ଅନ୍ଧାର ଭିତରେ ଶିକ୍ଷା ଆଲୋକର ଦୀପ ଜାଳୁଛନ୍ତି ମୋହନ : ଦୃଷ୍ଟିବାଧିତଙ୍କ ପାଇଁ ସାଜିଛନ୍ତି ଦେବଦୂତ

ବାରିପଦା, (ରାଜକିଶୋର ଦାଶ): ଜନ୍ମରୁ ଦୃଷ୍ଟିହୀନ କରି ଦେଇଥିଲା ଦଇବ। ଛଅ ଭାଇଭଉଣୀଙ୍କ ମଧ୍ୟରୁ ସମସ୍ତେ ଠିକ୍‌ ଥିଲେ ମଧ୍ୟ ତାଙ୍କ ପ୍ରତି ଭଗବାନଙ୍କର ଥିଲା କିଛି ଅଲଗା ବିଚାର। ତଥାପି ଜୀବନ ସଂଗ୍ରାମରେ ହାର ମାନିନାହାନ୍ତି। ଦୃଷ୍ଟିହୀନଙ୍କ ପାଇଁ ସେ ସାଜିଛନ୍ତି ଦେବଦୂତ। ଅନ୍ଧାର ଭିତରେ ଆଲୋକର ସନ୍ଧାନ କରିଚାଲିଥିବା ଏହି ଦୃଷ୍ଟିବାଧିତ ଦିବ୍ୟାଙ୍ଗ ହେଉଛନ୍ତି ମୋହନ ମୁର୍ମୁ। ନିଜ ଉଦ୍ୟମରେ ଆତ୍ମନିର୍ଭରଶୀଳ ହେବା ସହ ଦୃଷ୍ଟିହୀନ ପିଲାଙ୍କ ପାଇଁ ଖୋଲିଛନ୍ତି ଏକ ସ୍କୁଲ। ଯେଉଁଠି ପିଲାଙ୍କୁ ମାଗଣାରେ ପାଠ ପଢାଯିବା ସହ ରୋଜଗାରକ୍ଷମ ପାଇଁ ତାଲିମ୍‌ ବ୍ୟବସ୍ଥା କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବଣଜଙ୍ଗଲଘେରା ଶୁଳିଆପଦା ବ୍ଲକ୍‌ର ପୋଖରିଆ ଗାଁରେ ମୋହନଙ୍କ ଜନ୍ମ। ବହୁ କୁଟୁମ୍ବୀ ପରିବାର ଉପରେ ବୋଝ ନହେବା ଲାଗି ମୋହନ ମାଟ୍ରିକ୍‌ ପରେ ବ୍ରହ୍ମପୁରରେ ଦୁଇବର୍ଷ ହସ୍ତଶିଳ୍ପ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ ତାଲିମ ନେଇଥିଲେ। ଦୃଷ୍ଟିବାଧିତଙ୍କ ପୀଡ଼ାକୁ ଦେଖିନପାରିଲେ ମଧ୍ୟ ହୃଦୟଙ୍ଗମ କରିପାରିଥିଲେ ମୋହନ। ଫଳସ୍ବରୂପ ୨୦୧୭ ମସିହାରେ ନିଜ ଗାଁରେ ଆରମ୍ଭ କରିଥିଲେ ଦିବ୍ୟାଙ୍ଗ ବହୁବିଧ କଲ୍ୟାଣ ପରିଷଦ। ଏହାରି ସାହାଯ୍ୟରେ କପ୍ତିପଦା, ବାଙ୍ଗିରିପୋଷି, ମୋରଡ଼ା, ଶୁଳିଆପଦା ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ଗୁଡ଼ିକରେ ଥିବା ଦୃଷ୍ଟିବାଧିତ ପିଲାଙ୍କୁ ପାଠ ପଢ଼ାଇବା ସହିତ ସେମାନଙ୍କୁ ଉପାର୍ଜନକ୍ଷମ କରିଛନ୍ତି। ବେଶ୍‌ କଠିନ ପରିସ୍ଥିତିରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଆରମ୍ଭରୁ ୧୦ ଜଣ ଥିଲେ ମଧ୍ୟ ଏବେ ୩୫ରୁ ଊର୍ଦ୍ଧ୍ବ ଅନ୍ତେବାସୀ ରହୁଛନ୍ତି। ଏଠାରେ ଛୋଟ ପିଲାମାନଙ୍କୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବ୍ରେଲି ପଦ୍ଧତିରେ ପାଠ ପଢ଼ାଯାଉଛି। ସେହିପରି ୧୮ରୁ ୩୦ ବର୍ଷ ମଧ୍ୟରେ ଥିବା ଦୃଷ୍ଟିବାଧିତ ଯୁବକଯୁବତୀଙ୍କୁ ମହମବତୀ, ଫିନାଇଲ ତିଆରି ସାଙ୍ଗକୁ ସବାଇଘାସରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତି ଆଦିର ତାଲିମ୍‌ ଦିଆଯାଉଛି। ଉଭୟ ବାଳକ ବାଳିକାଙ୍କ ପାଇଁ ଅଲଗା ଅଲଗା ହ‌ଷ୍ଟେଲ୍‌ର ବ୍ୟବସ୍ଥା କରାଯାଇଛି। ୭ ଜଣ ଝିଅ ଏବଂ ୩ ଜଣ ପୁଅ ଏଠାରେ ପାଠ ପଢ଼ୁଥିବା ବେଳେ ୧୨ ଯୁବତୀ ଏବଂ ୧୩ ଯୁବକ ଧନ୍ଦାମୂଳକ ତାଲିମ୍‌ ନେଉଛନ୍ତି। ବିନା କୌଣସି ସରକାରୀ ସହାୟତାରେ ନିଜ ନାମରେ ବ୍ୟକ୍ତିଗତ ୫୦ ହଜାର ଟଙ୍କା ଋଣ କରି ଏହି ଅନୁଷ୍ଠାନ ଆରମ୍ଭ କରିଥିଲେ ମୋହନ। ପରେ ଏହାର ପରିଚାଳନା ପାଇଁ ଆହୁରି ୫୦ ହଜାର ଟଙ୍କା ଋଣ କରିଛନ୍ତି। ବର୍ତ୍ତମାନ ଏହି ଅନୁଷ୍ଠାନ ଦୁଇଟି ଭଡ଼ା ଘରେ ଚାଲୁଛି। ଗୋଟିକରେ ବାଳିକା ହଷ୍ଟେଲ ଚାଲିଥିବା ବେଳେ ଆଉ ଗୋଟିକରେ ବାଳକ ହଷ୍ଟେଲ ଏବଂ ସେଠାରେ ପାଠପଢ଼ା ସହିତ ତାଲିମ୍‌ ଦିଆଯାଉଛି। ଦୃଷ୍ଟିବାଧିତ ଅନ୍ତେବାସୀଙ୍କ ପାଇଁ ଏଠାରେ ମାଗଣାରେ ପାଠ ପଢ଼ିବା ସହିତ ରହିବା, ଖାଇବାର ବ୍ୟବସ୍ଥା କରାଯାଇଛି। ପାଠ ପଢ଼ାଇବା ପାଇଁ ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ବି ନିଯୁକ୍ତି ହୋଇଛନ୍ତି। ଅନୁଷ୍ଠାନକୁ ପରିଚାଳନା କରିବାରେ ମୋହନଙ୍କୁ ତାଙ୍କ ପତ୍ନୀ ପ୍ରତିମା ମୁର୍ମୁ ସହଯୋଗ କରୁଛନ୍ତି। ପ୍ରତିମା ମଧ୍ୟ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ।

ବର୍ତ୍ତମାନ ଏହି ଅନୁଷ୍ଠାନ ପରିଚାଳନା ବାବଦରେ ମାସକୁ ୩୫ରୁ ୪୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟରୁ ମାସିକ ୬-୭ ହଜାର ଟଙ୍କା ଆୟ ହେଉଛି। ବାକି ବିଭିନ୍ନ ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ଅନୁଷ୍ଠାନ ଚାଲିଥିବା ମୋହନ ପ୍ରକାଶ କରିଛନ୍ତି। ଦୃଷ୍ଟିବାଧିତଙ୍କୁ ସ୍ବୟଂସମ୍ପୂର୍ଣ୍ଣ କରିବା ଲାଗି ମୋହନଙ୍କର ଏହି ପ୍ରୟାସ ବାସ୍ତବରେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ଓ ଆଲୋକବର୍ତ୍ତିକା ସଦୃଶ।

ସମ୍ବନ୍ଧିତ ଖବର