ଦାରିଙ୍ଗବାଡି ଛାତ୍ରୀ ପ୍ରସବ ଘଟଣା : ୧୨ ସହଅଧୀକ୍ଷକଙ୍କ ଦରମା ବନ୍ଦ

ଫୁଲବାଣୀ : ଦାରିଙ୍ଗବାଡି ଛାତ୍ରୀ ପ୍ରସବ ଘଟଣା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ମନୋବୃତ୍ତିରେ ରହିଛନ୍ତି। ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସ୍କୁଲ ଓ ହଷ୍ଟେଲରେ କୌଣସି ଅଘଟଣର ଯେଭଳି ପୁନରାବୃତ୍ତି ନହୁଏ,ଏଥିପାଇଁ ପ୍ରାଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ଏହି କ୍ରମରେ ୧୨ ଜଣ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବା ସହ ଅଧୀକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ଅନୁପସ୍ଥିତ କାରଣରୁ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଘୁ.ଉଦୟଗିରି ବ୍ଳକ କିଟ୍ରାଙ୍ଗିଆ ସ୍କୁଲ ଛାତ୍ରୀ ନିବାସର ସହକାରୀ ସୁପରିଟେଣ୍ଡଣ୍ଟ ଶୋଭାରାଣୀ ନାୟକ, ଖଜୁରୀପଡା ବ୍ଲକ ଲାମ୍ବାଗୁଡାର ଶ୍ବାତୀ ତନ୍ମୟୀ ପଣ୍ଡା, ଦୁତିପଡାର ସସ୍ମିତା ଦାସ, ଫୁଲବାଣୀ ସାଇଗୀତାର ସଂଗୀତା ପଟ୍ଟନାୟକ, ସାର୍ତ୍ତାଗୁଡାର ସତ୍ୟବତୀ ମହାକୁଡ, କୁଡିପୁଞ୍ଜାର ମମତା ମଂଜରୀ ସାହୁ, ମୁଣ୍ଡିପଡା ମା’ ଭୈରବୀ ସ୍କୁଲର ବିଦ୍ୟୁତଲତା ମହାନ୍ତି , ଚକାପାଦ ମା ଭୈରବୀ ବାଳିକା ସ୍କୁଲର ସାଗରିକା ମହାପାତ୍ର, ଫିରିଙ୍ଗିଆ ସଲାଗୁଡାର ଅନଙ୍ଗ ମଂଜରୀ ଦେହୁରୀ, ଟିକାବାଲି ମୁନିଗାଁର ଜ୍ୟୋତ୍ସ୍ନାରାଣୀ ପଣ୍ଡା ଏବଂ ତୁମୁଡିବନ୍ଧ ବ୍ଲକ ଲଙ୍ଗାଗଡ ସ୍କୁଲ ଛାତ୍ରୀ ନିବାସ ସହକାରୀ ସୁପରିଟେଣ୍ଡଣ୍ଟଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଯେଉଁମାନେ ନିଜର କାର୍ଯ୍ୟରେ ଅବହେଳା କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ମଂଗଳ ଅଧିକାରୀ ଚାରୁଲତା ମଲ୍ଲିକ କହିଛନ୍ତି। ଦାରିଙ୍ଗବାଡି ଛାତ୍ରୀ ପ୍ରସବ ଘଟଣା ପରେ ଅବ୍ୟବସ୍ଥା ସଜଡିବା ନିମନ୍ତେ ଜିଲ୍ଲା ପ୍ରଶାସନ ଆଖିରୁ ଏବେ ନିଦ ହଜି ଯାଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର