ମଧ୍ୟାହ୍ନ ଭୋଜନ ରେ‌ାଷେଇ ପାଇଁ ଛାତ୍ର ବୋହୁଛନ୍ତି ଘସି, କାଠ

ରାଜନଗର : ବିଦ୍ୟାଳୟରେ ମଧୢାହ୍ନଭୋଜନ ରୋଷେଇ ପାଇଁ ଛାତ୍ରମାନେ ସାଇକେଲରେ କୁଇ˚ଟାଲ ଓଜନର କାଠ ଓ ଘସି ବୋହୁଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଜୁନୁସନଗରରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଜନଗର ବ୍ଲକ ଈଶ୍ବରପୁର ପଞ୍ଚାୟତ ଜୁନୁସନଗର ୟୁଜିୟୁପି ବିଦ୍ୟାଳୟର ମଧୢାହ୍ନଭୋଜନ ରୋଷେଇ ପାଇଁ ୫ଜଣ ଛାତ୍ର ୨ଟି ସାଇକଲରେ ଜାଳେଣି କାଠ ଓ ଘସି ବୋହିବା ଘଟଣା ଅଭିଭାବକ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଗୋଟିଏ ଗୋଟିଏ ସାଇକଲରେ ଦୁଇବସ୍ତା କାଠ ଓ ଘସି ଲଦି ସେମାନେ ବିଦ୍ୟାଳୟ ଯାଏଁ ଆଣିଥିଲେ। ଜଣେ ଛାତ୍ର ସାଇକଲ ଗଡାଉଥିବା ବେଳେ ଅନ୍ୟଜଣେ ତାହାକୁ ପଛରୁ ପେଲିବା ଭଳି ବିଚିତ୍ର ଦୃଶ୍ୟ ଅସନ୍ତୋଷର କାରଣ ହୋଇଛି। ଦୁଇଟି ସାଇକଲରେ ୫ଜଣ ଛାତ୍ର ଏଭଳି ୨ଥର ଲେଖାଏଁ ଗାଁ ମଧୢରୁ ବିଦ୍ୟାଳୟ ଯାଏଁ କାଠ, ଘସି ବୋହି ଆଣିଥିଲେ। କାଠ ବୋହୁଥିବା ୫, ୬ଷ୍ଠ ଓ ୭ମ ଶ୍ରେଣୀର ୩ ଛାତ୍ରଙ୍କୁ ଏ ସଂପର୍କରେ ପଚାରିବାରୁ ସେମାନେ ସାର‌୍‌ କାଠ ବୋହିବାକୁ କହିଲେ, କାଠ ବୋହି ନ ଥିଲେ ମାଡ଼ ଖାଇଥାନ୍ତୁ ବୋଲି କହିଛନ୍ତି।

୩ୟରୁ ୫ମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ୨କେଜି ୩ଶହ ଗ୍ରାମର ବହିବ୍ୟାଗ, ୬ଷ୍ଟ ଓ ୭ମ ଶ୍ରେଣୀ ଛାତ୍ର ଛାତ୍ରୀ ୪ କେଜି ଓଜନର ବହି ବସ୍ତାନୀ ଆଣିବାକୁ ନିର୍ଦ୍ଦେଶ ରହିଛି। ଏପରିସ୍ଥଳେ ଛାତ୍ରଙ୍କୁ ୧ କୁଇ˚ଟାଲ ଓଜନର କାଠ ସାଇକଲରେ ବୋହିବା ପାଇଁ କୁହାଯିବା ଘଟଣା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଏ ସ˚ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ରାମ କହିଛନ୍ତି ଯେ ଗାଁ ମଧୢରେ ମଧୢାହ୍ନଭୋଜନ ରୋଷେଇ ପାଇଁ ଘସି କିଣିଥିଲୁ। ବର୍ଷା ଆସିଯିବାରୁ ଓ ଟ୍ରଲି ନ ମିଳିବାରୁ ପିଲାମାନେ ସାଇକେଲରେ ଏହା ବୋହିଛନ୍ତି। ରାଜନଗର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅଜିତ କୁମାର ବାରିକ କହିଛନ୍ତି ଯେ ଏହି ଘଟଣାରେ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର