ଜୈବ ବିବିଧତା ଉପରେ ମହାନଦୀ ଜଳ ପ୍ରବାହର ପ୍ରଭାବ : ୨୫ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଦେବ ବିଶେଷଜ୍ଞ କମିଟି

ଭୁବନେଶ୍ବର : ମହାନଦୀ ଜଳର ପରିବେଶ ପ୍ରବାହ(ଇ-ଫ୍ଲୋ) ଚିଲିକା, ଭିତର କନିକା, ସାତକୋଶିଆ ଆଦି ରାଜ୍ୟର ଜୈବ ବିବିଧତା ସମୃଦ୍ଧ ସ୍ଥାନଗୁଡ଼ିକ ଉପରେ କି ପ୍ରଭାବ ପକାଉଛି ସେ ନେଇ ଅନୁଧ୍ୟାନ କରାଯିବ। ଏଥିପାଇଁ ଖୁବଶୀଘ୍ର ବିଶେଷଜ୍ଞ କମିଟି ଗଠନ ହେବ। ଚଳିତ ମାସ ୨୫ ତାରିଖ ସୁଦ୍ଧା ପ୍ରସ୍ତାବିତ କମିଟି ଇ-ଫ୍ଲୋ ଉପରେ ଅନ୍ତରୀଣ ରିପୋର୍ଟ ଦେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ଜଣାଯାଇଛି।

ମହାନଦୀର ଜଳ ପ୍ରବାହ ଚିଲିକାର ମଧୁର ମିଣା ଲବଣାକ୍ତ ଜଳ, ଇରାୱାଡି ଡଲ୍‌ଫିନ୍‌, ବିଦେଶାଗତ ପକ୍ଷୀ, ବିରଳ ସାମୁଦ୍ରିକ ମାଛ ସର୍ବୋପର ଜୈବ ବିବିଧତା ଉପରେ ବିଶେଷ ପ୍ରଭାବ ପକାଇଥାଏ। ମହାନଦୀର ଜଳ ପ୍ରବାହ କମିଲେ, ଚିଲିକା ଜଳରେ ଲବଣାକ୍ତ ବୃଦ୍ଧି ପାଇବା ସହିତ ବିଭିନ୍ନ ପ୍ରକାରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ଅଧିକ। ସେହିପରି ଭିତର କନିକା ଅଭୟାରଣ୍ୟର ହେନ୍ତାଳବଣର ଅଭିବୃଦ୍ଧି ମଧ୍ୟ ମହାନଦୀ ଜଳ ପ୍ରବାହ ଉପରେ ନିର୍ଭରଶୀଳ। ସାତକୋଶିଆ ଅଭୟାରଣ୍ୟ ଓ ଅନ୍ୟାନ୍ୟ ପ୍ରାଣୀ ଓ ଉଦ୍ଭିଦ ସଂପଦ ସମୃଦ୍ଧ ଅଞ୍ଚଳରେ ମହାନଦୀ ଜଳର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ରହିଛି। କିନ୍ତୁ ବର୍ତମାନ ଅଣମୌସୁମୀ ସମୟରେ ମହାନଦୀର ଇ-ଫ୍ଲୋ ସ୍ଥିତି ସଂପର୍କରେ ଆକଳନ ଆବଶ୍ୟକ ହେଉଛି।

ଏ ନେଇ ଇ-ଫ୍ଲୋ ସ୍ଥିତି ଆକଳନ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଜଳ ସଂପଦ ବିଭାଗ ଅନୁରୋଧ କରିଛି। ତଦନୁଯାୟୀ ଖୁବଶୀଘ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂଗଠନରୁ ବିଶେଷଜ୍ଞମାନଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୁପ୍ରିମ ‌େକାର୍ଟଙ୍କ ନିର୍ଦେଶ ଅନୁଯାୟୀ ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ରେ ଏ ସଂପର୍କିତ ତଥ୍ୟ ଉପସ୍ଥାପନ କରାଯିବ। ଆସନ୍ତା ଡିସେମ୍ବର ମାସରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍‌ଙ୍କ ନିକଟରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ଏଣୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ଅନ୍ତରୀଣ ରିପୋର୍ଟ ମିଳିଯିବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର