ଜୁନ ଯାଏ ସ୍କୁଲ ଛୁଟି! ପ୍ରଥମରୁ ୯ମ ଯାଏ ସବୁ ପାସ୍‌ କରିବେ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୩୧ ଯାଏ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏବେ ଏପ୍ରିଲ ୧୪ ଯାଏ ଲକ୍‌ ଡାଉନ ଘୋଷଣା ହେବା ପରେ ଛୁଟିର ଅବଧି ଏହି ସମୟ ପର୍ଯ୍ୟନ୍ତ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାପରେ ବି ସ୍ଥିତିରେ ସୁଧାର ଆସିବ କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି। ତେଣୁ ଆସନ୍ତା ଜୁନ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ ଛୁଟି ଅବଧି ବଢାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ୧୦ ଦିନ ହେଲା ସମସ୍ତ ସ୍କୁଲ ଛୁଟି। ପାଠପଢ଼ା ବନ୍ଦ। ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ତେବେ କରୋନା ସବୁ ବିଗାଡ଼ି ଦେଇଛି। ସ୍କୁଲରେ ପାଠ୍ୟ ପୁସ୍ତକ ପହଞ୍ଚିଥିଲେ ମଧ୍ୟ ପିଲାଙ୍କୁ ବଣ୍ଟନ ହୋଇପାରିନି। ସ୍କୁଲରେ ସମ୍ପୂର୍ଣ୍ଣ ତାଲା ପଡ଼ିଥିବାରୁ ସେଗୁଡିକ ଭଲ ଥିବ କି ନାହିଁ ତାହାବି ସନ୍ଦେହରେ। ଏପ୍ରିଲ ୧୪ ପରେ ସ୍ଥିତି ସୁଧୁରିବାର ସମ୍ଭାବନା ନଥିବାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ବିଳମ୍ବିତ ହେବ। ପିଲାଙ୍କ ପାଠପଢ଼ା ହୋଇପାରିବ ନାହିଁ।

ସେପଟେ ମେ’ ମାସଠାରୁ ଓଡ଼ିଶାରେ ଥିବା ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଏ। ସେହି ଦୃଷ୍ଟିରୁ ଏଥର ମେ’ ମାସ ଓ ଜୁନ ତୃତୀୟ ସପ୍ତାହ ଯାଏ ସ୍କୁଲ ଛୁଟି ରହିବ। ରଜ ପରେ ଅର୍ଥାତ ଜୁନ ୧୭ ତାରିଖ ବେଳକୁ ସ୍କୁଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏଥର ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌ ଫେଲ୍‌ ବ୍ୟବସ୍ଥା ଉଠାଇ ଦିଆଯିବା। ସମସ୍ତ ଛାତ୍ରଛାତ୍ରୀ ଉପର ଶ୍ରେଣୀକୁ ଉନ୍ନୀତ ହେବେ। କେହି ବି ଫେଲ ହେବେ ନାହିଁ। ସ୍ଥିତି ସୁଧୁରିବା ପରେ ପ୍ରଥମ କର୍ତ୍ତବ୍ୟ ରହିବ ମାଟ୍ରିକ ପିଲାମାନଙ୍କ ଉତ୍ତର ଖାତା ମୂଲ୍ୟାୟନ କରି ଫଳ ପ୍ରକାଶ କରିବା। ସେଥିପ୍ରତି ପ୍ରାଥମିକତା ଦେବୁ। ଏବେ ବିଭାଗର କୌଣସି ବି କାର୍ଯ୍ୟ ହୋଇପାରୁନି। ତେଣୁ ପୂର୍ବ ସ୍ଥିତିକୁ ଫେରିବାକୁ ପାଖାପାଖି ମାସେ ସମୟ ଲାଗିଯିବ।

ସମ୍ବନ୍ଧିତ ଖବର