ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ହାତରେ ସ୍କୁଲ୍‌ ରକ୍ଷଣାବେକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରୁ କାଢ଼ି ନିଆଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି। ସେହିପରି ସହରାଞ୍ଚଳରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନଗର ଉନ୍ନୟନ ବିଭାଗ ହାତରେ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବିଭାଗ ଏହି ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଗ୍ରାମ ପଞ୍ଚାୟତ ଜରିଆରେ କରିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି କାର୍ଯ୍ୟ ସଂପୃକ୍ତ ପୌର ପରିଷଦ ଜରିଆରେ କରାଇବ। ପୌର ପରିଷଦ ନିକଟରେ ପାଣ୍ଠିର ଅଭାବ ହେଲେ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିପାରିବେ। ଉଚ୍ଚ ବିଦ୍ୟାଳୟ ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଣିକି ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସହରାଞ୍ଚଳରେ ପୂର୍ତ୍ତ ବିଭାଗକୁ ଦେବା ପାଇଁ ନିଷ୍ପତ୍ତି କରାଯାଇଛି। କୌଣସି ନୂଆ ସ୍କୁଲ୍‌ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କିମ୍ବା ଓପେପାରୁ ମିଳୁଥିବା ଅର୍ଥକୁ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସଂପୃକ୍ତ ବିଭାଗକୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର