ଖୋଲିଲା ସ୍କୁଲ, ବୁଲିଲେ ଅଧିକାରୀ

‘ପ୍ରତିକାରାତ୍ମକ ଶିକ୍ଷା’ର ଶୁଭାରମ୍ଭ, ଦୁଇଟି ପର୍ଯ୍ୟାୟରେ ସାମିଲ ହେବେ ୫୦ ଲକ୍ଷ ପିଲା

ଭୁବନେଶ୍ୱର: ଗ୍ରୀଷ୍ମ ଛୁଟି ପରେ ଖୋଲିଛି ସ୍କୁଲ। ଆଜି ରାଜ୍ୟର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆରମ୍ଭ ହୋଇଛି। ନିର୍ଧାରିତ ସମୟରେ କ୍ଲାସ୍‌ ଆରମ୍ଭ ହେବା ସହ ଶେଷ ମଧ୍ୟ ହୋଇଛି। ଛୁଟି ପରେ ପ୍ରଥମ ଦିନ ହୋଇଥିବାରୁ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଉପସ୍ଥାନ କମ୍‌ ରହିଥିଲା। ଆଉ କିଛି ସ୍କୁଲରେ ପ୍ର୍ରବଳ ବର୍ଷା ହେବା ଯୋଗୁଁ ପାଠପଢ଼ା ବ୍ୟାହତ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ସ୍କୁଲ ଖୋଲିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ‘ପ୍ରତିକାରାତ୍ମକ ଶିକ୍ଷା’ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରାଯାଇପାରିବ। କ୍ଲାସରେ ଦୁର୍ବଳ ଥିବା ପିଲାମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଦୁଇଟି ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ ହେବ। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା)ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ। ସେମାନେ ଉପକୃତ ହୋଇପାରିବେ। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ‘ଉଜ୍ଜ୍ୱଳ’ ଓ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ‘ଉତ୍ଥାନ’ କାର୍ଯ୍ୟକ୍ରମରେ ପ୍ରତିକାରାତ୍ମକ ଶିକ୍ଷା ଦିଆଯିବ।

ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ସ୍କୁଲରେ ଚାଲିବ। ସାହିତ୍ୟ, ଇଂରାଜୀ, ଗଣିତ, ସାମାଜିକ ବିଜ୍ଞାନ ବିଷୟରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯିବ। ଏନେଇ ସ୍କୁଲ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇ ସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ପ୍ରଥମ ସପ୍ତାହରୁ ୨୦୧୯ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପ୍ରତି ସୋମବାର ୩ ଘଣ୍ଟାର କାର୍ଯ୍ୟକ୍ରମ କରାଯାଇ ସ୍ୱତନ୍ତ୍ର ଭାବେ ଶିକ୍ଷା ଦିଆଯିବ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭାଗ ପକ୍ଷରୁ ଏକ ବିବରଣୀ ପୁସ୍ତିକା ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିରେ ବିଦ୍ୟାର୍ଥୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟ ଦକ୍ଷତା ବିକାଶ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସ୍କୁଲ ଖୋଲିବାର ପ୍ରଥମ ଦିନରେ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସେକ୍ଟର-୬ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆଇଆରସି ଭିଲେଜ୍‌ ହାଇସ୍କୁଲ ପରିଦର୍ଶନ କରିଥିଲେ। ସେହିପରି ବିଭାଗୀୟ ଶୈକ୍ଷିକ ଉପନିର୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ର ଓ ଶିକ୍ଷା ଅଧିକାରୀମାନେ ୟୁନିଟ୍‌-୬, ୟୁନିଟ୍‌-୧, ଏରୋଡ୍ରମ ଉଚ୍ଚ ପ୍ରାଥମିକ ବିିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମର ତଦାରଖ କରିଛନ୍ତି।

ସମ୍ବନ୍ଧିତ ଖବର