ସରକାରଙ୍କ ପ୍ରତିଶ୍ରୁତିକୁ ପ୍ରତ୍ୟାଖାନ କଲା ମିଳିତ ମଞ୍ଚ

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ସରକାରଙ୍କ ପକ୍ଷରୁ ଦାବି ପୂରଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ମିଳିତ ମଞ୍ଚ ପ୍ରତ୍ୟାଖ୍ୟାନ କରିଛି। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ସରକାର କୋର୍ଟରେ ନିଜ ଆଡ଼ୁ ମାମଲା ଦାଏର କରିଥିବା ଶିକ୍ଷକଙ୍କ ଦ୍ୱାରା ଏ ବାବଦରେ ସତ୍ୟପାଠ ଦାଖଲ କରାଯିବା ସମ୍ପର୍କରେ ଉଲ୍ଲେଖ କରିଥିବାରୁ ସମ୍ପୃକ୍ତ ଶିକ୍ଷକଙ୍କଠାରୁ ଏଭଳି ସତ୍ୟପାଠ ସରକାର ଚାହିଁଥିଲେ। ବର୍ତମାନ ନିଷ୍ପତ୍ତି ନିଆଯାଇଛି ଯେ କୋର୍ଟରେ କେସ୍‌ ବିଚାରାଧୀନ ଥିବା ଶିକ୍ଷକମାନେ ସତ୍ୟପାଠ ପରିବର୍ତେ ନିଜେ ଦାଖଲ କରିଥିବା ମାମଲା ସମ୍ପର୍କରେ ଲିଖିତ ଆକାରରେ ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାଦ୍ୱାରା ସରକାର ବିଚାରାଧୀନ ଥିବା ମାମଲାଗୁଡ଼ିକ ସମ୍ପର୍କରେ ଅବଗତ ହୋଇ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମର୍ଥ ହେବେ। ଶିକ୍ଷକଙ୍କୁ ଏନେଇ କୌଣସି ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି। ମାତ୍ର ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିିକୁ ପ୍ରତ୍ୟାଖାନ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ପୂର୍ବ ପରି ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର