ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ହିଁ କରିଥିଲା ଦୁଷ୍କର୍ମ

ଘରେ ଓ ହଷ୍ଟେଲରେ ବାରମ୍ବାର ହୋଇଛି ଦୁଷ୍କର୍ମ, ସତ ମାନିବା ପରେ ଗିରଫ କରି ଜେଲ ପଠାଇଲା ପୁଲିସ

ଜୟପୁର : ଜୟପୁର ସହର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପୁଲିସ ଆଜି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ରାଜେନ୍ଦ୍ର ରଥ (୬୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛାତ୍ରୀଙ୍କ ସହ ବାରମ୍ବାର ଦୁଷ୍କର୍ମ ହୋଇଥିଲା। ଏପରିକି ଅଭିଯୁକ୍ତ ତାଙ୍କୁ ଖରା ଛୁଟିରେ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ପୁଲିସ ଜାଣିବାକୁ ପାଇଛି। ବେଆଇନ ଭାବେ ସେବାଶ୍ରମରେ ରାତି ବିତାଉଥିବା ଅଭିଯୁକ୍ତ ରାଜେନ୍ଦ୍ର ଛାତ୍ରୀଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲା ବୋଲି ପୁଲିସ ପ୍ରମାଣ ପାଇଛି। ଗତକାଲିଠାରୁ ଥାନାରେ ଅଟକ ଥିବା ଅଭିଯୁକ୍ତ ମୁହଁରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଥିବା ପୁଲିସ କହିଛି। ଯାହାକୁ ପୀଡ଼ିତା ବି ସ୍ବୀକାର କରିବାରୁ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତେବେ ରାଜେନ୍ଦ୍ର ବ୍ୟତୀତ ଆଉ କିଏ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଥିବା ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲ୍ଲି ସୂଚନା ଦେଇଛନ୍ତି।

ଏସଡିପିଓ କହିଛନ୍ତି ଯେ, ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ଜଣକ ଏନେଇ ପ୍ରଥମେ ଅନ୍ୟ ଜଣଙ୍କର ନାମ କହୁଥିଲା। ବାରମ୍ବାର ବୟାନ ବଦଳାଇବା ମଧ୍ୟରେ ହଠାତ୍ କହିଥିଲା ଯେ, ସେ ଖରାଦିନ ଛୁଟି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଘରେ ବିତାଇଥିଲା। ତେଣୁ ପୁଲିସ ଅଧିକ ଖୋଳତାଡ଼ କରିବାରୁ ପୀଡ଼ିତା ସବୁ ସତ କହି ଦେଇଥିଲା। ଛୁଟିରେ ରହିବା ମଧ୍ୟରେ ରାଜେନ୍ଦ୍ରଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଥିଲେ ପୀଡ଼ିତା। ପଚରା ଉଚୁରା ସମୟରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟ ସ୍ବୀକାର କରିଥିଲା। କେବଳ ଘରେ ନୁହେଁ; ସ୍କୁଲ ପରିସରରେ ମଧ୍ୟ ଅଭିଯୁକ୍ତ ଏଭଳି ଜଘନ୍ୟ କାମ କରିଥିବା ପୁଲିସ କହିଛି। ତେଣୁ ଭାରତୀୟ ଦଣ୍ଡବିଧି ଆଇନର ୩୭୬ (୨) (ଏନ୍‌)/ ୩୭୬ (୩)/ ୫୦୬ ଏବଂ ପୋକ୍‌ସୋ ଆଇନ୍‌ର ଏସ୍‌. ୫ ଏବଂ ଏସ୍‌ସି/ଏସ୍‌ଟି ପିଓଏ ଆଇନ୍‌ର ଏସ୍‌. ୩ (୨) (ଭି) ଲାଗୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ତେବେ ଦୀର୍ଘ ଦିନ ହେଲା ନାବାଳିକାଙ୍କ ସହ ଏଭଳି କୁକର୍ମ ଚାଲିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କେମିତି କିଛି ଜାଣିପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ଏପରିକି ପ୍ରଧାନ ଶିକ୍ଷୟିତ୍ରୀଙ୍କ ହାବଭାବକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଶୁଣିବାକୁ ମିଳୁଛି ଯେ, ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ରଥ ସେବାଶ୍ରମରେ ଅନେକ ସମୟରେ ରହୁନଥିଲେ। ତାଙ୍କ ସ୍ଥାନରେ ସ୍ବାମୀ ରାଜେନ୍ଦ୍ର ରଥ ହିଁ ରହୁଥିଲେ। ଏହାକୁ ନେଇ ତାତି ଯାଇଛନ୍ତି ସ୍ଥାନୀୟ ଲୋକ।

ଆଜି ସକାଳୁ ସକାଳୁ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ସମସ୍ତ ୪ଜଣ ଯାକ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣା ପ୍ରଚାର ହୋଇଥିଲା। ଯାହାର ପ୍ରତିଫଳନ ଫାମ୍ପୁଣି ସେବାଶ୍ରମ ଏବଂ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ବି ଅଭିଯୁକ୍ତକୁ ଏନକାଉଣ୍ଟର କରିବାକୁ ଲୋକେ ଦାବି କରିଥିଲେ। ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ କୋର୍ଟ ଚାଲାଣ ନ କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଉ ବୋଲି ପାଟିତୁଣ୍ଡ କରିଥିଲେ। ଲୋକଙ୍କ ସମ୍ମୁଖରେ ଗୁଳି କରିବାକୁ ବି ଲୋକେ ଦାବି କରିଥିଲେ। ପରିସ୍ଥିତି ଏମିତି ହେଲା ଯେ ବାଧ୍ୟ ହୋଇ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ବହୁ ସମୟ ଧରି ଆଲୋଚନା ପରେ ଲୋକେ ଶାନ୍ତ ପଡ଼ିଥିଲେ।

ଅନ୍ୟପଟେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକ। ଏହି ଲଜ୍ଜା କାହାକୁ କହିବେ ଏବଂ କାହାକୁ ନ୍ୟାୟ ମାଗିବେ ଜାଣିପାରୁ ନାହାନ୍ତି। ନିଜର ଝିଅ ନଥିବାରୁ ମୋ ଝିଅକୁ ଘରକୁ ନେଇ କିଛି ଦିନ ରଖିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିବେଦନ କରିଥିଲେ। ବିଶ୍ବାସ କରି ଝିଅକୁ ତାଙ୍କ ଘରକୁ ଛାଡ଼ିଥିଲୁ। ହେଲେ ଆମକୁ ଏମିତି ତଳିତଳାନ୍ତ କରିଦେବେ ବୋଲି ଆମେ ଜାଣି ନଥିଲୁ ବୋଲି ପୀଡ଼ିତାଙ୍କ ପରିବାର ଲୋକ କହିଛନ୍ତି। ଏହି ଘଟଣାରେ ବ୍ଲକ ମଙ୍ଗଳ ଅଧିକାରୀ ରଜନୀକାନ୍ତ ନାଏକ କହିଛନ୍ତି ଯେ, ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିସାରିଛି। ପ୍ରଶାସନ ପକ୍ଷରୁ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର