ନାଟ୍ୟକାର ଅନନ୍ତ ଓଝାଙ୍କ ଶେଷକୃତ୍ୟ ସମ୍ପନ୍ନ

ଡେରାବିଶ: ବିଶିଷ୍ଟ ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶହଶହ ଲୋକଙ୍କ ଉପସ୍ଥିତିରେ ତାଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି। ଏହି ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତ ରବିବାର ଦିନ ନାଟ୍ୟକାର ଅନନ୍ତ ଓଝା ବାଙ୍ଗାଲୋରସ୍ଥିତ ଏଚ୍‌ସିଜି ଘରୋଇ ନର୍ସିଂହୋମ୍‌ରେ ପ୍ରାଣ ହରାଇଥିଲେ। ତେବେ, ଚିକିତ୍ସା ବାବଦରେ ୮ ଲକ୍ଷ ଟଙ୍କା ପୈଠ କରିବାର ଥିବାରୁ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ମୃତଦେହ ଛାଡ଼ିନଥିଲେ। ରାଜ୍ୟସରକାର ଏହି ଅର୍ଥ ଜମା କରିବା ସହିତ ମରଶରୀର ଆଣିବାର ବ୍ୟବସ୍ଥା କରିଥିଲେ। ମଧ୍ୟାହ୍ନ ସମୟରେ ଭୁବନେଶ୍ୱରଠାରେ ମରଶରୀର ପହଞ୍ଚବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲା ମରଶରୀର ଗ୍ରହଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିମାନବନ୍ଦରଠାରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଖଦିବୋର୍ଡ଼ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଅନନ୍ତଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଯାତ୍ରା ଓ ଚଳଚ୍ଚିତ୍ର ଜଗତର ଅଭିନେତାମାନଙ୍କ ଗହଣରେ ଅନନ୍ତଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ନିଜ ଗ୍ରାମ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବୀରନୀଳକଣ୍ଠପୁର ଗ୍ରାମକୁ ଅଣାଯାଇଥିଲା। କଟକ ସ୍ଥିତ ଓଏମ୍‌ପି ଛକ, ଜଗତପୁର, ସାଲେପୁର, ଚାନ୍ଦୋଳ, ବାଲିଆ ଓ ଦୁହୁରିଆ ଠାରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତଥା ବହୁ ରାଜନେତା ଅନନ୍ତଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଧ୍ୟା ସମୟରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପାଖାପାଖି ୧୦ ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ। ତାଙ୍କର ପୁଅ ସବ୍ୟସାଚୀ ଓଝା ମୁଖାଗ୍ନି ଦେଇଥିଲେ ।

ସମ୍ବନ୍ଧିତ ଖବର