ଆଉ ଆସୁନାହାନ୍ତି।
ସ୍ଥିର ହୋଇଛି, ପେନ୍ସନ୍ ମାମଲାଗୁଡ଼ିକର ସମାଧାନ ପାଇଁ ଅକ୍ଟୋବର ୨୮, ନଭେମ୍ବର ୪ ଓ ୧୧ରେ ସାରା ରାଜ୍ୟରେ ପୁଣିଥରେ ପେନ୍ସନ୍ ଅଦାଲତ କରାଯିବ। ଏଥିରେ ଅଭିଯୋଗଗୁଡ଼ିକର ଶୁଣାଣି ହେବା ସହ ମାମଲାର ସମାଧାନ ହେବ।