ରାଜ୍ୟସଭାକୁ ରଘୁନାଥ ମହାପାତ୍ର, ସୋନାଲ ମାନସିଂହ ମନୋନୀତ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଆଜି ଓଡ଼ିଶା ଭିନ୍ନ ଏକ କାରଣରୁ ଚର୍ଚ୍ଚାକୁ ଆସିଛି। ପ୍ରଥମ ଥର ପାଇଁ ଦୁଇ ଜଣ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏହି ଦୁଇ ଓଡ଼ିଆ ପ୍ରତିଭା ହେଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସୋନାଲ୍‌ ମାନସିଂହ। ଏମାନଙ୍କ ବ୍ୟତୀତ ଆର୍‌ଏସ୍‌ଏସ୍‌ ସଦସ୍ୟ ତଥା ସ୍ତମ୍ଭକାର ରାକେଶ ସିହ୍ନା ଓ ଦଳିତ ନେତା ରାମ ଶକଲ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।

ବିଶିଷ୍ଟ କ୍ରିକେଟ୍‌ ତାରକା ସଚିନ୍‌ ତେନ୍ଦୁଲକର, ଅଭିନେତ୍ରୀ ରେଖା, ଅନୁ ଆଗା ଓ କେ. ପରାଶରନ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଗତ ଏପ୍ରିଲ ମାସରୁ ଏହି ୪ଟି ଆସନ ଖାଲିପଡ଼ିଥିଲା।

ତେବେ ପଥର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ରାଜ୍ୟସଭା ମନୋନୟନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ବର୍ଷରେ ବିଜେଡି ଓ କଂଗ୍ରେସକୁ ମାତ୍‌ ଦେବା ଲାଗି ଏହା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଏକ ରଣନୀତି ବୋଲି ରାଜନୈତିକ ମହଲ ମତ ରଖିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଓଡ଼ିଶା ଅଛି, ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍କେତ ଦେବାକୁ ଚାହୁଁଛନ୍ତି। ଓଡ଼ିଶାରେ ବିଜେପି ଗୋଟିଏ ଲୋକସଭା ଆସନ ଜିତିଥିଲେ ମଧ୍ୟ ରାଜ୍ୟର ଦୁଇ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀ ପଦ ମିଳିଥିଲା। ସେମାନେ ହେଲେ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁନ୍ଦରଗ଼ଡ ସାଂସଦ ଜୁଏଲ ଓରାମ। ଏହାସହିତ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରି ପଠାଯାଇଥିଲା। କେବଳ ଏତିକି ନୁହେଁ, ପଦ୍ମ ତାଲିକାରେ ଅଧିକ ଓଡ଼ିଆଙ୍କୁ ସାମିଲ କରାଯିବା ଘଟଣାକୁ ନେଇ ମଧ୍ୟ କେନ୍ଦ୍ର ସରକାର ଚର୍ଚ୍ଚାରେ ଥିଲେ।

ଏହି ମନୋନୟନ ଚର୍ଚ୍ଚା ପଛର ଅନ୍ୟ କାରଣଟି ହେଉଛି, କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ପଦ୍ମ ସମ୍ମାନ ପାଇଥିବା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ୨୦୧୪ରେ ବିଜେଡି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ ମଧ୍ୟ ଭୋଟ୍‌ ଗଣିତରେ ପଛରେ ପଡ଼ି ପରାସ୍ତ ହୋଇଥିଲେ। ପରବର୍ତୀ ସମୟରେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ଲଳିତ କଳା ଏକାଡେମି ସଭାପତି ଭାବେ ନିଯୁକ୍ତି ଦେଇଥିଲେ ଓ ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ତାଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ନିଆଯାଇଥିଲା।

ତେବେ ଗତ ଜୁଲାଇ ୧ ତାରିଖରେ ସମ୍ପର୍କ ଅଭିଯାନ ଆଳରେ ଶ୍ରୀ ମହାପାତ୍ରଙ୍କୁ ହଠାତ୍‌ ତାଙ୍କ ବାସଭବନରେ ଭେଟିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହା ପଛରେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏତେ ବଡ଼ ଚାଲ୍‌ ଥିଲା, ସେକଥା ବୁଝାପଡ଼ିନଥିଲା। ଆଜି ହଠାତ୍‌ ତାଙ୍କୁ ରାଜ୍ୟସଭାକୁ ପଠାଯିବା ପରେ ସେଦିନ ଭେଟ୍‌ଘାଟ୍‌ର ଅସଲ ଉଦ୍ଦେଶ୍ୟ ପଦାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହାପାତ୍ରଙ୍କର ଭାରତର ପାରମ୍ପରିକ ତଥା ପ୍ରାଚୀନ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ରହିଛି। ଏଥିସକାଶେ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଭଳି ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୫୯ ମସିହାରୁ ଶ୍ରୀ ମହାପାତ୍ର ଭାରତୀୟ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତା’ଛଡ଼ା ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ତାଙ୍କ ଦ୍ୱାରା ନିର୍ମିତ ୬ ଫୁଟ ଉଚ୍ଚତାର ସୂର୍ଯ୍ୟଙ୍କ ମୂର୍ତ୍ତି ମଧ୍ୟ ବେଶ୍‌ ଉଚ୍ଚକୋଟୀର।

ସେହିଭଳି ବିଗତ ୬ ଦଶନ୍ଧି ଧରି ଉଭୟ ଭାରତନାଟ୍ୟମ୍‌ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଆସୁଥିବା ସୋନାଲ ମାନସିଂହଙ୍କ ଅବଦାନ ବି କିଛି କମ୍‌ ନାହିଁ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ସମ୍ମାନ ରହିଛି। ୧୯୭୭ରେ ସେ ଦିଲ୍ଲୀଠାରେ ସେଣ୍ଟର ଫର୍‌ ଇଣ୍ଡିଆନ୍‌ କ୍ଲାସିକାଲ୍‌ ଡ୍ୟାନ୍ସେସ୍‌ ସ୍ଥାପନ କରିଥିଲେ। ସେ ଏକାଧାରରେ ଜଣେ ନୃତ୍ୟ ନିର୍ଦ୍ଦେଶିକା, ବକ୍ତା ଓ ସମାଜସେବୀ।

ସାହିତ୍ୟ, କ୍ରୀଡ଼ା, ବିଜ୍ଞାନ, କଳା ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସାଂସଦ ଭାବେ ଚୟନ କରିଥାନ୍ତି। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ୧୨ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇପାରିବେ। ଏହି କ୍ରମରେ ରାଷ୍ଟ୍ରପତି କୋବିନ୍ଦ ଆଜି ଚାରିଜଣଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ।

ଉତ୍ତର ପ୍ରଦେଶର ରବର୍ଟଗଞ୍ଜ୍‌ ନିର୍ବାଚନମଣ୍ଡଳୀରୁ ୩ ଥର ସାଂସଦ ହୋଇଥିବା ରାମ ଶକଲ ଦଳିତ ସମ୍ପ୍ରଦାୟ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଚାଷୀଙ୍କ ନେତା କୁହାଯାଉଥିବା ରାମ ଶକଲ ସବୁବେଳେ କୃଷକଙ୍କ ହିତ ପାଇଁ କାର୍ଯ୍ୟ କରିଆସିଛନ୍ତି। ଦିଲ୍ଲୀଭିତ୍ତିକ ଥିଙ୍କ୍‌ଟ୍ୟାଙ୍କ୍‌ ଇଣ୍ଡିଆ ପଲିସି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରାକେଶ ସିହ୍ନା ମୋତିଲାଲ ନେହରୁ କଲେଜର ପ୍ରଫେସର ଅଛନ୍ତି। ଏହାଛଡ଼ା ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ରିସର୍ଚ୍ଚରେ ସେ ଜଣେ ସଦସ୍ୟ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର