ପରିବେଶ ବୈଜ୍ଞାନିକ ଡ. ଦିଲୀପ ବେହେରାଙ୍କ ପରଲୋକ

ବଲାଙ୍ଗୀର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅବସରପ୍ରାପ୍ତ ମୁଖ୍ୟ ବୈଜ୍ଞାନିକ ଡ. ଦିଲୀପ ବେହେରାଙ୍କ ପରଲୋକ ଘଟିଛି। ବଲାଙ୍ଗୀର ଚୂଡ଼ାପାଲି ମୂଳନିବାସୀ ଡ. ବେହେରା ଭୁବନେଶ୍ୱରରେ ରହୁଥିଲେ। ବୁଧବାର ଦିନବେଳା ତାଙ୍କ ଦେହ ହଠାତ ଅସୁସ୍ଥ ହୋଇଥିଲା ଓ ସେ ଇହଧାମ ତ୍ୟାଗ କରିଥିଲେ। ସ୍ୱର୍ଗତ ଡ. ବେହେରା ଚୂଡାପାଲିରେ ହାଇସ୍କୁଲ ପାଠ୍ୟକ୍ରମ ସାରି ବଲାଙ୍ଗୀର ରାଜେନ୍ଦ୍ର କଲେଜ ଓ ଜ୍ୟୋତିବିହାର ୟୁନିଭରସିଟିରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମ କରି ସୁବର୍ଣ୍ଣପୁର ଜିଲ୍ଲା ଏସ.ରାମପୁର ଶ୍ରୀରାମ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରେ ଚାକିରି ଛାଡ଼ି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ସେ ପ୍ରଥମ କରି ରାଉରକେଲାଠାରେ ରିଜିଓନାଲ ଅଫିସର ଭାବେ ଯୋଗ ଦେଇଥିଲେ। ପରେ ପଦୋନ୍ନତି ପାଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟାଳୟ ଭୁବନେଶ୍ୱରଠାରେ ବରିଷ୍ଠ ବୈଜ୍ଞାନିକ ପଦରେ ଯୋଗ ଦେଇଥିଲେ। ସେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ବୈଜ୍ଞାନିକ ପଦରେ କିଛି ଦିନ ରହିଥିଲେ। ଗତ ଜାନୁଆରି ମାସରେ ସେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଅବସର ନେଇଥିଲେ। ସେ ଇଂଲଣ୍ଡରୁ ଡକ୍ଟରେଟ ଡିଗ୍ରି ହାସଲ କରିଥିଲେ। ଏହାସହ ସ୍ୱର୍ଗତ ଡ. ବେହେରା ବିଭିନ୍ନ ପତ୍ରପତ୍ରିକାରେ ପ୍ରବନ୍ଧମାନ ଲେଖିଥିଲେ। ତାଙ୍କ ଗାଁ ଚୂଡ଼ାପାଲିରେ ସେ ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ ଥିଲେ। ଡ. ବେହେରାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅ ବୁର୍ଲା ମେଡିକାଲ କଲେଜରେ ୪ର୍ଥ ବର୍ଷର ଛାତ୍ରୀ। ଆମେରିକାରେ କେମିକାଲ ଇଞ୍ଜିନିୟରିଂରେ ପିଏଚଡି କରୁଥିବା ପୁଅ ଏବେ ଆମେରିକାରୁ ଫେରୁଥିବା ବେଳେ ଶେଷକୃତ୍ୟ ଶୁକ୍ରବାର ଚୂଡ଼ାପାଲିଠାରେ କରାଯିବ ବୋଲି ପରିବାର ବର୍ଗଙ୍କ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର